ଇଏ କି ପ୍ରକାର ତାଲାବନ୍ଦ ? ଗୁଣୁପୁରରେ ସବୁକିଛି ସ୍ୱାଭାବିକ

ପ୍ରଶାସନ ଓ ପୁଲିସ ନୀରବ ଦ୍ରଷ୍ଟା

ଗୁଣୁପୁର: କରୋନାର ଦ୍ୱିତୀୟ ଲହର ଘାତକ ସାବ୍ୟସ୍ତ ହୋଇ ହୁ ହୁ ହୋଇ ମାଡ଼ି ଚାଲୁଥିବାରୁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଥିଲେ । ଏଥିପାଇଁ ମୁଖ୍ୟ ଶାସନ ସଚିବ ବିସ୍ତୃତ ଭାବେ ଲଡାଉନର ମାର୍ଗଦର୍ଶିକା ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିଥିଲେ । ଏହାକୁ କଡାକଡି ପାଳନ କରିବାକୁ ପ୍ରଶାସନ ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ରାୟଗଡା ଜିଲ୍ଲା ଗୁଣୁପୁରରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭିଡ଼ ପରିଲକ୍ଷିତ ହେବାରୁ ପରିବା ଓ ସଉଦା ଦୋକାନକୁ ଲୋକେ ପାଞ୍ଚ ଶହ ମିଟର ଭିତରେ ଚାଲି ଚାଲି ଯିବାକୁ କୁହାଯାଇଛି ।

ସେହିପରି କୌଣସି ଯାନବାହନ ଚଳାଚଳ ନ କରିବାକୁ ନିର୍ଦେଶ ଦିଆଯାଇଛି । ରାସନ, ପରିବା, କ୍ଷୀର, ମାଛ, ମାଂସ ଦୋକାନ ଦିନ ୧୨ ଟା ଯାଏଁ ଖୋଲା ରଖିବାକୁ ମଧ୍ୟ କୁହାଯାଇଥିଲା । କିନ୍ତୁ ବିଡମ୍ବନା ବିଷୟ ହେଉଛି ଗୁଣୁପୁରରେ ଏସବୁର ପ୍ରଭାବ କିଛି ପଡ଼ିନାହିଁ। ସହରରେ ସମସ୍ତ ପ୍ରକାର ଦୋକାନ ବଜାର ଖୋଲା ରହୁଛି । ଲୋକେ ନାହିଁ ନଥିବା ଭିଡ଼ ମଧ୍ୟ କରୁଛନ୍ତି । ବସକୁ ଛାଡି ଅନ୍ୟ ସମସ୍ତ ଯାନବାହନ ଓଭର ଲୋର୍ଡିଙ୍ଗ କରି ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନ ପରେ ମଧ୍ୟ ବଜାର ଖୋଲା ରହୁଛି । ସରକାର କେବଳ ରାସନ ଓ ଅଣ୍ଡା, କ୍ଷୀର ଦୋକାନ ଖୋଲିବାକୁ ଅନୁମତି ଦେଇଥିବାରୁ ଅନେକ ଦୋକାନୀ ନିଜ ଦୋକାନ ସାମନାରେ କିଛି ଆଳୁ, ପିଆଜ, ଅଣ୍ଡା, କ୍ଷୀର ରଖିଦେଇ ଭିତରେ ତାଙ୍କ ବ୍ୟବସାୟ କରୁଥିବା ଦେଖାଯାଇଛି । ସେହିଭଳି ସ୍ଥାନୀୟ ଓଭର ବ୍ରିଜ ଛକ, ତ୍ରିନାଥ ମନ୍ଦିର ଛକ, ପୁରୁଣା ଗୁଣୁପୁର ନିକଟରେ ଅଟୋ, ମେକ୍ସ ପିକପରେ ଲୋକେ ଖୁନ୍ଦା ଖୁନ୍ଦି ହୋଇ ଅତି ଦହନୀୟ ଓ ବିପଦପୂର୍ଣ୍ଣ ଯାତାୟାତ କରୁଛନ୍ତି ।

ସବୁଠାରୁ ଆଶ୍ଚର୍ୟ୍ୟ ବିଷୟ ହେଉଛି ସ୍ଥାନୀୟ ପ୍ରଶାସନ ଓ ପୁଲିସ ସବୁ ଦେଖି ନୀରବ ଦ୍ରଷ୍ଟା ସାଜିଥିବା ସହରର ବୁଦ୍ଧିଜୀବୀଙ୍କୁ ଚକିତ କରିଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଏଠି କିଭଳି ପାଳନ କରାଯାଉଛି ତାହା ଜଳଜଳ ହୋଇ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହାର ଭରପୁର ଫାଇଦା ଉଠାଉଛନ୍ତି ଲାଭଖୋର ବ୍ୟବସାୟୀ । ବିଭିନ୍ନ ସାମଗ୍ରୀ ମହଜୁଦ ରଖି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ସେହିଭଳି ବାଲି ମାଫିଆଙ୍କ ଟ୍ରାକ୍ଟରଙ୍କୁ କୌଣସି ନିୟମ ଯେଭଳି ନାହିଁ । ରାତିରେ ଓ ଭୋର ୩ ଟାରୁ ବଂଶଧାରା ନଦୀରୁ ବାଲି ଉଠେଇ ଚୋରା ଚାଲାଣ ଓ ବିକ୍ରିରେ ଲିପ୍ତ ରହୁଥିବା ଜଣାପଡ଼ିଛି । ପ୍ରଶାସନିକ ସ୍ଥାଣୁତା ଓ ମଧୁ ଚନ୍ଦ୍ରିକାରୁ ଏଭଳି ଓଲଟା ଛବି ଏଠାରେ ଦେଖିବାକୁ ମିଳିଛି । ଏମିତି ହେଲେ ଅଞ୍ଚଳରେ ଶହସ୍ର ଶହସ୍ର ସଂଖ୍ୟକ ରୋଗୀ ଚିହ୍ନଟ ହେବେ ଏଥିରେ ସନ୍ଦେହ ନାହିଁ ।

Comments are closed.