ବାତ୍ୟା ଗୁଲାବ ପ୍ରଭାବ-ବାସହୀନ ହୋଇଗଲେ ଦୁର୍ଗମ ମଙ୍ଗଳାଗୁଡା ଗ୍ରାମର ୧୫ ପରିବାର 

ଗୁଣୁପୁର: ଛାଡ଼ିଗଲା ବାତ୍ୟା ଗୁଲାବ ଦେଇଗଲା ଦୁର୍ଦ୍ଦଶା । ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଏବେ ବାସହିନ ହୋଇ ପଡିଛନ୍ତି ୧୫ ପରିବାର ।  ଧୀରେ ଧୀରେ ପ୍ରଭାବ ହୀନ ହୋଇ ପଡିଛି ବାତ୍ୟା ଗୁଲାବ । ଛାଡି ଯାଇଛି ବାତ୍ୟା ଦେଇ ଯାଇଛି ଦୁଃଖ ଦୁର୍ଦ୍ଦଶା । ଗତକାଲି ରାୟଗଡା ଜିଲ୍ଲା ରେ ବାତ୍ୟା ର ବିଶେଷ ପ୍ରଭାବ ଦେଖିବାକୁ ମିଳି ନ ଥିଲା ବେଳେ ଗୁଣୁପୁର ବ୍ଳକ ମରମା ପଞ୍ଚାୟତ ର ସୀମାନ୍ତ ତଥା ଦୁର୍ଗମ ଗ୍ରାମ ମଙ୍ଗଳା ଗୁଡା ରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା। ଆନ୍ଧ୍ର ଓଡିଶା ସୀମାନ୍ତ ରେ ଥିବା ଏହି ଗ୍ରାମରେ ବାତ୍ୟା ଗୁଲାବ ରଚିଛି ତାଣ୍ଡବଲୀଳା । ଗତକାଲି ହଠାତ ଏହି ଗ୍ରାମରେ ପ୍ରବଳ ବେଗରେ ପବନ ପ୍ରବାହିତ ହୋଇଥିଲା । ଗ୍ରାମରେ ଥିବା ପ୍ରାୟ ୩୦ ପରିବାର ରୁ ୧୫ ପରିବାର ଲୋକଙ୍କ କଚାଘର ରୁ ଚାଳ ଛପର , ଟିଣ ଉଡି ଯାଇଛି । ଏହି ୧୫ ପରିବାର ର ପ୍ରାୟ ୫୮ ଜଣ ଏବେ ବାସହିନ ହୋଇ ଦୁର୍ବିସହ ଜୀବନ କାଟୁଥିବା ଦେଖିବାକୁ ମିଳିଛି ।
 କେଉଁଠି ବିଜୁଳି ଖୁଣ୍ଟ ଉପୁଡି ପଡ଼ିଛି ତ ଆଉ କେଉଁଠି ଗଛ ଭାଙ୍ଗିପଡି ଭୁଇଁ ରେ ଲୋଟୁଛି । ପବନର ବେଗ ଏତେ ବଢିଥିଲା ଯେ, ଘରର ଟିଣ ଗୁଡ଼ିକ ଗ୍ରାମର ଅନତି ଦୂରରେ ଥିବା ଜଙ୍ଗଲ ରେ ଗଛ ଉପରେ ଲାଖି ରହିଛି । ଲୋକଙ୍କ ଥାଳି, ଗ୍ଲାସ, ଡେକଚି, କଡେଇ, ଲୁଗାପଟା କେଉଁ ଆଡେ ଉଭାନ ହୋଇ ପଡିଛି । ହଠାତ ବର୍ଷା ପବନ ହେବାରୁ ଘରେ ଥିବା ଧାନ, ଚାଉଳ ମଧ୍ୟ ନଷ୍ଟ ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି । ଦୁର୍ଗମ ଅଞ୍ଚଳ ହୋଇ ଥିବାରୁ ଯୋଗାଯୋଗ ର କୌଣସି ସୁବିଧା ଏଠାରେ ଉପଲବ୍ଧ ନାହିଁ । ଖବର ପାଇ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଉକ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରି ରନ୍ଧାଖାଦ୍ୟ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି ।
ତେବେ ବାତ୍ୟା ଗୁଲାବ ରାଜ୍ୟ ସରକାରଙ୍କ ପକ୍କାଘର ସ୍ଲୋଗାନ କୁ ଏଠାରେ ଦଳି ମକଚି ପକେଇଛି । ଏହି ଗ୍ରାମର ଯୋଗ୍ୟ ହିତାଧିକାରୀ ଙ୍କୁ ଏ ଯାଏଁ ପକ୍କାଘର ଖଣ୍ଡିଏ ସରକାର କାହିଁକି ଯୋଗାଇ ଦେଇ ନାହାନ୍ତି ? ଆମ ପରିବାର, 5T , ମୋ ସରକାର କହୁଥିବା ରାଜ୍ୟ ସରକାର ଏ ଦୁର୍ଗମ ଗିରି କନ୍ଦର ରେ ବାସ କରୁଥିବା ଲୋକଙ୍କ ପାଇଁ ବୈମାତୃକ ମନଭାବ କାହିଁକି ? କେବେ ଦୂର ହେବ ଏମାନଙ୍କ ସମସ୍ୟା, କେବେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ତାହା ସମୟ କହିବ ।

Comments are closed.