ରାତି ତମାମ ହାତୀପଲଙ୍କ ଉତ୍ପାତ, ଭାଙ୍ଗିଲେ ୩୨ ଆମ୍ବଗଛ
ଗୁରୁଡିଝାଟିଆ: ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ରାତି ତମାମ ହାତୀପଲ ଉତ୍ପାତ କରିଛନ୍ତି। କୋଭିଡ ଚିକିତ୍ସାଳୟ ପରିସର ନିକଟସ୍ଥ ଆମ୍ବ ଓ କଦଳୀ ବଗିଚା, କାଜୁ ବଗିଚାରେ ମନଭରି ଖାଇବା ସହିତ ୩୨ଟି ଆମ୍ବଗଛକୁ ଭାଙ୍ଗିରୁଚି ଦେଇଛନ୍ତି। ୧୨ଟି ହାତୀ ଏକତ୍ରିତ ହୋଇ ଚିକିତ୍ସାଳୟର ପୂର୍ବପାର୍ଶ୍ବର ଶକ୍ତ ପାଚୀରକୁ ଭାଙ୍ଗି ଚିକିତ୍ସାଳୟ ପରିସରରେ ପ୍ରବେଶ କରିଥିଲେ। ହାତୀପଲକୁ ଦେଖି ଚିକିତ୍ସାଳୟ ପରିସରରେ ଥିବା ଅନ୍ତେବାସୀମାନେ ଭୟଭୀତ ହୋଇପଡିଥିଲେ। ବନାଞ୍ଚଳ ଅଧିକାରୀଙ୍କୁ ଘଟଣା ସଂପର୍କରେ ବିଳମ୍ବିତ ରାତିରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବନକର୍ମଚାରୀ ଯାଉଛନ୍ତି ବୋଲି କହିଥିଲେ। ବନକର୍ମଚାରୀ ଓ ହାତୀଜଗୁଆଳୀମାନେ ହାତୀଙ୍କୁ ଚିକିତ୍ସାଳୟ ପରିସରରେ ପଶିଥିବାର ଦେଖି ମଧ୍ୟ ଘଉଡାଇବାକୁ ଯାଇନଥିଲେ। ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ରାସ୍ତାପାର୍ଶ୍ବରେ ଠିଆ ହୋଇ ହାତୀ ଜଗୁଛନ୍ତି ବୋଲି ଫଟୋ ଛାଡି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ସେପଟେ ହାତୀପଲ ଚିକିତ୍ସାଳୟ ପରିସରରେ ଉତ୍ପାତ ସୃଷ୍ଟି କରୁଥାନ୍ତି। ଭୟଭୀତ ଅନ୍ତେବାସୀମାନଙ୍କ ଆବାସିକ ସ୍ଥଳି ନିକଟକୁ ହାତୀପଲ ପଳାଇଆସିଥିଲେ। ଆବାସିକସ୍ଥଳି ନିକଟରେ ଥିବା ଆମ୍ବଗଛରୁ ଆମ୍ବ ଖାଇବା ସହିତ ଗଛକୁ ଗୋଡରେ ଭାଙ୍ଗିଥିଲେ ଓ ଭୟଭୀତ ପରିବେଶ ସୃଷ୍ଟି କରିଥିଲେ। ହାତୀ ଜଗୁଆଳି ଓ ବନକର୍ମଚାରୀମାନେ ଘଉଡାଇବା ପାଇଁ ଚିକିତ୍ସାଳୟ ପରିସରକୁ ଆସିନଥିଲେ। ରାସ୍ତା ଉପରେ ଠିଆ ହୋଇ କୋଭିଡ ଚିକିତ୍ସାଳୟର ଆଳ ଦେଖାଇ ହାତୀମାନଙ୍କୁ ଘଉଡାଇବା ପାଇଁ ଯାଇନଥିଲେ। ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା। ହାତୀପଲ ଚିକିତ୍ସାଳୟ ପରିସରରେ ଅବସ୍ଥାନ କରିବା ,ଆମ୍ବ ,କାଜୁ ଓ କଦଳୀ ବଗିଚାରେ ଭଙ୍ଗାରୁତା କରି ଭୟଭୀତ ପରିବେଶ ସୃଷ୍ଟି କରିବା ଘଟଣାକୁ ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ଗୁରୁତର ସହିତ ଗ୍ରହଣ କରିଥିଲେ। ବନକର୍ମଚାରୀ ଓ ହାତୀଜଗୁଆଳୀମାନେ ଚିକିତ୍ସାଳୟ ଭିତରକୁ ଯାଇ ହାତୀ ଘଉଡାଇନଥିବା କଥାକୁ ମଧ୍ୟ ଶୁଣିଥିଲେ। ତେଣୁ କାଳବିଳମ୍ବ ନକରି ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ରାତି ପ୍ରାୟ ସାଢେ ୧ଟାବେଳେ ନିଜେ ଆସି ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ପହଞ୍ଚିଥିଲେ ଏବଂ ହାତୀପଲ ଥିବା ଦେଖି ଘଉଡାଇଥିଲେ।
ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବଙ୍କୁ ଦେଖି ରାସ୍ତା ଉପରେ ଠିଆହୋଇ ହାତୀ ଘଉଡାଇବାର ଅଭିନୟ କରୁଥିବା କେତେକ ବନକର୍ମଚାରୀ ଓ ହାତୀଜଗୁଆଳି ବାଧ୍ୟ ହୋଇ ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବଙ୍କ ନିକଟକୁ ଯାଇଥିଲେ। ବନଖଣ୍ଡ ଅଧିକାରୀ ଓ ବନକର୍ମଚାରୀଙ୍କ ସହିତ ଗୋପବନ୍ଧୁ ଚିକିତ୍ସାଳୟର କେତେକ କର୍ମଚାରୀ ମିଳିତ ଭାବରେ ଦୀର୍ଘ ୩ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ହାତୀପଲଙ୍କୁ ରାତି ୩ଟାରେ ହାତୀପଲଙ୍କୁ ଚିକିତ୍ସାଳୟ ପରିସରରୁ ବାହାରକରିଥିଲେ। ହାତୀପଲଙ୍କ ଦ୍ୱାରା ୪୦ଫୁଟ ଲମ୍ବର ପାଚୀର ଭାଙ୍ଗିବା, ୩୨ଟି ଆମ୍ବଗଛ ରୁ ଆମ୍ବ ଖାଇବା ସହ ଭାଙ୍ଗିବା, କାଜୁ ଓ କଦଳୀଗଛ ନଷ୍ଟକରି ଲକ୍ଷାଧିକ ଟଙ୍କା କ୍ଷତି ଘଟାଇଛନ୍ତି। ବିଳମ୍ବିତ ରାତିରେ ବନଖଣ୍ଡ ଅଧିକାରୀ ନିଜେ ଆସି ହାତୀଘଉଡାଇବା ତାଙ୍କ କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱବୋଧ ପ୍ରତି ଏବେ ସାଧାରଣରେ ଚର୍ଚ୍ଚା ଖୁବ ଜୋରରେ ଧରିଛି।
Comments are closed.