ବଡଓଷାରେ ପ୍ରଭୂ ଧବଳେଶ୍ୱରଙ୍କ ବଡସିଂହାର ବେଶ ଅନୁଷ୍ଠିତ

ଗୁରୁଡିଝାଟିଆ: ପ୍ରଭୂ ଧବଳେଶ୍ୱରଙ୍କ ଆଜି ବଡଓଷା ତିଥିରେ ବଡସିଂହାର ବେଶ ଅନୁଷ୍ଠିତ ହୋଇଛି। ପ୍ରଭୂଙ୍କୁ ସୁବର୍ଣ୍ଣ, ରୌପ୍ୟ ଓ ପୁଷ୍ପରେ ଆକର୍ଷଣୀୟ ସୁସଜ୍ଜିତ କରାଯାଇଥିଲା ଯାହାକି ଅତ୍ୟନ୍ତ ଦୁର୍ଲଭ ଓ ଲୋଭନୀୟ ଥିଲା। ପୂଜକ ସମିତିର ନୀତିପାଳିଆ ଚିତ୍ତ ରଞ୍ଜନ ପତ୍ରୀ(ସିଲୁ) ରାତ୍ର ୩ଟାରୁ ପହଂଚି ଆଠଗଡ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ପ୍ରଥମେ ପହଡ ଖୋଲାଯାଇଥିଲା। ପରେ ମଙ୍ଗଳ ଆଳତୀ, ପ୍ରଭୂଙ୍କୁ ୧୦୮ ଗରାରେ ସ୍ନାନ ପରେ ବେଶ ଆରମ୍ଭ ହୋଇଥିଲା। ମହଣ ମହଣ ଫୁଲରେ ପ୍ରଭୂଙ୍କୁ ସଜ୍ଜିତ କରାଯିବା ପରେ ପ୍ରଭୂଙ୍କ ପାଖରେ ପଦ୍ମପାଖୁଡା, ତ୍ରିଶୂଳ, ଡମ୍ବୁରୁ, ମୁକୁଟ ଧାରଣ କରିଥିଲେ। ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଖଚିତ କରାଯାଇଥିଲା। ଏହାପରେ ବାଳଭୋଗ, ମଧ୍ୟାନ୍ନରେ ସିଙ୍କୁଡି ଭୋଗ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ସ୍ନାନ ଆଳତୀ ଓ ଦହି ବାଟୁଳା ଭୋଗ ରାତ୍ରିର ୩ୟ ପ୍ରହରରେ ପ୍ରଭୂଙ୍କ ନିକଟରେ ଗଜଭୋଗ ଅର୍ପଣ କରାଯାଇଥିଲା।

ପୀଠ ପରିସରରେ ନୀତିପାଳିଆ ଓ ପୂଜକ ସମିତିର କର୍ମକର୍ତ୍ତାଙ୍କ ସହିତ ଦେବୋତ୍ତର ବିଭାଗର କର୍ମଚାରୀମାନେ ପ୍ରଭୂଙ୍କ ଗଜଭୋଗ ତିଆରି କରି ଅଥରାରେ ବସାଇଥିଲେ। ରାତ୍ରିର ୩ୟ ପ୍ରହରରେ ପ୍ରଭୂଙ୍କ ନିକଟରେ ନୀତିପାଳିଆ ଦ୍ୱାରା ପ୍ରସ୍ତୁତ ଗଜଭୋଗକୁ ପ୍ରଭୂଙ୍କୁ ଅର୍ପଣ କରାଯାଇଥିଲା। କରୋନା କଟକଣା ଦୃଷ୍ଟିରୁ ଚଳିତବର୍ଷ ପ୍ରଭୂଙ୍କ ବଡସିଂହାର ବେଶ ଶ୍ରଦ୍ଧାଳୁମାନେ ଚର୍ମଚକ୍ଷୁରେ ଦେଖିବାରୁ ବଞ୍ଚିତ ହୋଇଥିଲେ। ପୀଠରେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରଦ୍ଧାଳୁମାନଙ୍କୁ ଏକତ୍ରୀତ କରାଇ ନଦେବା ପାଇଁ ୧୪୪ଧାରା ଜାରି କରାଯାଇଛି। ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ପ୍ରଭୂଙ୍କୁ ଦର୍ଶନ କରିନପାରି ଦୂରରୁ ନଦୀପାର୍ଶ୍ବରୁ ପ୍ରଭୂଙ୍କ ବାନାକୁ ଦେଖି ପ୍ରଣାମ କରି ଫେରୁଥିବାର ଦେଖାଯାଇଥିଲା। ଗୁରୁଡିଝାଟିଆ ପୋଲିସ ପକ୍ଷରୁ ପୀଠ, ଝୁଲାପୋଲ ଆଦି ସ୍ଥାନମାନଙ୍କରେ ପୋଲିସ ମୁତୟନ କରାଯାଇଥିଲା।

Comments are closed.