ଗୁରୁପ୍ରିୟା ସେତୁ ଲୋକାର୍ପିତ

0

ମାଲକାନଗିରି: ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁକୁ ଗୁରୁବାରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସେତୁକୁ ରାଜ୍ୟବାସୀଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି। ଏହାପରେ  ମାଲକାନଗିରି ଚିତ୍ରକୋଣ୍ଡାର ୧୫୧ଟି ଗାଁ ବାହ୍ୟ ଜଗତ ସହ ଯୋଡି ହୋଇଛନ୍ତି। ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ୟଧାରାରେ ଯୋଡି ହେବାପାଇଁ ଏହି ଅବସରରେ  ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ହିଂସା ଠାରୁ ଦୂରରେ ରହିବା ମାଓବାଦୀଙ୍କ ପାଇଁ ରାଜ୍ୟ ଓ ଜନତାଙ୍କ ନିମନ୍ତେ ଭଲ ହେବ ବୋଲି କହିଛନ୍ତି। ଏହି ଅବସରରେ ବିଛିନ୍ନାଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି ।ହିଂସାର ରାସ୍ତା ସର୍ବଦା ବିପଦ ଆଡକୁ ନେଇଥାଏ ବୋଲି ମଧ୍ୟ କହିଛନ୍ତି।
ରାଜ୍ୟରେ ମାଓବାଦୀଙ୍କ ଗତିବିଧି ଉପରେ ନିୟନ୍ତ୍ରଣ ରହିଥିଲେ ମଧ୍ୟ ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ନୂଆପଡା ଓ ରାୟଗଡା ପରି କିଛି ଜିଲାରେ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ବିକାଶ ପାଇଁ ମାଓବାଦୀମାନେ ହିଂସାର ରାସ୍ତା ଛାଡିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗୁରୁପ୍ରିୟା ସେତୁ ଲୋକାର୍ପଣ ଦ୍ୱାରା ମାଲକାନଗିରିର ନଅଟି ପଞ୍ଚାୟତର ୧୫୧ଟି ଗ୍ରାମ ମୁଖ୍ୟଧାରାରେ ଯୋଡି ହୋଇଯିବେ। ଏହି ଗ୍ରାମରେ ପାଖାପାଖି ୩୦ହଜାରରୁ ଅଧିକ ଲୋକ ବାସ କରୁଥିବା କୁହାଯାଇଛି। ଗ୍ରାମର ସମସ୍ତ ଲୋକ ଡଙ୍ଗା ଦ୍ୱାରା ଯାତାୟତ କରୁଥିଲେ। ମାଓବାଦୀଙ୍କ ଦମନ ନିମନ୍ତେ ସୈନ୍ୟମାନେ ଡଙ୍ଗା ଦ୍ୱାରା ଯାଉଥିଲେ।
ମୋଟ ୯୧୦ମିଟର ଲମ୍ବା ବିଶିଷ୍ଟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ୧୭୨କୋଟି ୫୮ ଲକ୍ଷଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏହି ସେତୁ ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥିଲା। ଯାନ୍ତ୍ରୀକ ସମସ୍ୟା ପାଇଁ ଏହାର ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ବାଲିମେଳାର ଜଳସ୍ତର ଯୋଗୁ ଏହାର ଡିଜାଇନରେ ପରିବର୍ତ୍ତନ କରାଯାଇଥିଲା। ଅଧିକ ବର୍ଷା, ମାଓବାଦୀଙ୍କ ହିଂସା ଓ ଠିକାଦାରମାନଙ୍କୁ ଧମକ ମିଳିବା ଦ୍ୱାରା ଏହି ସେତୁ ନିର୍ମାଣରେ ବିଳମ୍ବ ହୋଇଥିଲା। 

Leave A Reply