ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଗୁରୁଡିଝାଟିଆ: ବିଜେବି କଲେଜର +୩ ପ୍ରଥମବର୍ଷ ମେଧାବୀ କଳାଛାତ୍ରୀ ରୁଚିକା ମହାନ୍ତିର ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଓ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଜି ସନ୍ଧ୍ୟାରେ ନିଜ ଗ୍ରାମ କଖଡିରେ ଶତାଧିକ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ରୁଚିକାର ଅକାଳ ବିୟୋଗ ଗାଁରେ ଥିବା ସାଙ୍ଗମାନଙ୍କ ପାଇଁ ଦାରୁଣ ଆଘାତ ଦେଇଥିବା ବେଳେ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। କ୍ୟାଣ୍ଡେଲ ଶୋଭାଯାତ୍ରରେ ରୁଚିକା ମହାନ୍ତି ଅମର ରହେ, ଉଚ୍ଚସ୍ତରୀୟ ତଦନ୍ତ ଆମର ଦାବି, ଅଭିଯୁକ୍ତଙ୍କୁ ଗିରଫ ଆମର ଦାବି ସ୍ଲୋଗାନରେ କଖଡି ଗ୍ରାମ ଫାଟିଉଠୁଥିଲା। ସମସ୍ତଙ୍କ ମନରେ ବିଶାଦର ଛାୟା। ଗତକାଲି ରାତିରେ ରୁଚିକାର ମୃତଦେହ ଆସିବା ପରେ ଗାଁରେ ଶହଶହ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ସମସ୍ତଙ୍କ ଆଖିରେ ଲୋତକ ଭରି ରହିଥିବାବେଳେ କାହାରି ପାଟିରୁ କଥା ବାହାରୁନଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ ସପନ୍ନ ହୋଇଥିଲା।

 

ଆଜି ସନ୍ଧ୍ୟାରେ ଗାଁରେ ଥିବା ସାଙ୍ଗମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ନ୍ୟାୟ ଦାବି କରିଛନ୍ତି। ନଚେତ୍ ବିଧାନସଭା ଆଗରେ ଧାରଣା ଦେବା ପାଇଁ ମଧ୍ୟ ପଛାଇବେ ନାହିଁ ବୋଲି କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ ରୁଚିକା ଜଣେ ମେଧାବୀ ଛାତ୍ରୀ ଭାବରେ କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଥମଶ୍ରେଣୀରେ ଉତୀନ୍ନ ହେବା ପରେ ଆଉ ପଛକୁ ଫେରିନଥିଲେ। ଉଚ୍ଚଶିକ୍ଷା ପରେ ୟୁପିଏସସି ପରୀକ୍ଷାଦେବା ଲକ୍ଷ୍ୟରେ ଭୁବନେଶ୍ୱର ବିଜେବି କଲେଜରେ +୩ କଳାରେ ନାମ ଲେଖାଇ ଅଧ୍ୟୟନ କରୁଥିଲେ। ହେଲେ ଗତକାଲି ତାଙ୍କର ରହସ୍ୟଜନକ ମୃତ୍ୟୁ ଘଟିଛି। ୩ଜଣ ସିନିୟର ଛାତ୍ରୀଙ୍କ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି, ଯାହାକୁ ତାଙ୍କ ପକେଟରୁ ଜବତ କରିଛି। ଅଜା ବିଷ୍ଣୁଚରଣ ରାଉତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଡିସିପି ପ୍ରକାଶଚନ୍ଦ୍ର ପାଲ ମୃତ୍ୟୁପାଇଁ ଦାୟୀଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.