ସୁଖମୟ ଜୀବନ ବଞ୍ଚିବାରେ ସହାୟକ ହୋଇଥାଏ ଗାନ୍ଧିଜୀଙ୍କ ବିଚାରଧାରା

ଭାସ୍କର୍ଯ୍ୟଶିଳ୍ପୀ ରବିରଥଙ୍କ ଦ୍ୱାରା ଗୋପବନ୍ଧୁ ନର୍ସିଂ କଲେଜରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପ୍ରଦର୍ଶିତ

ଗୁରୁଡିଝାଟିଆ: ବିଶ୍ୱରେ ଏବେ ଯୁଦ୍ଧ ବିଭୀଷିକା ଜନମାନସକୁ ବ୍ୟଥିତ କରିଛି। ୟୁକ୍ରେନ ଓ ରୁଷ ମଧ୍ୟରେ ଲଢେଇ ଯେଭଳି ସମସ୍ତ ମଣିଷପଣିଆକୁ ସତେଅବା ଜଳାଞ୍ଜଳି ଦେଇଛି। ମଣିଷ ଭୁଲିଯାଇଛି ମାନବବାଦର ଭାବ ଓ ବସୁଧେବ କୁଟୁମ୍ବର ବାର୍ତ୍ତା। ଏଭଳି ସ୍ଥିତିରେ ଗାନ୍ଧିଜୀଙ୍କ ଅହିଂସା, ସତ୍ୟ ଏକ ସୁସ୍ଥ ଶାନ୍ତିଶୀଳ ସମାଜ ଗଠନର ବାର୍ତ୍ତା ଦେଖାଇଥାଏ। ବାସ୍ତବରେ ଗାନ୍ଧିଜୀଙ୍କ ବିଚାରଧାରାଏକ ସୁଖମୟ ଜୀବନ ବଞ୍ଚିବାରେ ସହାୟକ ହୋଇଥାଏ ବୋଲି ମାଧବପୁର ଠାରେ ଗୋପବନ୍ଧୁ ନର୍ସିଂ କଲେଜରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମିତ ଅବସରରେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଧ୍ୟାପକ ରବିନାରାୟଣ ରଥ ପ୍ରକାଶ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକ ଉପଲକ୍ଷେ ଅଧ୍ୟାପକ ଶ୍ରୀ ରଥ ବିଦ୍ୟାର୍ଥୀମାନଙ୍କୁ ଗାନ୍ଧିଜୀଙ୍କ ଜୀବନାଦର୍ଶ ,ରଚାନତ୍ମକ କାର୍ଯ୍ୟ ଓ ଗାନ୍ଧିଭାବପନ୍ନ ହେବା ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ କଞ୍ଚାମାଟିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମିତ କରୁଛନ୍ତି। ଆଜି ପୂର୍ବାହ୍ନରେ ଅଧ୍ୟାପକ ରଥ ୧୩୧ତମ ଅନୁଷ୍ଠାନ ଭାବରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମିତ କରି ନିଜ ଭାସ୍କର୍ଯ୍ୟକଳାର କମନୀୟ ଭାବକୁ ପ୍ରଦର୍ଶିତ କରିବା ସହ ଗାନ୍ଧିଜୀଙ୍କ ଜୀବନାଦର୍ଶରେ ନିଜକୁ ଗଢିତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଯୋଗଦେଇ ଭାସ୍କର୍ଯ୍ୟଶିଳ୍ପୀ ରବିନାରାୟଣ ରଥଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବିଦ୍ୟାର୍ଥୀଙ୍କୁ ଗାନ୍ଧିଙ୍କ ବିଚାରଧାରା, ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ପ୍ରତି ଅନୁସରଣ କରିବା ଦିଗରେ ମହାର୍ଘ୍ୟ ପ୍ରେରଣା ସୃଷ୍ଟି କରିପାରିବ ବୋଲି କହିଥିଲେ। ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପିକା ସୌମ୍ୟା ସାଗରିକା ପରିଡା, ଜୟଶ୍ରୀ ପ୍ରଧାନ, ରଞ୍ଜିତା ଦାସ, ରଶ୍ମୀରଞ୍ଜନ ମହନ୍ତ, ବିକ୍ରମ କୁମାର ସ୍ୱାଇଁ, ରାଧାନାଥ ଉଚ୍ଚତର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର କର୍ମଚାରୀ ସଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.