୨୪ଘଣ୍ଟା ଧରି ବିଦ୍ୟୁତ୍‍ ସେବା ବ୍ୟାହତ, ଅନ୍ଧାରରେ ୧୭ ପଞ୍ଚାୟତବାସୀ

ଗୁରୁଡ଼ିଝାଟିଆ: ବିଦ୍ୟୁତ୍‍ ସେବା ଦୀର୍ଘ ୨୪ ଘଣ୍ଟା ଧରି ନିରବର୍ଚ୍ଛିନ୍ନ ଭାବରେ ଗତକାଲି ସନ୍ଧ୍ୟା ୭ଟାରୁ ଆଜି ରାତି ୮ଟା ପର୍ଯ୍ୟନ୍ତ ବ୍ୟାହତ ହେବା ଫଳରେ ୧୭ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ସହଜେ ଲଗାଣ ବର୍ଷା, ଗାଁ ରାସ୍ତା, ସାହିଗଳି ବର୍ଷା ପାଣିରେ ପୁରି ରହିଛି। ଏଭଳି ସ୍ଥିତିରେ ସରୀସୃପମାନେ ମଧ୍ୟ ରାସ୍ତାଘାଟକୁ ଉଠିଆସୁଛନ୍ତି। ଅନ୍ଧକାର ଭିତରେ ୨୪ଘଣ୍ଟା ଧରି ଜନସାଧାରଣ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଜୀବନ ବିତାଇଲେ। ଅନ୍ଧକାରରୁ ମୁକ୍ତି ପାଇଁ କିରୋସିନ ଟିକିଏ ମିଳୁନାହିଁ। ବିଦ୍ୟୁତ୍‍ ବିଭାଗର ଏଭଳି ଅଘୋଷିତ ବିଜୁଳିକାଟ ଜନସାଧାରଣଙ୍କୁ ଘୋର ଦୁର୍ଦ୍ଦଶା ଦେଇଛି। ପ୍ରକାଶଯୋଗ୍ୟ ଗତକାଲି ରାତି ୭ଟାରେ ହଠାତ୍‍ ଝିପିଝିପି ବର୍ଷା ହେଉଥିବା ଅବସ୍ଥାରେ କଟିଯାଇଥିଲା। ଆଶାଥିଲା ଘଣ୍ଟାଏ ଦୁଇଘଣ୍ଟା ଭିତରେ ପୁନର୍ବାର ବିଦ୍ୟୁତ୍‍ ଆସିବ। ହେଲେ ରାତିଯାଇ ଆଦି ଦିନ ବିତିଯାଇଥିଲା। ହେଲେ ବିଦ୍ୟୁତ୍‍ ଆସିନଥିଲା। ଆଜି ରାତି ୮ଟା ସମୟରେ ବିଦ୍ୟୁତ୍‍ ଆସିଥିଲା। କୁଷ୍ପଙ୍ଗି, ମଞ୍ଚେଶ୍ୱର, ଓରନ୍ଦା, କଖଡି, ଘଣ୍ଟିଖାଲ, ଧୁରୁଷିଆ, ଅନନ୍ତପୁର, କଟକିଆସାହି, ମେଘା, କୁମାରପୁର, ଛଅଗାଁ, ଗୋବରା, ଗୁରୁଡ଼ିଝାଟିଆ, ରାଧାକିିଶୋରପୁର, ରାଧାକୃଷ୍ଣପୁର, ଡାଳଭାଗ, ଖୁଣ୍ଟୁଣୀ ପ୍ରଭୃତି ପଞ୍ଚାୟତ ଅନ୍ଧକାର ଭିତରେ ରହିଥିଲା। ଏପରିକି ବିଦ୍ୟୁତ୍‍ ବିଭାଗର ଯନ୍ତ୍ରୀମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଫୋନ ଉଠାଇନଥିଲେ। ଏ ସଂପର୍କରେ ଆଠଗଡ଼ ବିଦ୍ୟୁତ୍‍ ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର ମୋହନ ସାହୁଙ୍କୁ ପଚାରିବାରୁ ଚୌଦ୍ୱାରରୁ ଛତିଶା ମଧ୍ୟରେ ଏକାଧିକ ସ୍ଥାନରେ ବିଦ୍ୟୁତ୍‍ ଲାଇନରେ ବିଭ୍ରାଷ୍ଟ ଦେଖାଯାଇଥିଲା। ଯାହାକୁ ଅସହ୍ୟ ଲଗାଣ ବର୍ଷାରେ ପାଣି ଭିତରେ ପଶି କାମ କରିବା ସମୟ ସାପେକ୍ଷ ଥିଲା।

Comments are closed.