ହାଁସଦାଙ୍କୁ ପ୍ରଥମେ ମନା କଲେ, ପରେ ଡାକିଲେ

0

ନୂଆଦିଲ୍ଲୀ: ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକରେ ଆଜି ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା। ସଂସଦରେ ଅବସ୍ଥିତ ବିଜେଡି କାର୍ଯ୍ୟାଳୟରେ ଚାଲିଥିବା ଦଳୀୟ ବୈଠକରେ ଯୋଗ ଦେବା ପାଇଁ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଦିନ ୧୦ଟା ୪୦ରେ ପହଞ୍ଚିଥିଲେ। ସାଂସଦ ମହୋଦୟ କବାଟ ଖୋଲି ଭିତରକୁ ପଶିବା ପାଇଁ ଉଦ୍ୟମ କରିବା ବେଳେ ତାଙ୍କୁ ପ୍ରଥମେ ମନା କରିଦିଆଯାଇଥିଲା। ତତ୍‌କ୍ଷଣାତ ସାଂସଦ ଶ୍ରୀ ହାଁସଦା ପଛକୁ ଫେରି ଆସିଥିଲେ। ସେଠାରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ କ୍ଷୋଭର ସହ କହିଥିଲେ ଯଦି ଏପରି ଦଳ ପକ୍ଷରୁ ତାଙ୍କର ଏଭଳି ଅପମାନ କରାଯିବ ସେ ସାଂସଦ ପଦରୁ ଇସ୍ତଫା ଦେବାକୁ ପଛଘୁଞ୍ଚା ଦେବେ ନାହିଁ। କିଛି ସମୟ ପରେ ବିଜେଡ଼ି ମୁଖ୍ୟ ସଚେତକ ତଥାଗତ ଶତପଥି ପଛରୁ ଡାକି ତାଙ୍କୁ ଭିତରକୁ ନେଇଥିଲେ। ସାଂସଦ ହାଁସଦାଙ୍କ ଉପସ୍ଥିତିରେ ବୈଠକ ପ୍ରାୟ ୧୫ ମିନିଟ ଚାଲିଥିଲା ଏବଂ ଏନଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇଥିଲା। ତେବେ ବୈଠକ ସମାପ୍ତ ହେବା ପରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଡକାଯାଇଥିଲା ବୋଲି ବିଜେଡି ମୁଖପାତ୍ର ସାଂସଦ ପ୍ରତାପ ଦେବ କହିଛନ୍ତି। ବିଜୁ ଜନତା ଦଳରୁ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ନିଳମ୍ବନ ଏବେ ମଧ୍ୟ ବଳବତ୍ତର ରହିଛି ବୋଲି ବିଜେଡ଼ି ସାଂସଦ ତଥା ଲୋକସଭା ନେତା ଭର୍ତ୍ତୁହରି ମହତାବ ବୁଧବାର ସ୍ପଷ୍ଟ କରିଥିଲେ।

Leave A Reply