ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ୨୪ ପ୍ଲଟ, କ୍ରସରକୁ ମିଶାଇ କୋଟିଏ ୮୩ ଲକ୍ଷର ସମ୍ପତ୍ତି ଠାବ

ଗୁଣପୁର/ବ୍ରହ୍ମପୁର:ରାୟଗଡା ଜିଲା ଗୁଣପୁରସ୍ଥିତ ରାସ୍ତା ଓ କୋଠାବାଡି ବିଭାଗ-୨ ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଗଞ୍ଜାମ ଓ ଗଜପତି ଭିଜିଲାନ୍ସର ୫ଟି ଟିମ ଦ୍ବାରା ହୋଇଥିବା ଏହି ଚଢଉ ସମୟରେ ଉଦ୍ଧବ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ମୋଟ ୧ କୋଟି ୮୩ ଲକ୍ଷ ୬୪ ହଜାର ୯୯୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବଙ୍କ ଘରେ ଚଢଉ ପାଇଁ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ସେହି ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଗୁଣପୁର ଠାରେ ଥିବା ଉଦ୍ଧବଙ୍କ କାର୍ୟ୍ୟାଳୟ ସହ ସରକାରୀ ବାସଭବନ, ବ୍ରହ୍ମପୁର କମାପଲ୍ଲୀ ଠାରେ ଥିବା ୩ ମହଲା କୋଠା, ଗଞ୍ଜାମ ଜିଲା ଧରାକୋଟ ବ୍ଳକ ଦୁର୍ଗାମାଧବପୁର ଠାରେ ଥିବା କ୍ରସର ୟୁନିଟରେ ଚଢଉ କରିଥିଲେ। ଚଢଉ ବେଳେ ଯନ୍ତ୍ରୀ ଉଦ୍ଧବଙ୍କ ସମେତ ତାଙ୍କ ପତ୍ନୀ ମଧୁମଞ୍ଜରୀ ପାଢୀ, ପୁଅ କାହ୍ନୁଚରଣ ପାଢୀ ଓ ଶ୍ୟାମସୁନ୍ଦର ପାଢୀଙ୍କ ନାଁରେ ଗଞ୍ଜାମର ପୁରୁଷୋତ୍ତମପୁର, ଧରାକୋଟ, ସୋରଡା ଓ ହିଞ୍ଜିଳି ତହସିଲ ଅଧିନରେ ମୋଟ ୨୪ ଟି ପ୍ଳଟକୁ ଭିଜିଲାନ୍ସ ଅଧିକାରୀମାନେ ଠାବ କରିଥିଲେ ା ସେହିପରି ପୁଅ କାହ୍ନୁଙ୍କ ନାଁରେ ଧରାକୋଟରେ ଥିବା ୭ ଲକ୍ଷ ଟଙ୍କା ମୂଲ୍ୟର କ୍ରସର ୟୁନିଟ, ପତ୍ନୀ ମଧୁମଞ୍ଜରୀଙ୍କ ନାଁରେ ବ୍ରହ୍ମପୁରର କମାପଲ୍ଲୀ ଆର.ସି.ଦାସ ଲେନରେ ୪୩ ଲକ୍ଷ ଟଙ୍କା ମୂଲ୍ୟର ୩ ମହଲା କୋଠାକୁ ଠାବ କରାଯାଇଛି। ଉଦ୍ଧବ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଥିବା ୩୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଘର ଓ ବ୍ୟାଙ୍କ ଲକରରେ ଥିବା ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ସାଢେ ୫ ଲକ୍ଷ ଟଙ୍କାର ଏକ ହୁଣ୍ଡାଇ କାର, ଲକ୍ଷେ ଟଙ୍କିଆ ବୁଲେଟ ଗାଡି, ୪୦ ଲକ୍ଷ ଟଙ୍କାର କ୍ରସର ମେସିନ, ୧୧ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ଓ ଘରୁ ନଗଦ ୨ ଲକ୍ଷ ୯୫ ହଜାର ୭୦ ଟଙ୍କା ଠାବ କରାଯାଇଛି। ଉଦ୍ଧବ ୧୯୯୧ରେ କନିଷ୍ଠ ଯନ୍ତ୍ରୀଭାବେ ପୂର୍ତ୍ତ ବିଭାଗରେ ଚାକିରି ଆରମ୍ଭ କରିଥିଲେ। ଉଦ୍ଧବଙ୍କ ଆଉ କେଉଁ ସ୍ଥାନରେ ସମ୍ପତ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନିଲ କୁମାର ପାତ୍ର କହିଛନ୍ତି। ଆଜିର ଚଢଉରେ ଡିଏସପି ହେନେରୀ କୁଲୁଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇଥିଲେ।

Comments are closed.