ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଜଲତାର ଗ୍ରାମବାସୀ

ଗୁଣୁପୁର : ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସରକାରଙ୍କ ମୁଖ୍ୟ ଦାୟିତ୍ୱ ହୋଇଥିବା ବେଳେ ଉପାନ୍ତ ଅଞ୍ଚଳରେ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଜଲତାର ଗ୍ରାମରେ । ଏଠାକାର କିଛି ୱାର୍ଡରେ ଏବେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମସ୍ୟା ଦେଖାଯାଇଛି। ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଏଠାକାର ବାସିନ୍ଦା ହନ୍ତସନ୍ତ ହେଉଛନ୍ତି।
ସୂଚନା ଅନୁଯାୟୀ ନଳକୂପ ରହିଛି ହେଲେ ଦୂଷିତ ପାଣି ବାହାରୁଛି । ପାଣିରେ ଲୁହାଗୁଣ୍ଡ ଓ ଧୂଳି ଅଂଶ ରହୁଥିବାରୁ ପାନୀୟ ଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିଭଳି ସପ୍ଲାଇ ପାଇପ ଷ୍ଟାଣ୍ଡ ଗୁଡିକ ତିଆରି ହୋଇଛି କିନ୍ତୁ ସଂଯୋଗ ନାହିଁ । ଆଉ କେଉଁଠାରେ ଷ୍ଟାଣ୍ଡ ପୋଷ୍ଟ ଭୂମିରେ ଲଟୁଥିବା ଦେଖିବାକୁ ମିଳିଛି । ପାଖରେ ଅନ୍ୟକିଛି ଜଳଉତ୍ସ ନ ଥିବାରୁ ଏହି ନଳକୂପ ଉପରେ ହିଁ ନିର୍ଭରଶୀଳ ଗ୍ରାମବାସୀ । ସରକାର ପାନୀୟଜଳ ଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୌଳିକ ସୁବିଧା କିନ୍ତୁ ଅପହଞ୍ଚ ପାଲଟିଛି । ଏହି ସମସ୍ୟା ସମ୍ପର୍କରେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରାଇବାରୁ ତୁରନ୍ତ ଏହି ସମସ୍ୟା ର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।