ଗୁଣପୁର ସବ୍‍ ଜେଲରେ ୭୬ ପଜିଟିଭ୍‍ : କାରାଗାରରେ ଆଇସୋଲେସନ ୱାର୍ଡ

ଗୁଣପୁର : ସ୍ଥାନୀୟ ସବ୍‍ ଜେଲରେ ୪ଜଣ କର୍ମଚାରୀଙ୍କ ସମେତ ୭୬ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‍ଙ୍କ ମଧ୍ୟରେ ୭୨ଜଣ କଏଦୀ ରହିଛନ୍ତି। ପୁର୍ବରୁ ଗତ ୨୪ ତାରିଖରେ ୩୨ ଜଣଙ୍କ ଆଣ୍ଟିଜେନ ପରୀକ୍ଷାରୁ ଜଣେ ପଜିଟିଭ୍‍ ଚିହ୍ନଟ ହୋଇଥଲେ। ପରବର୍ତ୍ତି ଅବସ୍ଥାରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୧୧୬ ଜଣଙ୍କର ଆରଟି-ପିସିଆର ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ଚାରିଜଣ କର୍ମଚାରୀ ଓ ୭୧ଜଣ କଏଦୀ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ତେବେ ପଜିଟିଭ୍‍ଙ୍କ ମଧ୍ୟରେ କେହି ମହିଳା ନଥିବା ଜଣା ପଡ଼ିଛି। ସେହିପରି ଜେଲ୍‍ର ଜେଲରଙ୍କର ମଧ୍ୟ ନେଗେଟିଭ୍‍ ରିପୋର୍ଟ ଆସିଥିବା ସୂଚନା ମିଳିଛି। ତେବେ ପଜିଟିଭ୍‍ ଚିହ୍ନଟ ହୋଇଥିବା ଚାରିଜଣ କର୍ମଚାରୀଙ୍କର ଦୁଇଟି ପର୍ଯ୍ୟାୟ ଟିକାକରଣ ସରିଥିବା ଜେଲର କହିଛନ୍ତି। ଏହାପରେ ଏବେ ପଜିଟିଭ୍‍ ଚିହ୍ନଟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜେଲ କର୍ମଚାରୀ ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଜେଲ୍‍ ରେ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‍ ପହଞ୍ଚିଛନ୍ତି।
ଗୁଣପୁରରେ ଗତ ସପ୍ତାହେ ହେଲା ପଜିଟିଭ୍‍ ସଂଖ୍ୟା ହ୍ରାସପାଇ ଆସୁଥିବା ବେଳେ ମଙ୍ଗଳବାର ହଠାତ୍‍ ଜେଲ ଭିତରୁ ଏତେ ସଂଖ୍ୟକ ପଜିଟିଭ୍‍ ଖବର ସମସ୍ତଙ୍କୁ ଚକିତ କରିଦେଇଛି। ଏହାପରେ ଜେଲ ଭିତରେ ଗୋଟିଏ ୱାର୍ଡକୁ ଆଇସୋଲେସନ ୱାର୍ଡ କରାଯାଇଥିବା ଜେଲର କାମାକ୍ଷୀ ପତି କହିଛନ୍ତି। ଜେଲ ଭିତରେ ଥିବା ୬ଟି ୱାର୍ଡରୁ ଗୋଟିଏ ମହିଳା ମାନଙ୍କ ପାଇଁ ରହିଥିବା ବେଳେ ଆଉ ଗୋଟିଏକୁ ପୁର୍ବରୁ ସଙ୍ଗରୋଧ ୱାର୍ଡ କରାଯାଇଥିଲା। ନୂଆ କଏଦୀ ଆସିଲେ ସେଠାରେ ୧୪ଦିନ ରହିବା ପରେ ସାଧାରଣ ୱାର୍ଡକୁ ଅଣାଯାଉ ଥିଲା। ଏବେ ବଳକା ଥିବା ଆଉ ଚାରୋଟି ୱାର୍ଡକୁ ପଜିଟିଭ୍‍ ନେଗେଟିଭ୍‍ଙ୍‍କ ମଧ୍ୟରେ ବାଣ୍ଟିଦିଆ ଯାଇଛି। ଏବେ ଜେଲରେ ଥିବା ୧୧୫ ଜଣ କଏଦୀଙ୍କ ମଧ୍ୟରୁ ୭୧ଜଣ ପଜିଟିଭ୍‍ ଥିବାବେଳେ ଅନ୍ୟମାନେ ନେଗେଟିଭ୍‍ ଅଛନ୍ତି। ୭୧ଜଣ ପଜିଟିଭ୍‍ଙ୍କ ମଧ୍ୟରୁ ଜଣଙ୍କୁ ବହୁ ପୁର୍ବରୁ ଜେକେ କୋଭିଡ ହସପିଟାଲକୁ ପଠା ଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ଏବେ ତାଡମା ସିସିସିରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Comments are closed.