ବିବାଦରେ ୬ ଧର୍ମପୀଠ

ନୂଆଦିଲ୍ଲୀ : ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ ମାମଲାର ସମାଧାନ ପରେ ଏବେ ଜ୍ଞାନବାପୀ ମସ୍‌ଜିଦ-ଶ୍ରୀଙ୍ଗାର ଗୌରୀ ବିବାଦର ବିଚାର ଜାରି ରହିଛି। ମଥୁରାର କୃଷ୍ଣ ଜନ୍ମଭୂମି ମାମଲାର ମଧ୍ୟ ବିଚାର ଚାଲିଛି। ଏଥିସହିତ କୁତବ ମିନାର, ଜାମା ମସ୍‌ଜିଦକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଛି। ସମ୍ପ୍ରତି ଏମିତି ଏକାଧିକ ମନ୍ଦିର-ମସ୍‌ଜିଦ ବିବାଦ ନ୍ୟାୟାଳୟର କବାଟ ବାଡ଼େଇଲାଣି। ମୋଗଲ ଶାସନ ସମୟରେ ଦ୍ବାଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ବହୁ ମନ୍ଦିର ଭଙ୍ଗାଯାଇ ମସ୍‌ଜିଦ ଓ ଦରଘା ନିର୍ମାଣ ହୋଇଥିବାର ଅଭିଯୋଗ ଫର୍ଦ ଲମ୍ବିଚାଲିଛି। ମୌଲାନା ହକିମ ସୟିଦ ଅବଦୁଲ ହାଇଙ୍କ ଦ୍ବାରା ପୁସ୍ତକରେ ଏଭଳି ୬ଟି ବିବାଦ ସ୍ଥାନ ପାଇଛି; ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେହିଭଳି ଐତିହାସିକ ରାମ ସିଂହ ଗୋୟଲଙ୍କ ଲିଖିତ ‘ହିନ୍ଦୁ ଟେମ୍ପୁଲ୍ସ: ହ୍ବାଟ ହାପେନ୍‌ଡ ଟୁ ଦେମ୍‌’ରୁ ମଧ୍ୟ ଏ ସଂକ୍ରାନ୍ତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ୧୮୦୦ ମୁସଲମାନ ପୀଠ ଅନୁଧ୍ୟାନ କରିବା ପରେ ସବୁଗୁଡ଼ିକ ମନ୍ଦିରର ଭଗ୍ନାବଶେଷରେ ନିର୍ମିତ ହୋଇଥିବା ସେ ଲେଖିଛନ୍ତି। ଏଥିମଧ୍ୟରେ ଅଯୋଧ୍ୟା ରାମ ଜନ୍ମଭୂମି, ବାରାଣସୀର ଜ୍ଞାନବାପୀ ମସ୍‌ଜିଦ, ଦିଲ୍ଲୀର କୁତବ ମିନାର, ମଥୁରାର କୃଷ୍ଣ ଜନ୍ମଭୂମି, ଆଲ୍ଲାହାବାଦର ଫୋର୍ଟ ଅଫ ଆକବର, ଗୁଜରାତର ରୁଦ୍ର ମହାଳୟା, ମଧ୍ୟ ପ୍ରଦେଶର ଭୋଜଶାଳା, ଆନ୍ଧ୍ର ପ୍ରଦେଶର କାଦିରି ଓ ଅନନ୍ତପୁର ତଥା ଶେର୍‌ ଶାହା ମସ୍‌ଜିଦ, ପଶ୍ଚିମବଙ୍ଗର ଆଦିନା ମସ୍‌ଜିଦ, ଅହମ୍ମଦାବାଦର ଭଦ୍ରକାଳୀ ମନ୍ଦିର ଆଦି ରହିଛି। ଫୋର୍ଟ ଅଫ ଆକବର ନିର୍ମାଣ ପାଇଁ ଏକାଧିକ ବନ୍ଦିର ଭଙ୍ଗାଯାଇଛି। ପଥର ମହଲାସ୍ଥିତ ଲକ୍ଷ୍ମୀ-ନାରାୟଣ ମନ୍ଦିରକୁ ମଧ୍ୟ ମସ୍‌ଜିଦରେ ପରିଣତ କରାଯାଇଥିବା ଏଥିରେ ଦାବି କରାଯାଇଛି।

ଜ୍ଞାନବାପୀ ମସଜିଦ ସର୍ବେକ୍ଷଣ ରିପୋର୍ଟ ଦାଖଲ

ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଜାରି, ବାରାଣସୀ ଅଦାଲତରେ ୨୩କୁ ସ୍ଥଗିତ,‘ମସ୍‌ଜିଦ ପରିସରରୁ ମିଳିଛି ଶେଷନାଗ ଫଣା, ଡମ୍ବରୁ, ତ୍ରିଶୂଳ’

ନୂଆଦିଲ୍ଲୀ: ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ବାରାଣସୀ ନିମ୍ନ ଅଦାଲତଙ୍କୁ କୌଣସି ନିଷ୍ପତ୍ତି ନ ଶୁଣାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ଶୁଣାଣି ଶୁକ୍ରବାର ଜାରି ରହିବ ବୋଲି ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ପି.ଏସ୍‌ ନରସିଂହଙ୍କୁ ନେଇ ଗଠିତ ପୀଠ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବାରାଣସୀ ଅଦାଲତ ମାମଲାର ଶୁଣାଣି ଆସନ୍ତା ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ହିନ୍ଦୁ ପକ୍ଷଙ୍କ ଓକିଲ ହରିଶଙ୍କର ଜୈନ୍‌ଙ୍କ ଅସୁସ୍ଥତା ଯୋଗୁଁ ବିଚାରପତି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ନିମ୍ନ ଅଦାଲତରେ ଶୁଣାଣିବେଳେ ହିନ୍ଦୁପକ୍ଷ ମସ୍‌ଜିଦର କିଛି ଅଂଶ ଭାଙ୍ଗି ଅଧିକ ସର୍ବେକ୍ଷଣ କରାଇବାକୁ ଦାବି କରିଥିଲେ। ମୁସଲମାନ ପକ୍ଷ ଏହାର ବିରୋଧ ପୂର୍ବକ ଏକ ସତ୍ୟପାଠ ଦାଖଲ କରିଥିଲେ। କିଛି କାନ୍ଥ ଭାଙ୍ଗିବା ଦ୍ବାରା ମସ୍‌ଜିଦ ଭୁଶୁଡ଼ି ପଡ଼ିବ ବୋଲି ଏହାର ପରିଚାଳନା କମିଟି ଦର୍ଶାଇଥିଲେ। ଏମିତି କି ହିନ୍ଦୁପକ୍ଷ ମସ୍‌ଜିଦ ଉଜୁଖାନାରେ ଥିବା ମାଛଗୁଡ଼ିକୁ ବାହାର କରିବା ପାଇଁ ଦାବି କରିବାରେ ମୁସଲମାନ ପକ୍ଷ ଏହାର ବିରୋଧ କରିଥିଲେ। ମାଛ ସେମାନଙ୍କର ହୋଇଥିବାରୁ ହିନ୍ଦୁମାନେ ଏହାକୁ ବାହାର କରିବାକୁ କହିପାରିବେ ନାହିଁ ବୋଲି ସେମାନେ ଦର୍ଶାଇଥିଲେ। ଅନ୍ୟପକ୍ଷରେ ମସ୍‌ଜିଦର ସର୍ବେକ୍ଷଣ ପାଇଁ ଅଦାଲତ ଦ୍ବାରା ନିଯୁକ୍ତ ସ୍ବତନ୍ତ୍ର କମିସନ୍‌ ଗୁରୁବାର ତାଙ୍କ ରିପୋର୍ଟ ବାରାଣସୀ ଅଦାଲତରେ ଦାଖଲ କରିଛନ୍ତି। କମିସନ୍‌ ମୁଖ୍ୟ ବିଶାଳ ସିଂହ ତିନିଟି ମୁଦଦିଆ ପ୍ୟାକେଟ୍‌ରେ ଭର୍ତ୍ତି ରିପୋର୍ଟ ଓ ଭିଡିଓ ଦାଖଲ କରିଛନ୍ତି। ଏଥିରେ ଭିଡିଓଗ୍ରାଫି ଚିପ୍‌ ମଧ୍ୟ ରହିଛି। ଗତ ୧୪ରୁ ୧୬ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ କରାଯାଇଥିବାବେଳେ ରିପୋର୍ଟ ୧୭ରେ ଦାଖଲ ହେବାର ଥିଲା; କିନ୍ତୁ ଅଦାଲତ ଏଥିପାଇଁ ଦୁଇ ଦିନ ମହଲତ ଦେଇଥିଲେ। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମସ୍‌ଜିଦ ପରିସରରେ ଠାବ ହୋଇଥିବା ତଥାକଥିତ ଶିବଲିଙ୍ଗର ସୁରକ୍ଷା ସହ ମୁସଲମାନଙ୍କୁ ନାମଜ ପାଠ ସୁଯୋଗ ଦେବାକୁ ନିର୍ଦେଶ ଦେଇଥିଲେ।
ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌ରେ ଭିଡିଓ ସର୍ବେକ୍ଷଣ ସମୟରେ ଶିବଲିଙ୍ଗ ଠାବ ହୋଇଥିବା ପ୍ରଘଟ ପରେ ଏବେ ଆହୁରି ଅନେକ ତଥ୍ୟ ଲୋକଲୋଚନାକୁ ଆସିବାରେ ଲାଗିଛି। ସର୍ବେକ୍ଷଣରେ ସାମିଲ ଥିବା ହିନ୍ଦୁ ପକ୍ଷର ଓକିଲ ଅଜୟ ମିଶ୍ର ଗୁରୁବାର ଦାବି କରିଛନ୍ତି ଯେ ସର୍ବେକ୍ଷଣବେଳେ କିଛି ଦେବଦେବୀଙ୍କର ଭଗ୍ନ ମୂର୍ତ୍ତି ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ଶେଷନାଗଙ୍କର ଭଗ୍ନ ଫଣା, ତ୍ରିଶୂଳ, ଡମ୍ବରୁ, ପଦ୍ମ ଅଦି ରହିଛି। ଏତଦ୍‌ ବ୍ୟତୀତ ଯେଉଁ ଭଗ୍ନ ପଥର ଖଣ୍ଡ ବାହାରିଛି ସେଗୁଡ଼ିକ ମନ୍ଦିରର ଅଂଶବିଶେଷ। ଏଗୁଡ଼ିକ ଅନ୍ୟୂନ ୫୦୦ରୁ ୬୦୦ ବର୍ଷ ତଳର ବୋଲି ସେ କହିଛନ୍ତି। ବାରାଣସୀ ଅଦାଲତ ଦ୍ବାରା ଗଠିତ ସ୍ବତନ୍ତ୍ର କମିସନର ବିଶାଳ ସିଂହ ମଧ୍ୟ ଏହାକୁ ଏକପ୍ରକାର ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ମସ୍‌ଜିଦ ପରିସରରୁ ଉଦ୍ଧାର ସାମଗ୍ରୀ ସନାତନ ଧର୍ମର ପ୍ରତୀକ। ପଦ୍ମ, ଡମ୍ବରୁ, ତ୍ରିଶୂଳ ଆଦି ସନାତନ ଧର୍ମର ଅଂଶବିଶେଷ ମସ୍‌ଜିଦର ନିମ୍ନାଂଶରୁ ଠାବ ହୋଇଛି। ଏ ସଂକ୍ରାନ୍ତ ରିପୋର୍ଟ ସେ ଅଦାଲତରେ ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କମିସନ ସର୍ତ୍ତାବଳୀ ଉଲ୍ଲଙ୍ଘନ ତଥା ସର୍ବେକ୍ଷଣ ତଥ୍ୟ ପ୍ରଘଟ ଅଭିଯୋଗରେ ଅଦାଲତ ଅଜୟ ମିଶ୍ରଙ୍କୁ କମିସନ୍‌ରୁ ବରଖାସ୍ତ କରିଛନ୍ତି। ସେ ଜଣେ ଘରୋଇ କ୍ୟାମେରାମ୍ୟାନ୍‌ଙ୍କ ଜରିଆରେ ସର୍ବେକ୍ଷଣ ସମୟର ଚିତ୍ର ଉତ୍ତୋଳନ କରି ଏହାର ପ୍ରଘଟ କରିଥିବା ପ୍ରକାଶ। ଏହି ପରିପ୍ରେକ୍ଷୀରେ ସେ ପ୍ରଶାସନ ବିରୋଧରେ ଅଭିଯୋଗ କରିଛନ୍ତି।

Comments are closed.