ଜିଲ୍ଲାପରିଷଦ ଜୋନ ୨ରେ ବିଜେଡିର ପ୍ରଚାର ଆରମ୍ଭ

ଗୁରୁଡ଼ିଝାଟିଆ: ଆଠଗଡ଼ ନିର୍ବାଚନ ମଣ୍ଡଳୀର ଆଠଗଡ଼ ବ୍ଲକର ଜୋନ-୨ ଜିଲ୍ଲା ପରିଷଦ ଅଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଜୋନରେ ବିଜେଡି ପ୍ରାର୍ଥୀନି ମିନତୀ ଗାଗରାଇଙ୍କ ସହିତ କଂଗ୍ରେସ ଓ ବିଜେପିର ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜେଡି ପ୍ରାର୍ଥୀନି ଶ୍ରୀମତୀ ଗାଗରାଇ ଆଜି ରାଧାକିଶୋରପୁର ପଞ୍ଚାୟତର ମତ୍ସପୁର, ରାଧାଦାମୋଦରପୁର, ପୁରୁଷୋତ୍ତମପୁରରେ ଦଳୀୟ କର୍ମୀମାନଙ୍କୁ ଧରି ପ୍ରଚାର କରିଛନ୍ତି। ଶ୍ରୀମତୀ ଗାଗରାଇଙ୍କ ସହିତ ସରପଞ୍ଚ ପ୍ରାର୍ଥୀ ବିନୋଦ ମାଝି ଓ ସମିତିସଭ୍ୟ ପ୍ରାର୍ଥୀ ବିଧାନଚନ୍ଦ୍ର ସ୍ୱାଇଁ ଘରଘରବୁଲି ଭୋଟ ଭିକ୍ଷା କରିଥିଲେ।

ଗତକାଲି ଗୁରୁଡ଼ିଝାଟିଆ, ବାଳି, ଓରନ୍ଦା, ଗୋବରା ଆଦି ପଞ୍ଚାୟତମାନଙ୍କରେ ଜିଲ୍ଲା ପରିଷଦ ପ୍ରାର୍ଥୀନି ଦଳୀୟ ସମର୍ଥକଙ୍କ ଗହଣରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ରାଜ୍ୟସରକାରଙ୍କ ଲୋକାଭିମୁଖି ଯୋଜନା, ସୁଶାସନ, ଓଡ଼ିଶାକୁ କ୍ରୀଡା କ୍ଷେତ୍ରରେ ବିଶ୍ୱସ୍ତରରେ ପରିୁଚିତ କରାଇବା ଆଦି ସଂପର୍କରେ ଭୋଟରମାନଙ୍କୁ ଅବଗତ କରାଇ ଦଳୀୟ କର୍ମୀମାନେ ଜିଲ୍ଲା ପରିଷଦ ପ୍ରାର୍ଥୀନି ଶ୍ରୀମତୀ ଗାଗରାଇଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଯଦିଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧିବଦ୍ଧ ଭାବରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି ତଥାପି ସାମାଜିକ ଗଣମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଛନ୍ତି।

Comments are closed.