ଚୋରା ଦେଶୀମଦ ରନ୍ଧନ ଆଡ୍ଡା ଉପରେ ପୁଲିସର ଚଢାଉ : ହଜାର ହଜାର ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : କ୍ରମାଗତ ଭାବରେ ୨ୟ ଦିନ ପାଇଁ ଖୁଣ୍ଟୁଣୀ ପୁଲିସ ଚୋରାଦେଶୀମଦ ରନ୍ଧା ଆଡ୍ଡା ଉପରେ ଚଢାଉ କରିଛି। ହଜାର ହଜାର ଲିଟର ମଦପ୍ରସ୍ତୁତ କରିବା ପାଇଁ ଥିବା ପୋଚକୁ ନଷ୍ଟ କରିଛି। ଆଜି ଭୋରରୁ ଖୁଣ୍ଟୁଣୀ ପୁଲିସ ଚୋରା ଦେଶୀମଦ ରନ୍ଧନ ଆଡ୍ଡା ଉପରେ ଚଢାଉ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲା। ଜଙ୍ଗଲ ଭିତରେ ୬ କିମି ଗଲା ପରେ ଝରଣା କୂଳରେ ଢେଙ୍କାନାଳ ସୀମାକୁ ଲାଗି ୩ଟି ମଦଭାଟି ଉପରେ ଚଢାଉ କରାଯାଇଥିଲା। ମଦ ପ୍ରସ୍ତୁତ ପାଇଁ ଥିବା ବିପୁଳ ପରିମାଣର ପୋଚକୁ ଫୋର୍ସମାନେ ନଷ୍ଟ କରିଥିଲେ। ଅସହ୍ୟ ବର୍ଷା ସତ୍ବେ ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ଚୋରା ଦେଶୀମଦ ରନ୍ଧନ ବନ୍ଦ କରିବା ମିଶନରେ ଯାଇଥିଲେ।

ପ୍ରକାଶ ଯୋଗ୍ୟ, ଗତକାଲି ମଧ୍ୟ ଖୁଣ୍ଟୁଣୀ ପୁଲିସ ୩ଟି ଚୋରା ଦେଶୀମଦ ରନ୍ଧନ ଆଡ୍ଡା ଉପରେ ଚଢାଉ କରି ୫୦ ହଜାର ଲିଟର ପୋଚ ନଷ୍ଟ କରିଥିଲେ। ଉଲ୍ଲେଖ ଯୋଗ୍ୟ, ଦୀର୍ଘବର୍ଷ ଧରି ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହଯୋଗରେ ଡାଳୁଆ ଓ ଏହାର ପାର୍ଶ୍ବବର୍ତ୍ତି ଗାଁର କିଛି ଲୋକ ଘଞ୍ଚ ଜଙ୍ଗଲ ଭିତରେ ଝରଣା ବୋହିଯାଉଥିବା ସ୍ଥାନରେ ବହୁ ମଦଭାଟି କରି ଅନାୟସରେ ଚୋରାମଦ ରନ୍ଧନ କରିବା ସହିତ କଟକ, ଖୋର୍ଦ୍ଦା, ଢେଙ୍କାନାଳ ଓ କେନ୍ଦ୍ରାପଡା ଆଦି ଜିଲ୍ଲାମାନଙ୍କୁ ଚାଲାଣ କରିଥାନ୍ତି। ଏହି ର‍୍ୟାକେଟ୍‍ରେ ବହୁ ପ୍ରଭାବଶାଳୀ ଲୋକ ସଂପୃକ୍ତ ଥିବାର ଅନୁମାନ କରାଯାଉଛି। ବିଭିନ୍ନ ନିର୍ବାଚନ ସମୟରେ କିଛି ନିର୍ଦ୍ଧିଷ୍ଟ ଦଳକୁ ମଧ୍ୟ ମୋଟା ଅଙ୍କରେ ଚୋରାଦେଶୀମଦ ରନ୍ଧନକାରୀମାନେ ସହାୟତା ପ୍ରଦାନ କରିଥାନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକି ଅନୁସନ୍ଧାନ କଲେ ଜଣାପଡିବ। ଏପରିକି ପଞ୍ଚାୟତସ୍ତରୀୟ ରାଜନୈତିକ ବ୍ୟକ୍ତିତ୍ୱ ମଧ୍ୟ ଏହି କାରବାରରେ ମଧ୍ୟସ୍ଥି ସାଜିଥିବାର ଆଲୋଚିତ ହେଉଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ପ୍ରଭାବଶାଳୀ ଲୋକଙ୍କୁ ହାତ କରି ଚୋରା ଦେଶୀମଦ ରନ୍ଧନକାରୀ ଓ ବିକ୍ରୟକାରୀ ଅନାୟସରେ କରିପାରୁଛନ୍ତି ଦୀର୍ଘଦିନ ଧରି। ଏଣୁ କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମ ନିକଟବର୍ତ୍ତି ଜଙ୍ଗଲ ପାଲଟିଛି ଚୋରା ଦେଶୀମଦ ରନ୍ଧନର ଏନ୍ତୁଡିଶାଳ। ଏଠାରେ ପ୍ରଶ୍ନ ଉଠୁଛି କିଭଳି ଭାବରେ ବାରମ୍ବାର ପୁଲିସ ଓ ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ଦୈନିକ ହଜାର ହଜାର ଲିଟର ୧୦ଟିରୁ ଊର୍ଦ୍ଧ୍ବ ଭାଟିରେ ତିଆରି ହୋଇ ବାହାରକୁ ଚାଲାଣ ହେଉଥିଲା। ଏଥିରେ କିଛି ଭିତିରି ସଂର୍ପକ ନଥିଲା କି? ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଳମ୍ବ ହେଲେ ମଧ୍ୟ ଖୁଣ୍ଟୁଣୀ ପୁଲିସ କ୍ରମାଗତ ଭାବରେ ଦୁଇଦିନ ଧରି ଚୋରାଦେଶୀମଦ ରନ୍ଧନ କେନ୍ଦ୍ର ଉପରେ ଚଢାଉ କରି ୬ଟି ଚୋରା ଦେଶୀମଦ ଭାଟିରୁ ହଜାର ହଜାର ଲିଟର ପୋଚକୁ ନଷ୍ଟ କରିବା ଘଟଣା ସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.