୨୫କୋଟି ମୂଲ୍ୟର ଝୁଲଣା

ଧନୀ ଲୋକଙ୍କ ଦାମୀ ସଉକ୍ ସତରେ ଭାରି ବିଚିତ୍ର। ଅପର୍ଯ୍ୟାପ୍ତ ଟଙ୍କା ଥିବାରୁ ଧନିକ ଗୋଷ୍ଠୀ ଧରାକୁ ସରା ମଣନ୍ତି ବୋଲି କହିଲେ ଭୁଲହେବନି। ପାଠକବନ୍ଧୁ, ଆପଣ ପିଲାଙ୍କ ଦୋଳି ବା ଝୁଲଣା ଦେଖିଥିବେ ନିଶ୍ଚୟ। ଆମ ଦେଶୀ ବଜାରରେ ଏସବୁର ମୂଲ୍ୟ ଅତିବେଶୀରେ କିଛି ହଜାର ଟଙ୍କା। କେହି କାଠର ତ’ ଅନ୍ୟ କେହି ଧାତୁର ମଧ୍ୟ ଦୋଳି ବ୍ୟବହାର କରନ୍ତି। ଭାରତରେ ବିଭିନ୍ନ ଅନ୍‌-ଲାଇନ୍ ସାଇଟ୍‌ରେ ଭଳିକିଭଳି ଡିଜାଇନର ଝୁଲଣା ମିଳୁଛି। ଏସବୁର ମୂଲ୍ୟ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ପିଲା ୨-୩ ବର୍ଷର ହେବା ପର୍ଯ୍ୟନ୍ତ ଏହି ଝୁଲଣାରେ ଶୋଇଥାନ୍ତି। ଝୁଲଣାର ଆଦର ପାଶ୍ଚାତ୍ୟ ରାଷ୍ଟ୍ରରେ ଅଧିକ। ଜାଣି ଆଶ୍ଚର୍ଯ୍ୟହେବେ ବିଦେଶୀ ରାଇଜରେ ଧନୀ ଲୋକେ ଏଇ ଝୁଲଣା କିଣାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି।

– ଦୁବାଇର ଶେଖ୍‌ମାନଙ୍କ ଘରେ ନବାଜାତ ଶିଶୁଟିଏ ଜନ୍ମ ନେଲେ, ଘରେ ସେମାନଙ୍କ ଆଗମନରେ ବିରାଟ ଆୟୋଜନ ହୁଏ। ସବୁଠୁ ମୁଖ୍ୟ କଥା ହେଲା, ସୁନାର ଦୋଳିଟିଏ ତିଆରି କରାଯାଏ। ଗୋଟିଏ ସୁନା ଦୋଳି ତିଆରି ପାଇଁ ଶେଖ୍‌ମାନେ ଅତି କମ୍‌ରେ ୨୫କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଦୁବାଇର ଏହି ସୁନା ଦୋଳି ବିଭିନ୍ନ ଡିଜାଇନରେ କାରିଗରମାନେ ତିଆରି କରୁଥିବାର ଦେଖାଯାଇଛି।
– ଆମେରିକାର ଏକ ବଡ଼ କମ୍ପାନୀ ପିଲା ଦୋଳି ତିଆରି କରିବା ପାଇଁ ଜଣାଶୁଣା। ସେଠିକାର ନାମୀ ଶିଳ୍ପପତି ତଥା ସେଲିବିଟ୍ରିମାନେ ଏଠାରେ ବରାଦ୍ ଦେଇ ଦୋଳି ତିଆରି କରୁଥିବାର ପ୍ରକାଶ। କାଠ ଓ ଫାଇବର ଗ୍ଲାସ୍ ମିଶ୍ରିତ ତିଆରି ହେବା ସହ ପିଲାଙ୍କ ପାଇଁ ଏହା ଏକ ବିଳାସମୟ ଦୋଳି ବୋଲି କେତେଜଣ ବାପା-ମା’ କହିଛନ୍ତି। ଦୋଳିଟିର ମୂଲ୍ୟ ହେଉଛି ୪୮ଲକ୍ଷ ଟଙ୍କା, ଏକ ପ୍ରକାର ବିଶେଷ ନରମ ତୁଳାରେ ଏହି ଦୋଳିର ଗଦି ତିଆରି।
– ଘୋଡ଼ା ଗାଡ଼ି ଡିଜାଇନରେ ତିଆରି ‘କଟ୍ କୋଚ୍’ ଦୋଳି ଲଣ୍ଡନର ଏକ କମ୍ପାନୀ ତିଆରି କରିଛି। ପାଖାପାଖି ୧୩୦ ବର୍ଷ ହେଲା ବିଭିନ୍ନ ପ୍ରକାର ପିଲାଙ୍କ ସାମଗ୍ରୀ ତିଆରି କରୁଥିବା ଏହି କମ୍ପାନୀର ଦୋଳି ବ୍ରିଟେନ୍‌ ରାଜପ୍ରାସାଦରେ ମଧ୍ୟ ବ୍ୟବହୃତ ହୁଏ। ଏହି ଗାଡ଼ି ଆକୃତିର ଦୋଳିକୁ ଚଢ଼ିବା ପାଇଁ ସୁନ୍ଦର ପାହାଚ ଥିବା ସହ ପିଲାଙ୍କ ପୋଷାକ, ଡାଇପର୍ ରଖିବାକୁ ମଧ୍ୟ ଦୋଳିରେ ଥାକ ରହିଛି। ଦୋଳିର ମୂଲ୍ୟ ହେଉଛି ୧୫ଲକ୍ଷ ଟଙ୍କା। ଭାରତର କେତେଜଣ ଶିଳ୍ପପତି ମଧ୍ୟ ଏଠାରୁ ଦୋଳି ବରାଦ୍ କରିଥିବାର ଜଣାପଡ଼ିଛି। ଆଜିକାଲିର ଏସବୁ ଦାମୀ ଦୋଳିରେ କ୍ୟାମେରା ସହ ଅନ୍ୟ ପ୍ରକାରର ସେନ୍‌‌ସର୍ ମଧ୍ୟ ଖଞ୍ଜାହୋଇଛି। ପିଲା ଉଠିବା ମାତ୍ରେ ଗୀତ ବାଜି ବାପା-ମା’ଙ୍କୁ ଅବଗତ କରାଇବ। ଦୋଳିରେ କୀଟ କିମ୍ବା ଅନ୍ୟ କିଛି ରହିଗଲେ ମଧ୍ୟ ସତର୍କ ଘଣ୍ଟି ବାଜିବ। ସବୁଠୁ ମଜାଦାର କଥା, ପିଲା ପରିସ୍ରା କଲେ କିମ୍ବା ଶେଯ ଅସନା ହେଲେ ମଧ୍ୟ ସଙ୍କେତ ଦେଇ ଜଣାଇବ।

Comments are closed.