‘ମାନବସେବାକୁ ମାଧବସେବା ଭାବେ ସମର୍ପି ଦେଇଥିଲେ ଗୋପବନ୍ଧୁ’

0

ଗୁରୁଡ଼ିଝାଟିଆ: ଲୋକସେବକ ମଣ୍ଡଳର ବରିଷ୍ଠ କର୍ମକର୍ତ୍ତା ଶନିବାର ପୂର୍ବାହ୍ଣରେ ମାଧବପୁରସ୍ଥିତ ଜିମ୍‍ସାର ପରିଦର୍ଶନ କରିଛନ୍ତି। ଲୋକସେବକ ମଣ୍ଡଳର ଉପସଭାପତି କୀର୍ତ୍ତିଭାଇ ପାଣ୍ଡିଆ, ବରିଷ୍ଠ ସଦସ୍ୟ ତଥା ଦିଲୀ ଶାଖା ସଭାପତି ଶ୍ରୀ ରାଜକୁମାର, ତାଙ୍କ ସହଧର୍ମିଣୀ କାନ୍ତା ଚୋପ୍ରା, କାର୍ୟ୍ୟାଳୟ ଅଧୀକ୍ଷକ କ୍ଷମଚାନ୍ଦ ପ୍ରମୁଖ ଜିମ୍‍ସାର ପରିଦର୍ଶନ କରିବା ସହ ଚିକିତ୍ସାଳୟର ରୋଗୀସେବା ପ୍ରକୋଷ୍ଠ, ନିଦାନ ପରୀକ୍ଷାକେନ୍ଦ୍ର, ରଞ୍ଜନରଶ୍ମି ବିଭାଗ, ଅଲ୍‍ଟ୍ରାସାଉଣ୍ଡ୍‍, ଅସ୍ତ୍ରୋପଚାର ପ୍ରକୋଷ୍ଠ ଆଦି ବୁଲି ଦେଖିଥିଲେ। ସେହିପରି ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ର, ଔଷଧୀୟ ବଗିଚା ଓ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକଗୃହର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପରେ ଗୋପବନ୍ଧୁ ନର୍ସିଂ କଲେଜରେ ଆୟୋଜିତ ଏକ ସଭାରେ ଯୋଗଦେଇ ଶ୍ରୀ ପାଣ୍ଡିଆ କହିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନୀତି, ଆଦର୍ଶରେ ଗଢ଼ି ଉଠିଥିବା ଏହି ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ନର୍ସିଂ ବିଦ୍ୟାର୍ଥୀ ଭାଗ୍ୟବାନ୍‍। ନର୍ସିଂ ବିଦ୍ୟାର୍ଥୀମାନେ ସମର୍ପିତ ଭାବନା ନେଇ ରୋଗୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କଲେ ତାହା ବାସ୍ତବରେ ଗୋପବନ୍ଧୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ସେବାକୁ ଅର୍ଥ ସହ କେବେବି ତୁଳନା କରାଯାଇପାରିବ ନାହିଁ ବୋଲି ସେ କହିଥିଲେ। ପ୍ରତିଷ୍ଠାନର ଅଗ୍ରଗତିରେ ଶ୍ରୀ ପାଣ୍ଡିଆ ସନ୍ତୋଷବ୍ୟକ୍ତ କରି ଏଥିପାଇଁ ଅନୁଷ୍ଠାନର ସଭାପତି ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କୁ ସାଧୁବାଦ ଜଣାଇଥିଲେ।
ପଣ୍ଡିତ ଗୋପବନ୍ଧୁ ଦାସ ମାନବସେବାକୁ ମାଧବ ସେବା ଭାବେ ନିଜକୁ ସମର୍ପି ଦେଇଥିଲେ। ଅଭାବୀ, ଦୁସ୍ଥ ଓ ଅସହାୟ ମଣିଷର ହୃଦୟର ଭାଷାକୁ ବୁଝି ସହାୟତା ପ୍ରଦାନ କରିଥିଲେ। ତାଙ୍କର ନିଷ୍କପଟ, ସରଳ ଜୀବନଶୈଳୀ ଓ ଏକାଗ୍ରତା ପାଇଁ ‘ସମାଜ’ ଖବରକାଗଜ ଆଜି ଏକ ମହାଦ୍ରୁମରେ ପରିଣତ ହୋଇପାରିଛି। ତେଣୁ ପ୍ରତ୍ୟେକ ନର୍ସିଂ ବିଦ୍ୟାର୍ଥୀ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି କାର୍ୟ୍ୟକଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଶ୍ରୀ ରାଜକୁମାର କହିଥିଲେ।
ରାଷ୍ଟ୍ରୀୟ ସମ୍ପାଦକ ତଥା ଜିମ୍‍ସାର ପରିଚାଳନା କମିଟି ସଭାପତି ଶ୍ରୀ ରଥ ସଭାରେ ପୌରୋହିତ୍ୟ କରି ଅତିଥିମାନଙ୍କ ଆଗମନ ଓ ଆର୍ଶୀବାଦ ପ୍ରତିଷ୍ଠାନର କଳେବର ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। ସମାଜସେବିକା ଶ୍ରୀମତୀ ଚୋପ୍ରା ସମ୍ମାନିତଅତିଥି ଏବଂ ଶ୍ରୀ କ୍ଷମଚାନ୍ଦ ଓ ଜିମ୍‍ସାର ପରିଚାଳନା କମିଟି ସମ୍ପାଦକ ବାଳକୃଷ୍ଣ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ନର୍ସିଂ କଲେଜ ଅଧ୍ୟକ୍ଷ ଚିନ୍ନାଚିଦିୟାନ୍‍ ଏନ୍‍. ଧନ୍ୟବାଦ ଦେଇଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପଦ୍ମଚରଣ ଦାସ, ନର୍ସିଂସ୍କୁଲ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Leave A Reply