ସ୍ୱାମୀ ଦୟାନନ୍ଦ ସର୍ଭିସ୍‍ ମିଶନ ପକ୍ଷରୁ ଗୁରୁପ୍ରଣାମ ସମ୍ମାନ

ଭୁବନେଶ୍ୱର : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜର ସହଯୋଗୀ ସଂଗଠନ ସ୍ୱାମୀ ଦୟାନନ୍ଦ ସର୍ଭିସ୍‍ ମିଶନ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଦିଆଯାଉଥିବା ‘ଗୁରୁପ୍ରଣାମ ସମ୍ମାନ – ୨୦୨୧’ ବର୍ଷ ପାଇଁ ରଚନାତ୍ମକ କର୍ମୀ ବିନୋବା ନ୍ୟାସର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ବିରଜା ଦାସ, କନକଲତା ବଂଶୀଧର ସମ୍ମାନ ଅଧ୍ୟାପକ ରମାକାନ୍ତ ଜେନା, ଭଗବାନ ନଟବର ସ୍ମୃତି ସମ୍ମାନ ନିଖିଳୋତ୍କଳ ନୀଳାଚଳ ପାଲା ଗାୟକ ସଂଘର ସଭାପତି ପାଲାଚାର୍ଯ୍ୟ ଶ୍ରୀ ମଦନମୋହନ ଜେନା ଓ ସାବିତ୍ରୀ ଯଶୋଦା ସ୍ମୃତି ସମ୍ମାନ ବିଶିଷ୍ଟ ଶିକ୍ଷାବିତ୍‍ ଡଃ ବିଶ୍ୱନାଥ ରଥଙ୍କୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ସଭ୍ୟ ଭାବେ ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଡଃ ଯୁଧିଷ୍ଠିର ଖଟୁଆ ଓ ଶ୍ରୀମତୀ ଚିତ୍ରଲେଖା ମହାନ୍ତି ସଦସ୍ୟ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମାଜରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ସଂସ୍କୃତ ଓ ଶିକ୍ଷା ତଥା ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଏହି ସମ୍ମାନ ଆଜକୁ ୧୮ ବର୍ଷ ହେବ ଦିଆହୋଇ ଆସୁଛି। ପୂର୍ବ ବର୍ଷମାନଙ୍କରେ ପଦ୍ମଶ୍ରୀ ଡଃ ପ୍ରତିଭା ରାୟ, ଅଧ୍ୟାପିକା ଶ୍ରୀମତୀ ମନୋରମା ମହାପାତ୍ର, ପ୍ରଫେସର ଗୌରୀ କୁମାର ବ୍ରହ୍ମା, ଗୁରୁ ଗଙ୍ଗାଧର ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ମହାରଣା, ବୃନ୍ଦାବନ ସିଂହ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଫେସର ଡଃ ଗିରିଶବାଳା ମହାନ୍ତି, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ପ୍ରଫେସର ଡଃ ଦିନବନ୍ଧୁ ମିଶ୍ର ପ୍ରମୁଖଙ୍କୁ ଏହି ସମ୍ମାନ ଦିଆଯାଇଛି। ଏହି ସମ୍ବର୍ଦ୍ଧନା ୨୦୨୧ ମସିହା ଜାନୁଆରୀ ୬ ତାରିଖରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ପ୍ରଦାନ କରାଯିବ ବୋଲି ଡଃ ଜ୍ଞାନେନ୍ଦ୍ରଙ୍କ ସୂତ୍ରରୁ ପ୍ରକାଶ।

Comments are closed.