ବର୍ଷକୁ ୨ଥର କୃଷି ହାକାଥନ୍‍ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭାରତୀୟ ସମାଜର ପାରମ୍ପରିକ ଜ୍ଞାନ ସହ ପ୍ରଯୁକ୍ତିବିଦ୍ୟାକୁ ସାମିଲ କରି ସେଥିରେ ଯୁବଗୋଷ୍ଠୀଙ୍କ କୌଶଳର ମିଶ୍ରଣ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା କୃଷି ସ୍ନାତକମାନେ ଭାରତୀୟ କୃଷି ପ୍ରଗତିକୁ ଗ୍ରାମାଞ୍ଚଳରେ ମଧ୍ୟ ସାକାର କରିପାରିବେ ବୋଲି ସେ କହିଛନ୍ତି। ଭାରତୀୟ କୃଷି ଗବେଷଣା ପରିଷଦ (ଆଇ.ସି.ଏ.ଆର୍‍)ର ଦେଶରେ କୃଷି ଗବେଷଣା, ସଂପ୍ରସାରଣ ଓ ଶିକ୍ଷା କାର୍ଯ୍ୟକ୍ରମ ପ୍ରଗତି ସଂପର୍କରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି କୃଷିବିଜ୍ଞାନ ଶିକ୍ଷା ଓ ଗବେଷଣା ବ୍ୟବସ୍ଥାକୁ କୃଷି ଜଳବାୟୁ ଆବଶ୍ୟକତା ସହିତ ଅନୁରୂପ ଭାବେ ସୁସଂହତ କରାଯିବା ଆବଶ୍ୟକ। କୃଷକମାନଙ୍କ ଉତ୍ପାଦକୁ ବଜାରରେ ପହଞ୍ଚାଇବା ଲାଗି ଉତ୍ତମ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ। ଏହାଦ୍ୱାରା ସେମାନଙ୍କର ଉତ୍ପାଦ ଅନ୍ତରାଷ୍ଟ୍ରୀୟ ମାନଯୁକ୍ତ ହୋଇପାରିବା ସହ ଉପାର୍ଜନ ବୃଦ୍ଧି ପାଇବ। ଏହି ପରିପ୍ରେକ୍ଷୀରେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ’ ନାମକ ଏକ ଆପ୍‍ର ବିକାଶ କରାଯାଇଛି। ମୋଦୀ କହିଛନ୍ତି କ୍ଲଷ୍ଟର ଆଧାର ଫର୍ମୁଲାରେ ଏବେ ଜୈବ ଓ ପ୍ରାକୃତିକ ପଦ୍ଧତିରେ କୃଷିକାର୍ଯ୍ୟ କରାଯିବା ଉଚିତ।

ଆଇ.ସି.ଏ.ଆର.ଏବେ ଏଥିଲାଗି ପ୍ରସ୍ତୁତ କରିଥିବା ଏକ ଅର୍ଗାନିକ୍‍ କାର୍ବନ୍‍ ମ୍ୟାପ୍‍ ଅଫ୍‍ ଇଣ୍ଡିଆରେ ୮୮ଟି ଜୈବ ନିୟନ୍ତ୍ରିତ ଏଜେଣ୍ଟ ଓ ୨୨ଟି ଜୈବ କୀଟନାଶକ ଚିହ୍ନଟ କରାଯାଇଛି। ଏହାଦ୍ୱାରା ଜୈବ କୃଷିକୁ ପ୍ରୋତ୍ସାହନ ମିଳିବା ସହ ଏହାର ବିକାଶ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଷ୍ଟାର୍ଟ୍‍ଅପ୍‍ ଓ କୃଷି ଉଦ୍ୟୋଗୀଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ, ଯାହାଦ୍ୱାରା ସେମାନେ ଅଭିନବ ଉପାୟ ସୁନିଶ୍ଚିତ କରିପାରିବେ ଏବଂ କୃଷି ତଥା ଅନ୍ୟାନ୍ୟ ସଂପର୍କିତ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ କରିପାରିବେ। ସେହିଭଳି କୃଷକମାନଙ୍କ ସମସ୍ୟାଗୁଡ଼ିକର ସମାଧାନ ଲାଗି ବର୍ଷକୁ ଦୁଇଥର ହାକାଥନ୍‍ର ଆୟୋଜନ କରିବା ଉପରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ସେମାନଙ୍କ ଉପକରଣ ସଂପର୍କିତ ଡିଜାଇନ୍‍ର ଆବଶ୍ୟକତା ଓ ଉପକରଣ ଉପଲବ୍ଧ ହୋଇପାରିବ। କୃଷିକ୍ଷେତ୍ରରେ ବିଶେଷକରି ଅଧିକ ମହିଳା କାର୍ଯ୍ୟରତ ଥିବାରୁ ଏ ଦିଗରେ ପ୍ରୟାସ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, କୃଷକମାନଙ୍କୁ ଯେଭଳି ଉତ୍ତମ ଫସଲ ଓ ଲାଭ ମିଳିପାରିବ, ସେ ଦିଗରେ ଆବଶ୍ୟକତାକୁ ପୂରଣ କରାଯିବା ଆବଶ୍ୟକ। କରନ୍‍-ଫୋର୍‍ କିଷମ ଆଖୁର ବିକାଶ ହେବା ପରେ ଚିନି ଉତ୍ପାଦନ ବୃଦ୍ଧି ହୋଇଛି। ତେଣୁ ଉତ୍ତରପ୍ରଦେଶରେ ପାରମ୍ପରିକ କିଷମର ଆଖୁ ଚାଷ କରୁଥିବା ଚାଷୀମାନେ ଏବେ ଏହି କରନ୍‍-ଫୋର୍‍ କିଷମର ଆଖୁ ଚାଷ କରୁଛନ୍ତି। ଆଖୁ ଏବଂ ଅନ୍ୟାନ୍ୟ କୃଷି ଉତ୍ପାଦରୁ ବାୟୋ ଇଥାନଲ୍‍ ଉତ୍ପାଦନ ବୃଦ୍ଧି ଉପରେ ସେ ଗୁରୁ୍‍ତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ଶୀତଲହରୀ, ଅତ୍ୟଧିକ ବୃଷ୍ଟିପାତ ଭଳି ଜଳବାୟୁ ପରିବର୍ତ୍ତନ ଲାଗି କୃଷକମାନଙ୍କର ଜୀବିକା କ୍ଷତିଗ୍ରସ୍ତ ହେଉଛି। ଏଥିଲାଗି ସମନ୍ୱିତ କୃଷି ପ୍ରଣାଳୀର ବିକାଶ କରାଯାଇଛି, ଯଦ୍ୱାରା ଏଭଳି ଜଳବାୟୁ କୁପ୍ରଭାବ ଜନିତ କ୍ଷତିକୁ ଭରଣା କରାଯାଇ ପାରିବ। ସେହିଭଳି ଜଳ ବ୍ୟବହାରକୁ ଅଧିକ ସକ୍ଷମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆଉଟ୍‍ ରିଚ୍‍ କାର୍ଯ୍ୟକ୍ରମ ସଂପାଦନ କରାଯିବା ସହ କୃଷକମାନଙ୍କୁ ଏଥିଲାଗି ସଚେତନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Comments are closed.