ମହାକାଳବସ୍ତ ଘଟଣା: ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନର ଉଦ୍ୟମ, ଅପହୃତ ଯୁବକ ଖୋର୍ଦ୍ଧାରୁ ଉଦ୍ଧାର

ଗୁରୁଡିଝାଟିଆ: ମହାକାଳବସ୍ତ ଏବେ ଉଗ୍ରରୂପ ନେବାକୁ ଯାଉଛି। ଏବେବି ଗାଁରେ ଉତ୍ତେଜନା ଲାଗିରହିଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଆଠଗଡ ଉପଖଣ୍ଡ ପ୍ରଶାସନ ଉଦ୍ୟମ ଅବ୍ୟାହତ ରଖିଛି। ଅପହରଣ ଅଭିଯୋଗକୁ ନେଇ ଗାଁର ଶତାଧିକ ଲୋକ ୧୦ଘଣ୍ଟା ଧରି ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ଅବରୋଧ କରି ରାସ୍ତାରେ ନିଆଁଜାଳିଥିଲେ। ଆଗାମୀ ଦିନରେ ମହାକାଳବସ୍ତ ଏକ ବିସ୍ଫୋରକ ସ୍ଥିତି ଆଡକୁ ମୁହାଁଉଛି। ପ୍ରଶାସନ ଏବେଠାରୁ ସଜାଗ ଦୃଷ୍ଟି ନଦେଲେ ଆଗାମୀ ଦିନରେ ନେଡିଗୁଡ କହୁଣୀକୁ ବୋହିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବିମାନେ ଆକଳନ କରିଛନ୍ତି।

ମହାକାଳବସ୍ତ ଗ୍ରାମର ରାଜେନ୍ଦ୍ର ପୁହାଣ ଆଠଗଡରୁ ଫେରୁଥିବା ବେଳେ ଦହିସରା ନିକଟବର୍ତ୍ତି ଏକ ସ୍ଥାନରେ ମହାକାଳବସ୍ତର ସରପଞ୍ଚଙ୍କ ପୁଅ ଆଲୋକ ବଳିୟାରସିଂ ଅପହରଣ କରିନେଇଥିବା ଅଭିଯୋଗ ହେବା ଫଳରେ ଗାଁର ଶତାଧିକ ଲୋକ ଗତକାଲି ବିଳମ୍ବିତ ରାତିରେ ସରପଞ୍ଚ ସାବିତ୍ରୀ ରାଉତଙ୍କ ବଳପୂର୍ବକ ଗେଟକୁ ଭାଙ୍ଗି ଘରେ ଧସେଇ ପସିବା ସହ ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ୟକ୍ତ ଲୋକମାନେ ଶ୍ରୀ ବଳିୟାରସିଂ ଙ୍କ ଏକାଧିକ ଗାଡିକୁ ଭାଙ୍ଗିବା ସହିତ ନିଆଁ ଲଗାଇଦେଇଥିଲେ। ଘଟଣାସ୍ଥଳରେ ତତ୍‍କ୍ଷଣାତ୍‍ ଖୁଣ୍ଟୁଣୀ ପୋଲିସ ପହଞ୍ଚି ଦମକଳବାହିନୀ ଆସିବା ପୂର୍ବରୁ ନିଆଁକୁ ଆୟତ୍ତ କରିନେଇଥିଲେ। ହେଲେ ଗାଁର ଶତାଧିକ ଉତ୍ୟକ୍ତ ଲୋକ ଅପହୃତ ଯୁବକକୁ ତୁରନ୍ତ ପୋଲିସ ଉଦ୍ଧାର କରିବା ସହିତ ଅପହରଣକାରୀ ଭାବେ ଅଭିଯୁକ୍ତ ଆଲୋକ ବଳିୟାରସିଂକୁ ତୁରନ୍ତ ଗିରଫ ନେଇ ଅଡିବସିବା ସହିତ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ୧୦ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିବା ସହିତ ବଡବଡ କାଠଗଣ୍ଡି ଆଣି ରାସ୍ତାରେ ପକାଇ ଜାଳିଥିଲେ। ଯାହାଫଳରେ ଆମ୍ବୁଲାନ୍ସ ଓ ଗୁରୁତର ରୋଗୀ ଆଦି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ପରିସ୍ଥିତି ଯଦିଓ ନିୟନ୍ତ୍ରଣାଧିନ ଥିଲେ ମଧ୍ୟ ଶତାଧିକ ଲୋକ ରାସ୍ତା ଅବରୋଧ କରି ନିଆଁ ଜାଳିଥିବାରୁ ବାଧ୍ୟ ହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି କେ ଜେନା, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ, ଆଠଗଡ ଏସଡିପିଓ ଆଳୋକ ରଞ୍ଜନ ରାୟ, ଥାନା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ଉତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ଅପହୃତ ଯୁବକକୁ ଖୁବଶୀଘ୍ର ଉଦ୍ଧାର କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ଓ ଅପହରଣକାରୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅପରହୃତ ଯୁବକକୁ ଉଦ୍ଧାର ପାଇଁ ୨ଟି ଟିମ ଗଠନ କରାଯାଇଛି। ପ୍ରକାଶଯୋଗ୍ୟ ସରପଞ୍ଚ ସାବିତ୍ରୀ ରାଉତଙ୍କ ଘର ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ଏବେବି ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଭଳି ସୁରକ୍ଷା ପରିବାର ସଦସ୍ୟଙ୍କୁ ଆବଶ୍ୟକତା ଅନୁଯାୟୀ ପୋଲିସ ଯୋଗାଇଦେବ ବୋଲି ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଗଣମାଧ୍ୟମକୁ କହିବା ସହିତ ସରପଞ୍ଚ ଓ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି ଏବଂ ପରିବାର ତରଫରୁ ହ୍ୱାଟସ ଆପ ଜରିଆରେ ଏକ ଅଭିଯୋଗ କରାଯାଇଥିବା କହିବା ସହିତ ଅପହରଣ ମାମଲାରେ ମଧ୍ୟ ରାଜେନ୍ଦ୍ରର ସ୍ତ୍ରୀ ଚିନ୍ମୟୀ ଆଠଗଡ ଥାନାରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି ଯାହାର କେଶ ନଂ ୧୦୦/୨୦୨୧ ବୋଲି ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ଅପହୃତ ଯୁବକ ଖୋର୍ଦ୍ଧା ଅଞ୍ଚଳରୁ ଠାବ ହୋଇଛନ୍ତି। ଖୁଣ୍ଟୁଣୀ ଥାନା ଅଧିକାରୀ ଶ୍ରୀ ଦାସ ଅପହୃତ ଯୁବକକୁ ଖୋର୍ଦ୍ଧାରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି।

ଉଲେଖଯୋଗ୍ୟ ଗାଁରେ ସରପଞ୍ଚ ଙ୍କ ପୁଅ ଶ୍ରୀ ବଳିୟାରସିଂ ଓ ଗ୍ରାମର କେତେକ ଲୋକ ଙ୍କ ସହିତ ରାଜନୈତିକ ବିବାଦ ଲାଗିରହିଛି। ଏନେଇ ଉଭୟ ପକ୍ଷରୁ ଏକାଧିକ ମାମଲା ଖୁଣ୍ଟୁଣୀ ଥାନାରେ ରୁଜୁ ହୋଇଛି। ଗାଁର କେତେକ ଜନସାଧାରଣ ସିଧାସଳଖ ଅଭିଯୋଗ କରିଛନ୍ତି ସରପଞ୍ଚ ଙ୍କ ପୁଅ ମନମୁଖି କାର୍ଯ୍ୟ କରିବା ସହିତ ଗାଁରଲୋକମାନଙ୍କୁ ଉପେକ୍ଷା କରି ବିଭିନ୍ନ ମାଲିମୋକଦ୍ଦମାରେ ପୁରାଉଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଗାଁକୁ ଭାଗ ଭାଗ କରି କୁ ରାଜନୀତି କରିବା ସହିତ ଏକ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ଗାଁର କେତେକ ମୁରବୀ କହୁଛନ୍ତି। ପ୍ରଶାସନ ଓ ପୋଲିସ ସଠିକ ଭାବରେ ସହଯୋଗ କରିବା ପରିବର୍ତ୍ତେ ଶ୍ରୀ ବଳିୟାରସିଂକୁ ସହଯୋଗ କରୁଛନ୍ତି। ଅପରପକ୍ଷରେ ପୋଖରୀର ମାଛ ମାରିବା ଓ ଚୋରି କରିବା ନେଇ ଥାନାରେ ଅଭିଯୋଗ କରିବା ପରେ ମୋ ବିରୋଧରେ ରୀତିମତ ଭାବରେ ଷଡଯନ୍ତ୍ର ଚାଲିଛି ଏବଂ ଏକାଧିକ ମିଛି ମାମଲା ମଧ୍ୟ ମୋ ନାମରେ ଥାନାରେ ରୁଜୁ କରିଛନ୍ତି। ଏପରିକି ସଂଗବଦ୍ଧ ଭାବରେ ଆକ୍ରମଣ କରି ଘରେ ପଶି ଭଙ୍ଗାରୁଜା ଓ ଗାଡିପୋଡିବା ଆଦି କାର୍ଯ୍ୟ କରାଯାଉଛି ବୋଲି ବଳିୟାରସିଂ କହିଛନ୍ତି। ଏପରିକି ଗତ ଦୁଇଦିନ ତଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।ପାରିପାର୍ଶ୍ବିକ ପରିବେଶକୁ ସ୍ପଷ୍ଟ ବାରିହୋଇପଡୁଛି ଆଗାମୀ ଦିନରେ ମହାକାଳବସ୍ତରେ ବିସ୍ଫୋରକ ସ୍ଥିତି ହେବାର ସମ୍ଭାବନା ରହିଛି। ପୋଲିସ ପ୍ରଶାସନ ଏଥିପ୍ରତି ଦୂରଦୃଷ୍ଟି ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments are closed.