ଚୋରି ହୋଇଗଲା ଦେଢ଼ କିମି ରାସ୍ତା

ଜେମାଦେଇ ପେଣ୍ଠ: ସୁନାଗହଣା କି ଟଙ୍କା ପଇସା ନୁହେଁ; ରାସ୍ତା ଚୋରି ହୋଇଯାଇଛି। ଦେଢ଼ କିମି ରାସ୍ତା ଚୋରି ହୋଇଯିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉପାନ୍ତ ଅଞ୍ଚଳରେ କାଗଜ କଲମରେ ଅନେକ ଫାଇଲ ଚାଷ ହେଉଥିବା ଅଭିଯୋଗ ହେଉଥିବାବେଳେ ବହୁ ଯୋଜନା ବାଟବଣା ହୋଇଯାଉଛି। ହିତାଧିକାରୀ ଯୋଜନାରୁ ଲାଭ ପାଇବା ପରିବର୍ତ୍ତେ ଯୋଜନା ଲାଭବାନ ହେଉଛି।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ତିଆରି ହୋଇଥିବା ରାସ୍ତା କାର୍ଯ୍ୟାଦେଶ ପାଇ ଗୋଟିଏ ପଞ୍ଚାୟତରେ ତିଆରି ହେବାକୁ ଥିବା ରାସ୍ତା ଏହି ପଞ୍ଚାୟତରୁ ଚୋରି ହୋଇ ଅନ୍ୟ ଏକ ପଞ୍ଚାୟତରେ ତିଆରି ହୋଇଥିବା ଅଭିଯୋଗ ହୋଇଛି।

ଜିଲା ସଦର ମହକୁମା ୟିରୁକବାଡ଼ି ପଞ୍ଚାୟତରେ ଥିବା ନାକଟି ଗ୍ରାମଟି ପାହାଡ଼ ଉପରେ ଅବସ୍ଥିତ। ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ତିଆରି ହୋଇଥିବା ୧,୨୬୦ କିଲୋମିଟର ରାସ୍ତା ଅଟକଳ ମୂଲ୍ୟ ୫୫ଲକ୍ଷ ବୋଲି ଫଳକରେ ଲେଖାଯାଇଛି, କିନ୍ତୁ ଫଳକରେ ଝିମଡିପେଟା, ପାତ୍ରପୁର,  ନାକଟି ବୋଲି ସୂଚିତ କରାଯାଇଛି। ଯାହାକି ତିଆରି ହୋଇଥିବା ରାସ୍ତା ଝିମଡିପେଟା ପଞ୍ଚାୟତ କିମ୍ବା ତତ୍ ସଂଲଗ୍ନ କୌଣସି ଗ୍ରାମ ସହ ସମ୍ପର୍କ ନାହିଁ। ଝିମଡିପେଟା ପଞ୍ଚାୟତ ତିଆରି ହୋଇଥିବା ରାସ୍ତା ଠାରୁ ୨ଟି ପଞ୍ଚାୟତ ପାରି ହୋଇ ୩୦ କିଲୋମିଟର ଦୂରରେ ଅବସ୍ଥିତ। ପୁଣି ଏହି ପଞ୍ଚାୟତରେ ନାକଟି ବୋଲି ଗୋଟିଏ ଛୋଟିଆ ଗ୍ରାମ ଅଛି। ଏହି ଗ୍ରାମକୁ ଯିବାକୁ ହେଲେ ଝିମଡିପେଟା ପଞ୍ଚାୟତରୁ କନ୍ଧ ଝିମଡି, ନାକଟି, ତିଲେସୁ, ଦେଇ ପାତ୍ରପୁର ଯାଇ ହୁଏ। ତିଆରି ହୋଇଥିବା ରାସ୍ତାରେ ଫଳକରେ ଝିମିଡ଼ିପେଟା, ନାକଟି ଓ ପାତ୍ରପୁର ବୋଲି ଉଲ୍ଲେଖ ଅଛି। ପ୍ରଶ୍ନ ଉଠିଛି ରାସ୍ତା ତିଆରି ପାଇଁ କାର୍ଯ୍ୟାଦେଶ କେଉଁଠି ଆଉ ତିଆରି ହୋଇ ଫଳକ ଲେଖା କେଉଁଠି ? ଯଦି ଏହା ସତ୍ୟ ହୋଇଥାଏ ତ ହେଲେ ‘ଆମ ରାସ୍ତା ଆମକୁ ଫେରାଇ ଦିଅ’ ବୋଲି କହିଛନ୍ତି ଝିମଡିପେଟାର ପୂର୍ବତନ ସରପଞ୍ଚ ମୁକୁନ୍ଦ ବିଡିକା। ନ ହେଲେ ହକ୍‌ ଦାବିରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ରମେଶଚନ୍ଦ୍ର ମିଶ୍ରଙ୍କୁ ପଚାରିବାରେ ନିର୍ମାଣ ସମୟରେ କୌଣସି ଅଭିଯୋଗ ଆସିଲା ନାହିଁ, ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ଅନୁସାରେ ତିନି ବର୍ଷ ତଳେ ତିଆରି ହୋଇଥିବା ରାସ୍ତାକୁ ଆଉ କଣ କରିହେବ ? ତେଣୁ ଅଭିଯୋଗ ମୁତାବକ ଝିମଡିପେଟାର ନାକଟି ଗ୍ରାମକୁ ଖୁବ୍ ଶୀଘ୍ର ଯାଇ ଗ୍ରାମର ଅବସ୍ଥିତି ତଥା ପାରିପାରଶ୍ବିକସ୍ଥିତିକୁ ଅନୁଧ୍ୟାନ କରି ଗ୍ରାମ୍ୟ ଉନ୍ନୟନ ବିଭାଗପକ୍ଷରୁ ଆଉ ଏକ ସଡ଼କ ତିଆରି ପାଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.