କରାମାଡ଼ରେ ଉଜୁଡିଲା ରବି ଫସଲ, ଚାଷୀ ହତାଶ

ବରଗଡ :  ବରଗଡ଼ ଜିଲାରେ ଗତ ତିନିଦିନ ହେଲା କାଳବୈଶାଖୀ ଓ କରାମାଡ଼ରେ ରବି ଫସଲ ପ୍ରବଳ ମାତ୍ରାରେ ପ୍ରଭାବିତ ହେଲାଣି । ତିନିଦିନ ହେଲା ଅପରାହ୍ନରେ କାଳବୈଶାଖୀ ମାଡି ଆସୁଛି। ଆଜି ଅପରାହ୍ନ ତିନିଟା ସମୟରେ ବରଗଡ଼ ଜିଲାରେ କରାମାଡ଼ ଆରମ୍ଭ ହୋଇ ରବି ଧାନ ଓ ରବି ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବରଗଡ ବ୍ଳକର ତୁରୁଙ୍ଗା, ଲାଉନ୍‍ସରା, ତୁମଗାଁ, ବରପାଲି ବ୍ଳକର ଜୁଲାଟ, କନବାର, ବାଗବାଡି, ବହିଆପଦର, ବିଜେପୁର ବ୍ଳକର ଜାରିଂ, ଲେମଧର, ସୋହେଲା ବ୍ଳକ, ଭଟଲି ବ୍ଳକ ଆଦି ସ୍ଥାନରେ ବ୍ୟାପକ କରାମାଡ ହୋଇ ଥିବାରୁ ଫସଲ ହାନି ଘଟିଛି। ଗତ ଚାରିଦିନ ଭିତରେ ଏହି ସବୁ ଅଞ୍ଚଳରେ ଏହା ଦ୍ୱିତୀୟ କରାମାଡ। ଦୁଇଦିନ ତଳେ କାଳବୈଶାଖୀ ଓ କରାମାଡରେ ବ୍ୟାପକ ଫସଲହାନୀ ହୋଇଥିବାବେଳେ କୃଷି ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ୩୦ ରୁ ୫୦ ପ୍ରତିଶତ ଫସଲ ନଷ୍ଟ ହୋଇଥିଲା ।

ଶୁକ୍ରବାର ବଡ଼ବଡ଼ କରକାପାତ ହୋଇଥିବାରୁ ଯାହାକିଛି ରହିଥିଲା ସେସବୁ ମଧ୍ୟ ନଷ୍ଟ ହୋଇଯାଇଛି । ବରଗଡ଼ ଜିଲାରେ ଗତ ତିନିଦିନ ଧରି ଚାଷୀ ଝଡ ତୋଫାନ ଓ କରାମାଡ ସହି ଏବେ ସର୍ବସ୍ୱାନ୍ତ ହେବା ଅବସ୍ଥାକୁ ଆସିଲାଣି। ଲକ୍‍ ଡାଉନ୍‍ ଯୋଗୁଁ ପନିପରିବା ବିକ୍ରିରେ ବ୍ୟାପକ କ୍ଷତି ସହିଥିବା ଚାଷୀ ଉପରେ ଏବେ ପ୍ରକୃତି ମଧ୍ୟ ଦାଉ ସାଧିଲାଣି। ବିଲ ବାଡିରେ ଯାହାକିଛି ପନିପରିବା ରହିଥିଲା ଏବେ କରାମାଡ ସେସବୁକୁ ନଷ୍ଟଭ୍ରଷ୍ଟ କରି ଦେଲାଣି। ରବି ଫସଲ ଏଥର ପୂରାପୂରି ଉଜୁଡି ଯିବାର ଆଶଙ୍କା ଦେଖାଦେଲାଣି। ଧାନ ଅମଳ ହେବା ପୂର୍ବରୁ କିଛି ଜମିରେ ତଣ୍ଟିକଟା ପୋକ ଲାଗିଯାଇଥିବା ଯୋଗୁଁ ଚାଷୀଙ୍କ ଧାନ ହଳଦିଆ ପଡି ନଷ୍ଟ ହୋଇଯାଇଥିଲା। ଏବେ କରାମାଡରେ ଅମଳକ୍ଷମ ଧାନ ଶୋଇପଡିଲାଣି। ବରଗଡ ଜିଲାର ଚାଷୀ ଏଥର ରବି ଫସଲ ପାଇବା ନେଇ ଆଶଙ୍କା ଦେଖା ଦେଲାଣି। ଆଜିର କରମାଡ଼ରେ ରବି ଫସଲ ନଷ୍ଟ ହେବା ସହ କିଛି ପକ୍ଷୀ ମଧ୍ୟ ମରିପଡିଥିବା ଦେଖାଯାଇଥିଲା। କରାମାଡ଼ ହେବା ପରେ ବରଗଡ଼ ତହସିଲଦାର, ବରପାଲି ତହସିଲଦାର ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବିଭିନ୍ନ ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଥିଲେ। ବିଧାୟକ ଚାଷୀ ମାନଙ୍କୁ ଭେଟିବା ସମୟରେ ଚାଷୀମାନେ ସେମାନଙ୍କର ସମ୍ପୂର୍ଣ୍ଣ ଅସହାୟତା ପ୍ରକାଶ କରିବା ସହିତ ଚଳିତ ରବି ଫସଲ ସେମାନଙ୍କର ଅଣ୍ଟା ଭାଙ୍ଗି ଦେଇଥିବା କହିଥିଲେ। କ୍ଷେତରେ ଥିବା ଫସଲ ଉଜୁଡ଼ି ଯାଉଥିବା ଦେଖି ଚାଷୀମାନେ ଆଉ ଲକ୍‍ ଡାଉନର ସାମାଜିକ ଦୂରତାକୁ ଭୃକ୍ଷେପ ନ କରି ବିଧାୟକଙ୍କୁ ନିଜର ଦୁଃଖ ଜଣାଇଥିଲେ। ବିଧାୟକଙ୍କ ପାଇଁ ମଧ୍ୟ ଏପରି ସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହୋଇ ନ ଥିଲା। କରୋନା ଦାଉରୁ କରାମାଡ଼ ବଳିଗଲା ବୋଲି ଚାଷୀମାନେ କୋହଭରା କଣ୍ଠରେ କହିଥିଲେ।

Comments are closed.