ରାଣିବଣିଆ ସଂରକ୍ଷିତ ଜଙ୍ଗଲରେ ହାତୀର ମୃତ୍ୟୁ, ଘଟଣାକୁ ଚପାଇଦେବା ପାଇଁ ବନ ବିଭାଗର ଉଦ୍ୟମ ଅଭିଯୋଗ

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ରାଣିବଣିଆ ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ମୃତଦେହ ଠାବ କରାଯାଇଛି। ହାତୀଟି ୧୦/୧୨ ଦିନ ହେଲା ମୃତ୍ୟୁବରଣ କରିଥିଲେ ହେଁ ବନ ବିଭାଗ କିଭଳି ଜାଣିପାରିଲା ନାହିଁ ତାହା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୃତ ହାତୀଟିର ଶରୀର ଗଳିତ ମଧ୍ୟ ହୋଇଯାଇଛି। ହାତୀଟି କିପରି ଓ କେଉଁ କାରଣରୁ ମରିଛି ସଠିକ୍ ଭାବରେ ଜଣାପଡିନାହିଁ। ହେଲେ ହାତୀଟିକୁ ଶିକାର କରିବା ଉଦେଶ୍ୟରେ ଶିକାରୀମାନେ ଏଭଳି କାଣ୍ଡ ଭିଆଇଥିବାର ଆଲୋଚିତ ହେଉଛି। ହାତୀର ଦାନ୍ତକୁ ମଧ୍ୟ ଶିକାରୀମାନେ ନେଇଯାଇଛନ୍ତି ବୋଲି ସାଧାରଣରେ ଆଲୋଚିତ ହେଉଛି। ହେଲେ ତଦନ୍ତକଲେ ତାର ପ୍ରକୃତ କାରଣ ଜଣାପଡିବ। ଘଟଣା ସଂପର୍କରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ମାଥୁରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଗଣମାଧ୍ୟମକୁ ଏଡାଇବା ଉଦ୍ଦେଶ୍ୟରେ ଫୋନ୍ ଉଠାଇନଥିଲେ। ଏଠାରେ ପ୍ରଶ୍ନଉଠୁଛି ରାଜ୍ୟ ସରକାର ଜଙ୍ଗଲ ସଂପଦର ବିକାଶ, ବନ୍ୟଜନ୍ତୁଙ୍କ ଅଭିବୃଦ୍ଧି, ସୁରକ୍ଷା ବିଶେଷତଃ ହାତୀମାନଙ୍କ ଗତିବିଧି ଉପରେ ନିରକ୍ଷଣ କରିବା ପାଇଁ ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି। ଖୁଣ୍ଟୁଣୀ ବନାଞ୍ଚଳରେ ହାତୀଟି ମୃତ୍ୟୁ ବରଣ କରିଥିଲେ ମଧ୍ୟ ବନକର୍ମଚାରୀ କୌଣସି ସୁରାକ ପାଇପାରିଲେ ନାହିଁ। ଜଙ୍ଗଲ ମଧ୍ୟରେ ଏକ ଖୋଲାସ୍ଥାନରେ ହାତୀଟି ମରିପଡିଛି। ବନାଞ୍ଚଳ ଅଧିକାରୀ ଓ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଙ୍ଗଲ ବିଭାଗର କର୍ମଚାରୀମାନେ ହାତୀମୃତ୍ୟୁ ସଂପର୍କରେ ନଜାଣିପାରିବା ସେମାନଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ପାଶ୍ୱବର୍ତ୍ତି ଅନ୍ତେବାସୀଙ୍କ ସହିତ ସୁସଂପର୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

 

ହାତୀମରିବାର ୧୦ ରୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ବନବିଭାଗକୌଣସି ସୁଚନା ନପାଇବା ସ୍ପଷ୍ଟ ବାରିହୋଇପଡୁଛି ଖୁଣ୍ଟୁଣୀ ବନାଞ୍ଚଳର କର୍ମଚାରୀମାନେ କିଭଳି ଭାବରେ ସେମାନଙ୍କ କର୍ତ୍ତବ୍ୟ ସଂପାଦନ କରୁଛନ୍ତି? ଏପରିକି ହାତୀମୃତ୍ୟୁ ଖବର ଜଣାଯିବା ପରେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଥିଲେ ମଧ୍ୟ ତରବରିଆ ଭାବରେ ହାତୀଟିକୁ ପୋତିଦେବା ପଛରେ ରହସ୍ୟ କଣ? ଗଣମାଧ୍ୟମକୁ ଲୁଚାଇବା ପଛରେ କି ରହସ୍ୟ ରହିଛି? ତେଣୁ ତୁରନ୍ତ ହାତୀମୃତ୍ୟୁର କାରଣ ଅନୁସନ୍ଧାନ ହେବା ସହ କାର୍ଯ୍ୟକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଥିବା ଖୁଣ୍ଟୁଣୀ ବନାଞ୍ଚଳର ଅଧିକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବେଶବିତ୍ ଦାବି କରିଛନ୍ତି। ଘଟଣା ସଂପର୍କରେ ଆଠଗଡ ବନଖଣ୍ଡ ଅଧିକାରୀ ଗୋପୀନାଥ ସୁଦର୍ଶନ ଯାଦବଙ୍କୁ ପଚାରିବାରୁ ହାତୀଟିର ବୟସ ୪୦ ରୁ ୪୫ବର୍ଷ ହେବ। ଏହା ମାଈ ହାତୀ ଅଟେ। ସଂକ୍ରମଣ ଯୋଗୁଁ ଏହାର ମୃତ୍ୟୁ ହୋଇଥାଇପାରେ ବୋଲି କହିବା ସହ ଶ୍ରୀ ଯାଦବ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Comments are closed.