ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆ ପକ୍ଷରୁ ‘ହାତ ଧୋଇବା’ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆ ପକ୍ଷରୁ ଏଠାରେ ହାତ ଧୋଇବା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ‘ବାଳପଂଚାୟତ’ ର ପ୍ରାୟ ୨୭୫ ଜଣ ପିଲାଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ୧୧ଟି ଗୋଷ୍ଠୀ ଯଥା- ଦାଶପୁର, ମହିମାନଗର, ପିତାଗାଡ଼ିଆ ଭୋଇସାହି, କୁଜିମହଲା, ଭୋଲ, ଡାଳୁଅ, ଜାମୁଝରି, ବିଞ୍ଝାଗିରି, ଛତାବର, କୃଷ୍ଣନଗର ଓ ଚୁଡ଼ଙ୍ଗଠାରେ ଆୟୋଜିତ ହୋଇଥିଲା । ଉକ୍ତ ଗ୍ରାମଗୁଡିକରେ ହାତ ଧୋଇବା, ମୁଁହରେ ମାସ୍କ ପିନ୍ଧିବା, ବ୍ୟବହୃତ ମାସ୍କର ନିଷ୍କାସନ ଓ ସାମାଜିକ ଦୂରତା ପାଳନ କରିବା ନିୟମାବଳୀ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ।
‘ବାଳ ପଂଚାୟତ’, ଯୁବ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଟ୍ୟୁଟର ଓ ଆନିମେଟରମାନଙ୍କ ଦ୍ୱାରା ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା । ସ୍ୱାସ୍ଥ୍ୟ ଯତ୍ନ ବିଶେଷଜ୍ଞମାନେ ଅନଲାଇନ୍ ଶିକ୍ଷା ମାଧ୍ୟମରେ ହାତର ପରିଚ୍ଛନ୍ନତା ସମ୍ପର୍କରେ ପିଲାମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଅଭିଯାନ ସମୟରେ ଦୁଇ ଜଣ ସ୍ୱାସ୍ଥ୍ୟ ଯତ୍ନ ପ୍ରଦାନକାରୀ (ଜଣେ ଡାକ୍ତର ଓ କାଉନସେଲର), ସ୍ଥାନୀୟ ଆଶା କର୍ମଚାରୀ ଉପସ୍ଥିତ ରହିଥିଲେ । ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆର ସେକ୍ରେଟାରି ଜେନେରାଲ ସୁମନ୍ତ କର କହିଛନ୍ତି ଯେ, ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ପ୍ରମୁଖ ହିତାଧିକାରୀମାନଙ୍କୁ ଏକତ୍ର କରାଯାଇପାରିଛି । ବାଳପଂଚାୟତର ସହାୟତା ବିନା ଏତେ ଅଧିକ ଲୋକଙ୍କୁ ସଚେତନ କରାଇବା ସମ୍ଭବପର ହୋଇ ପାରି ନଥାନ୍ତା । ଜନସାଧାରଣ ଏହି ହାତ ପରିଚ୍ଛନ୍ନତା ପଦକ୍ଷେପ ଜାରି ରଖିବେ ଓ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିପାରିବେ ତଥା ସଂକ୍ରାମକ ରୋଗ ଗୁଡ଼ିକୁ ଦୂରେଇ ରଖିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

Comments are closed.