ଗୋବରାରେ ଆନ୍ତର୍ଜାତିକ ବୟୋବୃଦ୍ଧ ଦିବସ ପାଳିତ

ଗୁରୁଡିଝାଟିଆ: ଆମ ସମାଜ ବ୍ୟବସ୍ଥାରେ ବରିଷ୍ଠମାନଙ୍କୁ ଯଥାଚିତ ସମ୍ମାନ ପ୍ରଦର୍ଶନ କରାଯାଏ। ହେଲେ ପାଶ୍ଚତ ଭାବଧାରାରେ ଯୁବଗୋଷ୍ଠୀ ଅନୁପ୍ରାଣିତ ହୋଇ ଆମ ସଂସ୍କୃତି ଓ ପରମ୍ପରାକୁ ଭୂଲୁଣ୍ଠିତ କରିବାରେ ଲାଗିଛନ୍ତି। ଯାହା ଫଳରେ ବରିଷ୍ଠ ନାଗରିକମାନେ ଏବେ ଦୁର୍ବିସହ ଜୀବନ ଜିଉଁଛନ୍ତି। ବାସ୍ତବରେ ସେମାନଙ୍କ ସମ୍ମିଳିତ ଅଭିଜ୍ଞତା ଦେଶକୁ ସମୃଦ୍ଧ ଓ ଶସକ୍ତ ଆଡକୁ ଆଗେଇନେବ। ତେଣୁ ଯୁବଶକ୍ତି ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ସେମାନଙ୍କ ଅଭିଜ୍ଞତାକୁ ଦେଶଗଠନରେ ବିିନିଯୋଗ କରିବା ଆବଶ୍ୟକ ବୋଲି ନବେଢା ବରିଷ୍ଠ ନାଗରିକ ମଞ୍ଚ, ଗୁରୁଡିଝାଟିଆ, ଆଠଗଡ ପକ୍ଷରୁ ଗୋବରା ବିଳାସିନୀଦେବୀ ପାଠାଗାର ପରିସରରେ ଆୟୋଜିତ ଆନ୍ତର୍ଜାତିକ ବୟୋବୃଦ୍ଧ ଦିବସରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ।

ମଞ୍ଚର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ, ଶିକ୍ଷାବିତ୍‍ ରବିନ୍ଦ୍ର ନାୟକ, ଡାକ୍ତର ଗୋକୁଳାନନ୍ଦ ପତ୍ରୀ, ଶିକ୍ଷାବିତ୍‍ ରାଜକିଶୋର ଖଟୁଆ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ସାଧାରଣ ସଂପାଦକ ଶରତ କୁମାର ଖୁଣ୍ଟିଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଗୁରୁଚରଣ ପ୍ରଧାନ,ଶ୍ରଦ୍ଧାନନ୍ଦ ଧଳ, ବିପ୍ରଚରଣ ବେହେରା, ରବିନ ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ବୈଠକରେ ଉପସ୍ଥିତ ଅତିଥିବୃନ୍ଦ ଓ ସଦସ୍ୟବୃନ୍ଦ ଆଠଗଡରୁ ରାଧାକିଶୋରପୁର ଗୁରୁଡିଝାଟିଆ ଦେଇ ଚୌଦ୍ୱାରକୁ ବସଚଳାଚଳ, ରାଧାକିଶୋରପୁର ଷ୍ଟେସନରେ ଦ୍ରୁତଗାମୀ ରେଳ ରହଣି ଓ ବରିଷ୍ଠ ନାଗରିକ ଙ୍କୁ ୧୦୦୦ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟଭତ୍ତା ବୃଦ୍ଧି ପାଇଁ ଦାବି ରଖିଥିଲେ। ପ୍ରାରମ୍ଭରେ ଶିକ୍ଷାବିତ୍‍ ରମ୍ଭାବତୀ ସାହୁଙ୍କ ପ୍ରସ୍ତାବକ୍ରମେ ପ୍ରଖ୍ୟାତ ସାହିତ୍ୟିକା କବୟିତ୍ରୀ ଉତ୍କଳରତ୍ନ ତଥା ସମାଜର ପୂର୍ବତନ ସମ୍ପାଦିକା ଡଃ ମନୋରମା ମହାପାତ୍ରଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Comments are closed.