ରେଳବାଇ ଜାଗା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ଗୁଣୁପୁର : ହଟିବ ରେଳବାଇ ଜମି ଜବରଦଖଲ। ବିକଶିତ ହେବ ସର୍ବପୁରାତନ ତଥା ଶତାୟୁ ନୌପଡା-ଗୁଣୁପୁର ରେଳପଥର ଗୁଣୁପୁର ରେଳ ଷ୍ଟେସନ। ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ସହ, ନୂଆ ପ୍ଲାଟଫର୍ମ ନିର୍ମାଣ, ଶୌଚାଳୟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ରେଳବାଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରବିବାର ବିଶାଖାପାଟଣା ଡିଭିଜନର ଅଧିକାରୀ ଓ ରେଳବାଇ ପୁଲିସ ଗୁଣୁପୁର ଆସି ଜବରଦଖଲ ହୋଇଥିବା ଅଞ୍ଚଳ ସବୁ ବୁଲି ଦେଖିବା ସହ ଜବରଦଖଲ କାରୀଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ଅଞ୍ଚଳ ଉଚ୍ଛେଦ କରାଯିବ ତେଣୁ ଯେଉଁମାନେ ଜବରଦଖଲ କରିଛନ୍ତି ସେମାନେ ନିଜ ଆଡୁ ଘର ହେଉ କି ବ୍ୟବସାୟ ପ୍ରତିଷ୍ଠାନ ଖାଲି କରିଦେବାକୁ ପରାମର୍ଶ ଦେଇଥିଲେ।

ଖବରପାଇ ଗୁଣୁପୁର ପୋୖର ପରିଷଦ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ସେଠାରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ସହ ଆଲୋଚନା କରି ଉଛେଦ ପ୍ରକ୍ରିୟା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଗତ ୨୯ ତାରିଖରେ ଓଲଟିୟର ଡିଭିଜନର ଡିଆରଏମ ଅନୁପ ଶତପଥୀ ଗୁଣୁପୁର ଷ୍ଟେସନ ପରିଦର୍ଶନରେ ଆସିଥିଲେ। ସେଠାରେ ଆନ୍ଧ୍ର ଓଡିଶା ରେଳ ବ୍ୟବହାରକାରୀ ସଙ୍ଘ ପକ୍ଷରୁ ଡ଼ ସତ୍ୟପ୍ରକାଶ ପଣ୍ଡା ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ନବନିର୍ମାଣ ସମିତି ଭଳି କିଛି ସଂଗଠନ ପକ୍ଷରୁ ଗୁଣୁପୁର ରେଳପଥ ଓ ଷ୍ଟେସନର ବିକାଶ ନେଇ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଖୁବଶୀଘ୍ର ଏଠାରୁ ରେଳବାଇ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇ ବିକାଶକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଥିଲେ ।

Comments are closed.