ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣା : ମୁଣ୍ଡ ଉପରୁ ଅଠା ଛଡାଇବାରେ ବ୍ୟସ୍ତ ! 

ସମ୍ବଲପୁର : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରି ଦେଇଥିବା ବେଳେ ଏହି ଘଟଣାର ୪୮ ଘଣ୍ଟା ବିତିଯିବା ସତ୍ୱେ ରାଜ୍ୟ ପୁଲିସ ବିଭାଗର ହାତ ସମ୍ପୁର୍ଣ୍ଣ ଖାଲି ରହିଛି। ଗୋଟିଏ ପଟରେ ରାଜ୍ୟ ପୁଲିସ ପାଇଁ ଫେରାର ଗ୍ୟାଙ୍ଗଷ୍ଟାରକୁ ଧରିବାରେ ବିଳମ୍ବ ହେଉଥିବାରୁ ତାହା ଧିରେ ଧିରେ ପୁଲିସ ପାଇଁ ବିରାଟ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସମ୍ବଲପୁର ଜେଲରେ ସେ ରହୁଥିବାରୁ ଏହି ମାମଲାକୁ ନେଇ ବ୍ୟାପକ ତନାଘନା ଚାଲିଛି। ହାଇଦର ଫେରାର ହୋଇଥିବା ଘଟଣାକୁ ନେଇ ରାଜ୍ୟ ପୁଲିସ ବେଶ ସକ୍ରିୟ ରହିଥିବା ବେଳେ ସମ୍ବଲପୁରରୁ କଟକ ଯିବା ନେଇ ପର୍ଦ୍ଦା ପଛର ରହସ୍ୟକୁ ଉନ୍ନମୋଚନ ପାଇଁ ବେଶ କସରତ ଚାଲିଛି। ଗ୍ୟାଙ୍ଗଷ୍ଟାର ଫେରାର ହେବା ଘଟଣାର ତଦନ୍ତରେ ୩ଟି ବିଭାଗ ଯଥା ଜେଲ, ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗ ପ୍ରତ୍ୟକ୍ଷ ରୂପେ ସଂଶ୍ଲିଷ୍ଟ ରହିଥିବାରୁ ବ୍ୟାପକ ତଦନ୍ତ କରାଯାଉଛି। କିନ୍ତୁ ବିଡମ୍ବନାର ବିଷୟରେ ବିଗତ ଦୁଇ ଦିନ ହେବ ଚାଲୁଥିବା ଏହି ତନାଘନାରେ ଗ୍ୟାଙ୍ଗଷ୍ଟାର ଫେରାର ହେବାର ମୂଳ କାରଣ ଜଣାପଡ଼ିବା ଅପେକ୍ଷା ଏହି ଘଟଣାରେ ସଂପୃକ୍ତ ଦାୟିତ୍ୱବାନ ବିଭାଗ ମାନେ ନିଜ ମୁଣ୍ଡ ଉପରୁ ଅଠା ଛଡାଇ ଅନ୍ୟ ଉପରେ ବୋଳିବାରେ ବ୍ୟସ୍ତ ରହୁଥିବାର ଦେଖାଯାଉଛି। ଗ୍ୟାଙ୍ଗଷ୍ଟାର ଫେରାର ହେବା ଘଟଣା ଜଣାପଡ଼ିବା ପରେ ପରବର୍ତ୍ତୀ ୨୪ ଘଣ୍ଟା ଯାଏ ସଂପୃକ୍ତ ବିଭାଗ ମାନେ ଗୋଟିଏ ପରେ ଗୋଟିଏ ବୈଠକ କରିଥିବା ବେଳେ, ସେଗୁଡିକ କେତେ ଫଳପ୍ରଦ ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏଭଳି କ୍ଷେତ୍ରରେ ସମୟ ଗଡିବା ସହିତ ସଂପୃକ୍ତ ବିଭାଗ ମାନେ ନିଜ ଉପରୁ ଦୋଷ ଛଡାଇବାରେ ବ୍ୟସ୍ତ ରହିଛନ୍ତି। ପୂର୍ବରୁ ହାଇଦର ବାରମ୍ବାର ଡାକ୍ତରଖାନା ଯାଉଥିବା ବେଳେ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନ ଥିବା ବେଳେ ସେ ଫେରାର ହେବା ପରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରି ସ୍ୱତନ୍ତ୍ର ଦଳ ଗଠନ କରିବା, ସମସ୍ତ ଥାନା ଗୁଡିକୁ ହାଇ ଆର୍ଲଟରେ ରଖିବା, ଜେଲର କାଗଜପତ୍ର ଯାଞ୍ଚ, ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚ ଆଦି କାର୍ଯ୍ୟ ମଖ୍ୟ ଘଟଣା ଉପରୁ ଧ୍ୟାନ ହଟାଇବା ଭଳି ପ୍ରତିତ ହେଉଛି।
ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଦଳ
ହାଇଦର ଫେରାର ହେବା ପରେ ସମ୍ବଲପୁର ସହିତ ଏହି ଘଟଣା ପୁଙ୍ଖାନୁପୁଙ୍ଖ ଜଡିତ ଥିବାରୁ ସମ୍ବଲପୁର ପୁଲିସ ୩ଟି ସ୍ୱତନ୍ତ୍ର ଦଳ ଗଠନ କରି ବିଭିନ୍ନ ସ୍ଥାନକୁ ରବିବାର ଠାରୁ ପଠାଇଛି। ଏହି ଘଟଣାରେ ସମ୍ବଲପୁର ପୁଲିସର ଛବି ଧୂମିଳ ହୋଇଥିବାରୁ ଏବେ ଭାବମୂର୍ତ୍ତି ରକ୍ଷା ସଜାଡିବାରେ ପୁଲିସ ବ୍ୟସ୍ତ ରହିଛି। ତେବେ ବିଭିନ୍ନ ସ୍ଥାନକୁ ଯାଇଥିବା ସ୍ୱତନ୍ତ୍ର ଦଳ ଗୁଡିକୁ ଏ ପର୍ଯ୍ୟନ୍ତ କାଣିଚାଏଁ ସଫଳତା ମିଳି ପାରି ନ ଥିବାର ବିଶ୍ୱସ୍ତସୂତ୍ରରୁ ପ୍ରକାଶ।
ଗ୍ୟାଙ୍ଗଷ୍ଟାରକୁ ଢ଼ିଲା ସୁରକ୍ଷା ବ୍ୟବସ୍ଥାରେ ଛଡା ଯାଇଥିଲା !

ବିଗତ ଦିନରେ ମାଫିଆ ମୁକ୍ତତାର ଅନସାରୀଙ୍କୁ ପଞ୍ଜାବରୁ ଆଣିବା ସମୟରେ ଉତ୍ତର ପ୍ରଦେଶର ବାନ୍ଦା ଜେଲକୁ ଅଣାଯିବା ସମୟରେ ବ୍ୟାପକ ବନ୍ଦୋବସ୍ତ କରିଥିବା ବେଳେ ଓଡ଼ିଶା ରାଜ୍ୟର କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ ସମ୍ବଲପୁରରୁ କଟକ ନିଆଯିବା ସମୟରେ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ମାତ୍ର ଜଣେ ହାବିଲଦାର ଓ ୫ ଜଣ କନେଷ୍ଟବଳଙ୍କ ହାତରେ ରାସ୍ତାରେ ପଡୁଥିବା ଜିଲା ଗୁଡିକର ପୁଲିସ କିମ୍ବା କଟକ କମିଶନରେଟ ପୁଲିସକୁ ବିନା ସୂଚନା ଦିଆଯାଇ ପଠାଇ ଦିଆ ଯାଇଥିବାର କୁହାଯାଉଛି। ସାଧାରଣତଃ ହାଇଦର ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ ସ୍ଥାନ ପରିବର୍ତ୍ତନ ସମୟରେ ଦାୟିତ୍ୱବାନ ଦକ୍ଷ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯିବା ସମେତ କଡା ପୁଲିସ ସୁରକ୍ଷାର ବନ୍ଦୋବସ୍ତ କରାଯାଇଥାଏ। କିନ୍ତୁ ସମ୍ବଲପୁର ପୁଲିସ ଏଭଳି କୌଣସି ବ୍ୟବସ୍ଥା ନ କରି ସମ୍ପୁର୍ଣ୍ଣ ଢ଼ିଲା ସୁରକ୍ଷାରେ ଛଡା ଯାଇଥିବାରୁ ହାଇଦର ଫେରାର ହେବାର ସୁଯୋଗ ପାଇଥିଲା ବୋଲି କୁହାଯାଉଛି।
ତଳିଆ କର୍ମଚାରୀଙ୍କ ଉପରେ ଅଠା ବୋଳିବାର ପ୍ରୟାସ !
ସାଧାରଣତଃ ଏଭଳି ମାମଲାରେ ତଳିଆ କର୍ମଚାରୀଙ୍କ ଉପରେ ସବୁ ଦୋଷ ଲଦି ଉପରିସ୍ଥ ଅଧିକାରୀ ମାନେ ଖସି ଯାଇଥାନ୍ତି, ଠିକ ସେହି ନିତିରେ କାର୍ଯ୍ୟ ଚାଲିଥିବାର ଜଣାପଡ଼ିଛି। ହାଇଦର ଫେରାର ମାମଲାରେ ଧିରେ ଧିରେ ସମ୍ବଲପୁର ପୁଲିସର ଗୁମର ଫିଟୁଥିବା ବେଳେ ଏହି ମାମଲାରେ ୬ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ତେବେ ଭୁଲ ଲୁଚାଇବାକୁ ଆହୁରୀ କିଛି ତଳିଆ କର୍ମଚାରୀଙ୍କ ଉପରେ ବିଫଳତାର ଅଠା ବୋଳିବାର ପ୍ରୟାସ ଚାଲୁଥିବାର ଜଣାପଡ଼ିଛି। ଏହି ଘଟଣାକୁ ନେଇ ପୁଲିସ ମୁଖ୍ୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏବେ ତଳିଆ କର୍ମଚାରୀଙ୍କ ଉପରେ ଅଠା ବୋଳିବାକୁ ଚେଷ୍ଟା ଚାଲିଛି। ଗ୍ୟାଙ୍ଗଷ୍ଟାରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ସର୍ବନିମ୍ନ ଗାଇଡ ଲାଇନକୁ ମଧ୍ୟ ପାଳନ କରାଯାଇ ନ ଥିବାର ପ୍ରାଥମିକ ବିଭାଗୀୟ ଯାଞ୍ଚରୁ ଜଣାପଡ଼ିଥିବା ବେଳେ ଦାୟିତ୍ୱବାନ ଉପରିସ୍ଥ ଅଧିକାରୀ ମାନେ ନିଜର ଦୋଷକୁ ଲୁଚାଇ ତଳିଆ କର୍ମଚାରୀଙ୍କ ଉପରେ ପକାଇବାକୁ ଉଦ୍ୟମ କରୁଥିବାର କୁହାଯାଉଛି।
ସନ୍ଦେହ ଘେରରେ ଜେଲ କତ୍ତୃପକ୍ଷ
ସମ୍ବଲପୁର ଜେଲରେ କଏଦୀ ମାନଙ୍କୁ ଅନୈତିକ ଭାବରେ ବ୍ୟାପକ ସୁବିଧା ଯୋଗାଇ ଦିଆଯାଉଥିବାର ଅଭିଯୋଗର ନଜୀର ରହିଛି। ବିଗତ ଦିନରେ ଏଭଳି ଏକ କଏଦୀକୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେବାକୁ ନେଇ ହୋଇଥିବା ଗଣ୍ଡୋଗଳରେ ଜେଲ କର୍ମଚାରୀଙ୍କ ମଧ୍ୟରେ ମାଡପିଟ ହୋଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା ଏବଂ ଜଣେ କର୍ମଚାରୀ ଗିରଫ ମଧ୍ୟ ହୋଇଥିଲେ। ସାମାନ୍ୟ କଏଦୀ ଜଣେକୁ ଯଦି ଏଭଳି ସୁବିଧା ଯୋଗାଇ ଦିଆଯାଉଛି, ତାହା ହେଲେ ଜଣେ ଗ୍ୟାଙ୍ଗଷ୍ଟାରକୁ କିଭଳି ସୁବିଧା ଯୋଗାଇ ଦିଆଯାଉଥିବା ତାହା ସହଜେ ଅନୁମେୟ। ଏହି ଘଟଣାରେ ପୁଲିସ ବିଭାଗ ପକ୍ଷରୁ ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ଜେଲ କତ୍ତୃପକ୍ଷ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିବାର ଜଣାପଡ଼ି ନାହିଁ।

Comments are closed.