ଗୁଣପୁର ସବ୍‍ ଜେଲରେ ୭୬ ପଜିଟିଭ୍‍, ଖୋଲିଲା ଏକାନ୍ତଵାସ କେନ୍ଦ୍ର

ଗୁଣପୁର: ଗୁଣପୁର ସବ୍‍ ଜେଲରେ ୪ ଜଣ କର୍ମଚାରୀଙ୍କ ସମେତ ୭୬ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‍ଙ୍କ ମଧ୍ୟରେ ୭୨ ଜଣ କଏଦୀ ରହିଛନ୍ତି। ପୁର୍ବରୁ ଗତ ୨୪ ତାରିଖରେ ୩୨ ଜଣଙ୍କ ଏଣ୍ଟିଜେନ ପରୀକ୍ଷାରୁ ଜଣେ ପଜିଟିଭ୍‍ ଚିହ୍ନଟ ହୋଇଥିଲା। ପରବର୍ତ୍ତି ଅବସ୍ଥାରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୧୧୬ ଜଣଙ୍କର ଆର୍ଟିପିସିଆର ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ଚାରିଜଣ କର୍ମଚାରୀ ଓ ୭୧ ଜଣ କଏଦୀ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ତେବେ ପଜିଟିଭ୍‍ଙ୍କ ମଧ୍ୟରେ କେହି ମହିଳା ନଥିବା ଜଣା ପଡିଛି। ସେହିପରି ଜେଲରଙ୍କର ମଧ୍ୟ ନେଗେଟିଭ୍‍ ରିପୋର୍ଟ ଆସିଥିବା ସୂଚନା ମିଳିଛି। ତେବେ ପଜିଟିଭ୍‍ ଚିହ୍ନଟ ହୋଇଥିବା ଚାରିଜଣ କର୍ମଚାରୀଙ୍କର ଦୁଇଟି ପର୍ଯ୍ୟାୟ ଟିକା ସରିଥିବା ଜେଲର କହିଛନ୍ତି। ଏହାପରେ ଏବେ ପଜିଟିଭ୍‍ ଚିହ୍ନଟ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜେଲ କର୍ମଚାରୀମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଜେଲରେ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‍ ପହଞ୍ଚିଛନ୍ତି।

ଗୁଣପୁରରେ ଗତ ସପ୍ତାହେ ହେଲା ପଜିଟିଭ୍‍ ସଂକ୍ୟା ହ୍ରାସପାଇ ଆସୁଥିବା ବେଳେ ଆଜି ହଠାତ୍‍ ଏତେ ସଂଖ୍ୟକ ପଜିଟିଭ୍‍ ଖବର ସମସ୍ତଙ୍କୁ ଚକିତ କରିଦେଇଛି। ଏହାପରେ ଜେଲ ଭିତରେ ଗୋଟିଏ ୱାର୍ଡକୁ ଆୟୁସଲେସନ ୱାର୍ଡ କରାଯାଇଥିବା ଜେଲର କାମାକ୍ଷୀ ପତି କହିଛନ୍ତି। ଜେଲ ଭିତରେ ଥିବା ୬ଟି ୱାର୍ଡରୁ ଗୋଟିଏ ମହିଳାମାନଙ୍କ ପାଇଁ ରହିଥିବା ବେଳେ ଆଉ ଗୋଟିଏକୁ ପୁର୍ବରୁ କ୍ୱାରାଣ୍ଟାଇନ ୱାର୍ଡ କରାଯାଇଥିଲା। ନୂଆ କଏଦୀ ଆସିଲେ ସେଠାରେ ୧୪ଦିନ ରହିବା ପରେ ସାଧାରଣ ୱାର୍ଡକୁ ଅଣାଯାଉ ଥିଲା। ଏବେ ବଳକା ଥିବା ଆଉ ଚାରୋଟି ୱାର୍ଡକୁ ପଜିଟିଭ୍‍ ନେଗେଟିଭ୍‍ଙ୍‍କ ମଧ୍ୟରେ ବାଣ୍ଟିଦିଆ ଯାଇଛି। ଏବେଥିବା ୧୧୫ ଜଣ କଏଦୀଙ୍କ ମଧ୍ୟରୁ ୭୧ଜଣ ପଜିଟିଭ୍‍ ଥିବାବେଳେ ଅନ୍ୟମାନେ ନେଗେଟିଭ୍‍ ଅଛନ୍ତି। ୭୧ଜଣ ପଜିଟିଭ୍‍ଙ୍‍କ ମଧ୍ୟରୁ ଜଣଙ୍କୁ ବହୁ ପୁର୍ବରୁ ଜେକେ କୋଭିଡ ହସପିଟାଲକୁ ପଠା ଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ଏବେ ତାଡମା ସିସିସିରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Comments are closed.