ଏସୀୟ କୁସ୍ତି : ଗୁରପ୍ରୀତ ଓ ସୁନୀଲଙ୍କୁ ରୌପ୍ୟ

ଜିଆନ୍ (ଚୀନ୍‌) : ଏଠାରେ ଚାଲିଥିବା ଏସୀୟ କୁସ୍ତି ଚମ୍ପିଆନ୍‌ସିପ୍‌ରେ ଶନିବାର ଭାରତକୁ ୨ଟି ରୌପ୍ୟପଦକ ମିଳିଛି । ଭାରତକୁ ଏହି ୨ଟି ରୌପ୍ୟପଦକ ଜିତାଇଛନ୍ତି ଗୁରପ୍ରୀତ ସିଂହ ଓ ସୁନୀଲ କୁମାର। ପୁରୁଷ ୭୭ କେଜି ଗ୍ରୀକୋ-ରୋମାନ ବର୍ଗରେ ଗୁରପ୍ରୀତ ଏହି ରୌପ୍ୟପଦକ ଜିତିଛନ୍ତି। ଫାଇନାଲରେ ଗୁରପ୍ରୀତ ସିଂହଙ୍କୁ କୋରିଆର ପହିଲମାନ ହ୍ୟେଓନ୍ଉ କିମ୍ ୮-୦ ପଏଣ୍ଟରେ ପରାସ୍ତ କରିଛନ୍ତି।
କ୍ବାର୍ଟରଫାଇନାଲରେ ଗୁରପ୍ରୀତ ସହଜରେ କାତାରର ବାଖିତ୍ ସରିଫ୍ ବାଦ୍‌ରଙ୍କୁ ୧୦-୦ ପଏଣ୍ଟରେ ପରାସ୍ତ କରିଥିଲେ। ତେ​‌େ​‌ବ ସେମିଫାଇନାଲରେ ଗୁରପ୍ରୀତଙ୍କୁ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା। ଏଥିରେ ସେ କାଜାଖ୍‌ସ୍ତାନର ତାମରଲେନ୍ ସାଡୁକାୟେଭ୍‌ଙ୍କୁ ୬-୫ ପଏଣ୍ଟରେ ପରାସ୍ତ କରିଥିଲେ। ଭାରତକୁ ଶନିବାର ୨ୟ ରୌପ୍ୟପଦକ ଜିତାଇଛନ୍ତି ସୁନୀଲ କୁମାର। ପୁରୁଷ ୮୭ କେଜି ଗ୍ରୀକୋ-ରୋମାନ ବର୍ଗରେ ରନର୍ସଅପ୍ ହୋଇ ସୁନୀଲ ଏହି ରୌପ୍ୟପଦକ ଜିତି ପାରିଛନ୍ତି। ଫାଇନାଲରେ ସୁନୀଲଙ୍କୁ ଇରାନ୍‌ର ହୋସେନ୍ ଅହମ୍ମଦ ନୌରି ୨-୦ ପଏଣ୍ଟରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ସେମିଫାଇନାଲରେ ସୁନୀଲ ୬-୫ ପଏଣ୍ଟରେ କାଜାଖ୍‌ସ୍ତାନର ଆଜାମତ୍ କୁସ୍ତୁବାୟେଭ୍‌ଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଜଣେ ଭାରତୀୟ ପ୍ରେମ୍‌ଙ୍କ ପାଖ​‌େ​ର ମଧ୍ୟ ପଦକ ଜିତିବାର ସୁଯୋଗ ଥିଲା। ତେବେ ୧୩୦ କେଜି ଗ୍ରୀକୋ-ରୋମାନ ବର୍ଗର ବ୍ରୋଞ୍ଜ୍‌ପଦକ ମୁକାବିଲାରେ ପ୍ରେମ୍‌ଙ୍କୁ କାଜାଖ୍‌ସ୍ତାନର ଦାମିର କୁଜେମ୍‌ବାୟେଭ୍ ପରାସ୍ତ କରିଥିଲେ। ପ୍ରେମ୍ ଉଜ୍‌ବେକିସ୍ତାନର ପହିଲମାନଙ୍କଠାରୁ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଥିଲେ ହେଁ ଉଜ୍‌ବେକ୍ ପହିଲମାନ ଫାଇନାଲରେ ପହଞ୍ଚିବାରୁ ପ୍ରେମ୍ ବ୍ରୋଞ୍ଜ୍‌ପଦକ ମୁକାବିଲାରେ ପହଞ୍ଚିଥିଲେ। ୫୫ କେଜିରେ ମନଜିତ ଏବଂ ୬୩ କେଜିରେ ଭାରତର ବିକ୍ରମ କୃଶନାଥ କ୍ବାର୍ଟରଫାଇନାଲରେ ପରାସ୍ତ ହୋଇ ଯାଇଥିଲେ।

Comments are closed.