ଜ୍ଞାନ ଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆ ସାହି ପଞ୍ଚାୟତ ଅଧିନ ବଳରାମପୁର ଠାରେ ପ୍ରତିଷ୍ଠିତ ହରିବାବା ଛାତ୍ର ମଙ୍ଗଳ ଦାତବ୍ୟ ସଂସ୍ଥା ଆନୁକୁଲ୍ୟରେ ସୋମବାର ମେଧାବୀ ବିଦ୍ୟାର୍ଥୀଙ୍କୁ ଜ୍ଞାନ ଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ଗତ ମାଟ୍ରିକ ପରୀକ୍ଷାରେ ନଦୀକୂଳ ଅଞ୍ଚଳର ସର୍ପେଶ୍ୱର ବିଦ୍ୟାପୀଠ ଓ ବିଶ୍ୱେଶ୍ୱର ପ୍ରକଳ୍ପ ହାଇସ୍କୁଲରେ ମାଟ୍ରିକ ପରୀକ୍ଷାରେ ଏ-୨, ବି-୧ ଓ ବି-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ୪୫ଜଣ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କୁ ଏହି ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସାଧୁ ଗଦାଧର ଦାସଙ୍କ ପୃଷ୍ଠପୋଷକତାରେ ଓ ଶିକ୍ଷାବିତ୍‍ ଶ୍ୟାମସୁନ୍ଦର ବାରିକଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଆୟୋଜିତ ସଭାକୁ ସାଧାରଣ ସଂପାଦକ ଶିକ୍ଷାବିତ୍‍ ଶ୍ରୁତିଧର ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ଶିକ୍ଷାବିତ୍‍ ସୁରେଶ ଚନ୍ଦ୍ର ପଣ୍ଡା, ରାଜକିଶୋର ପଣ୍ଡା, ବିଷ୍ଣୁଚରଣ ସାହୁ, ଫକିର ଚରଣ ପାଣି ଓ ପ୍ରଧାନ ଶିକ୍ଷୟିତ୍ରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ କେବଳ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ନୁହେଁ ବରଂ ଜ୍ଞାନ ଆହରଣ ପାଇଁ ପଢିବା ଉଚିତ୍‍ ବୋଲି ମତବ୍ୟକ୍ତ କରିଥିଲେ । ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି, ଆଦର୍ଶ ସମାଜ ଓ ଜାତି ଗଠନ ଦିଗରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେମାନେ ମତପ୍ରକାଶ କରିଥିଲେ। ପ୍ରଗାଢ ନିଷ୍ଠା ଓ ଗଭୀର ଆତ୍ମବିଶ୍ୱାସ ସଫଳତାର ଚାବିକାଠି ବୋଲି ସଭାପତି ଶ୍ୟାମସୁନ୍ଦର ବାରିକ ଓ ସଂପାଦକ ଶ୍ରୁତିଧର ପ୍ରଧାନ ମତପୋଷଣ କରିଥିଲେ। ବନବିହାରୀ ଦାସ, ଗଣେଶ୍ୱର ସାହୁ ଜିତେନ୍ଦ୍ରନାଥ ମହାନ୍ତି ପ୍ରାରମ୍ଭରେ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଭଜନ ପରିବେଷଣ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ୍‍ ଧରଣୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.