ମଙ୍ଗାଲୋର ରେ ବନ୍ଧା ପଡିଛନ୍ତି ଗୁଣୁପୁରର ୮ ଦାଦନ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

ଗୁଣୁପୁର: ପୁଣି ସାମନାକୁ ଆସିଛି ଦାଦନ ଦୁଃଖ। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଜଲତାର ପଞ୍ଚାୟତ ଲୁଙ୍ଗୁରତାଲ ଗ୍ରାମର ୫ ଜଣ ଓ ଘନନ୍ତ୍ରୀ ପଞ୍ଚାୟତ ସମ୍ପେନି ଗ୍ରାମର ୩ ଜଣ ଶ୍ରମିକ ମଙ୍ଗାଲୋରରେ ବନ୍ଧା ପଡି ଅକଥନୀୟ ନିର୍ଯ୍ୟାତନା ଭୋଗୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ପଦ୍ମପୁର ବ୍ଳକର ବଣ୍ଡାଗୁଡି ଗ୍ରାମର ବାଲଜି ଗମାଙ୍ଗ ନାମକ ଜଣେ ବ୍ୟକ୍ତି ଗତ ମାର୍ଚ୍ଚ ୨୭ ତାରିଖରେ ଏହି ୮ ଜଣ ଶ୍ରମିକଙ୍କୁ ଭଲ କମ୍ପାନୀରେ ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ କର୍ଣ୍ଣାଟକର ମଙ୍ଗାଲୋରର ମରିନା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ପ୍ରତିଷ୍ଠାନରେ ମୂଲିଆ ଭାବେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ସେଠାରେ ଶ୍ରମିକମାନଙ୍କୁ ଖାଦ୍ୟପେୟରେ ଅବହେଳା, ଦେହ ଖରାପ ହେଲେ ବି କାର୍ଯ୍ୟ କରିବାକୁ ବାଧ୍ୟ କରାଯିବା ଓ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗ ହୋଇଛି। ଆଜି ସ୍ଥାନୀୟ ସିପିଆଇ ଏମଏଲ ନେତା ତିରୁପତି ଗମାଙ୍ଗ ଏ ନେଇ ଅବଗତ ହେବାପରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ପ୍ରଶାସନକୁ ଅବଗତ କରାଇଥିବା ଜଣାପଡିଛି।

Comments are closed.