କରୋନା : କାହା ପାଇଁ ସମସ୍ୟା ତ କାହା ପାଇଁ ସୁଯୋଗ; ବଢୁଛି ଗୁଡର ଚାହିଦା

ରେଙ୍ଗାଲି : ବୈଶ୍ୱିକ ମହାମାରୀ କରୋନାର କରାଲ ରୂପ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିଛି। ସଟ୍‍ ଡାଉନ୍‍ ଏବଂ ଲକ୍‍ ଡାଉନ୍‍ ର କଟକଣାରେ ଅସଂଖ୍ୟ ପରିବାରର ବ୍ୟବସାୟ ଠପ୍‍ ହେବା ସହିତ ଜୀବନ ଜୀବକା ଉପରେ ଏହାର ଗୁରୁତର ପ୍ରଭାବ ପକାଇଛି। ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ସ୍କୁଲ, କଳେଜ ବନ୍ଦ ଯୋଗୁଁ ଚାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା। ଅନେକ ବ୍ୟବସାୟ ପ୍ରତିଷ୍ଠାନ ବି ବନ୍ଦ।

କରୋନା ବହୁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ କିଛି ଲୋକଙ୍କ ପାଇଁ ଅପୂର୍ବ ସୁଯୋଗ ଆଣି ଦେଇଛି। ସେ ମଧ୍ୟରୁ ରନ୍ଧାମଦ ତିଆରି କାରବାର ଅନ୍ୟତମ। ଦେଶୀ ଏବଂ ବିଦେଶୀ ମଦ ଦୋକାନ ଗୁଡିକ ମାସ ମାସ ଧରି ସିଲ୍‍ କରିଦେବା ରନ୍ଧାମଦ ପ୍ରସ୍ତୁତକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କଲା। ଗାଁ ଗାଁରେ ରନ୍ଧାମଦ ତିଆରି ଏକ ମୁଖ୍ୟ ଧନ୍ଦାରେ ପରିଣତ ହୋଇଛି। ବିଶେଷ କରି ଜଙ୍ଗଳ ତଳି ଅଞ୍ଚଳ ରେ ଥିବା ଗାଁ ମାନଙ୍କରେ  ଏହା କୁଟୀର ଶିଳ୍ପରେ ପରିଣତ ହୋଇଗଲାଣି।

ରନ୍ଧା ମଦ ତିଆରି କାରବାର ଯେତିକି ବୃଦ୍ଧି ପାଉଛି। ଗୁଡର ଚାହିଦା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚିନିର ଚାହିଦା ବୃଦ୍ଧି ପାଇବା ପରେ ଲୋକେ କାଁଭାଁ ପର୍ବପର୍ବାଣିରେ ପିଠାପଣା କରିବା ପାଇଁ ଗୁଡ ବ୍ୟବହାର କରୁଥିଲେ। କିନ୍ତୁ କରୋନା ସଟ୍‍ ଡାଉନ୍‍ ଏବଂ ଲକ୍‍ ଡାଉନ୍‍ ଆଦି କଟକଣା ଗୁଡର ଚାହିଦାକୁ ବଢାଇ ଦେଇଛି। ଚିନିର ଚାହିଦା ଆଗରେ ହାର୍‍ ମାନି ଥିବା ଗୁଡ ମଦରନ୍ଧା କାରବାର ବୃଦ୍ଧି ଯୋଗୁଁ ଚିନି ସହିତ ଗୁଡ ସମକକ୍ଷ ହେବାକୁ ବସିଲାଣି।

Comments are closed.