ଭୈରବୀ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର: ହରଡଗଂଠାରେ ଥିବା ଶକ୍ତିପିଠ ମାଁ ସିଦ୍ଧ ଭୈରବୀ ମନ୍ଦିର ତୁରନ୍ତ ଖୋଲାଯିବା ପାଇଁ ବୁଧବାର ଦିନ ମନ୍ତ୍ରୀଡି ଗ୍ରାମବାସୀଙ୍କ ସହିତ ମନ୍ଦିର କଡ଼ରେ ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ମୁତାବକ ରାଜ୍ୟରେ ଗତ ଜାନୁଆରୀ ୩ ତାରିଖରୁ ସମସ୍ତ ମନ୍ଦିର କୋଭିଡ ନିୟମ ପାଳନ କରି ଖୋଲାଯିବା ସହ ଭକ୍ତ ମାନଙ୍କୁ ଭଗବାନ ଦର୍ଶନ ନିମନ୍ତେ ପ୍ରବେଶର ସୁଯୋଗ ଦିଆଯାଇଛି। କିନ୍ତୁ ଏହା ମଧ୍ୟରେ ଏକମାସ ବିତି ଯାଇଥିଲେ ମଧ୍ୟ ମନ୍ଦିର ଖୋଲା ନଯିବାରୁ ଏଠାକୁ ଆସୁଥିବା ଭକ୍ତମାନେ ମନ୍ଦିର ମୁଖ୍ୟ ଦ୍ବାରା ସମ୍ମୁଖରେ ପୂଜାର୍ଚ୍ଚନା କରି ଅସନ୍ତୋଷ ବ୍ୟକ୍ତ କରି ଫେରୁଛନ୍ତି। ଅନ୍ୟ ପଟେ ମନ୍ତ୍ରୀଡି ଏବଂ ଏହାର ଆଖପାଖ ୨୦ ଖଣ୍ଡ ଗ୍ରାମବାସୀଙ୍କ ମାଁ ଭୈରବୀ ଇଷ୍ଟଦେବୀ ଭାବେ ପୂଜିତ ହେଉଥିବାରୁ ଗ୍ରାମବାସୀ ମାନେ ବିବାହ ଆଦି ଶୁଭ କାର୍ୟ୍ୟ କରିବା‌ ପୂର୍ବରୁ ମା’ଙ୍କ ଠାରେ ପ୍ରଥମେ ଗୁଆ ଅନୁକୂଳ କରିବା ପରେ ଅନ୍ୟ ମାନଙ୍କୁ ନିମନ୍ତ୍ରଣ ପଠାଇଥାନ୍ତି, ଏଣୁ ମନ୍ଦିର ବନ୍ଦ ରହିବାରୁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସନ୍ତୋଷ ମହାନୁ, ଶୁକୁରୁ ବେହେରା, କିଶୋର ଚନ୍ଦ୍ର ସାହୁ, ସୁଶାନ୍ତ ମହାନ୍ତି ଓ ପ୍ରକାଶ ମହାନ୍ତି ପ୍ରମୁଖ ଶତାଧିକ ଅଞ୍ଚଳବାସୀ ସାକ୍ଷାତକାର ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ।

ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅନୁପସ୍ଥିତିରେ ଗ୍ରାମବାସୀମାନେ ତାଙ୍କ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଲୋକଙ୍କ ଦାବି ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିବା ସହ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ମନ୍ଦିର ଖୋଲାଯିବା ନେଇ ଆଲୋଚନା କରିବାକୁ କହିଥିବା ଜଣାପଡିଛି। ଅନ୍ୟ ପଟେ ଗତ ଜାନୁଆରୀ ୩ ତାରିଖ ପରଠାରୁ ମନ୍ଦିର ପରିଦର୍ଶନରେ ପ୍ରତ୍ୟହ ଶହଶହ ପର୍ୟ୍ୟଟକ ଏଠାକୁ ଆସୁଥିବା ବେଳେ ପୂଜାରୀମାନେ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପୂଜା କରୁଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ମନ୍ଦିର ପୂଜକମାନଙ୍କ ପକ୍ଷରୁ ଗତ ଜାନୁଆରୀ ୩ ତାରିଖରେ ଆସନ୍ତା ପଣା ସଂକ୍ରାନ୍ତି ପର୍ୟ୍ୟନ୍ତ ମନ୍ଦିର ନ ଖୋଲିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବାରୁ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ମନ୍ଦିର ଖୋଲିବା ନେଇ କୈାଣସି ନିଷ୍ପତ୍ତି ନିଆଯାଇ ପାରିନଥିବା ଆଲୋଚନା ହେଉଛି।

Comments are closed.