ଆଭ୍ୟନ୍ତରୀଣ ଗଣତନ୍ତ୍ର ବିନା କଂଗ୍ରେସ ୫୦ବର୍ଷ କ୍ଷମତାକୁ ଫେରିବନି: ଆଜାଦ

ଶଶୀ ତରୁରଙ୍କୁ କେରଳ କଂଗ୍ରେସରେ ତୀବ୍ର ବିରୋଧ

ନୂଆଦିଲ୍ଲୀ : କଂଗ୍ରେସ ବିବାଦ ତୁଟିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି। ନେତୃତ୍ବ ଓ ସଂସ୍କାର ପ୍ରସଙ୍ଗ ଉଠାଇ ଚିଠି ଲେଖିଥିବା ୨୩ ବରିଷ୍ଠ ନେତା ଏଥିପାଇଁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କୁ ଦଳରେ କୋଣଠେସା କରାଯିବା ଉଦ୍ୟମ ଆରମ୍ଭ ହେବା ପରେ ଜଣକୁଜଣ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଦଳ​‌େ​‌ର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ନିର୍ବାଚନ ଜରିଆରେ ନେତା ନିର୍ବାଚନ ପାଇଁ ପୂର୍ବରୁ ଶଶୀ ତରୁର ପ୍ରସ୍ତାବ ଦେଇଥିଲେ। ଏବେ ଏହାକୁ ସମର୍ଥନ କରିଛନ୍ତି ଗୁଲାମ ନବି ଆଜାଦ। ଦଳର ଶୀର୍ଷ ନେତାଙ୍କୁ ନିର୍ବାଚନ ଜରିଆରେ ନିର୍ବାଚିତ କରା ନ ଗଲେ ଆଗାମୀ ୫୦ବର୍ଷ ପର୍ଯ୍ୟନ୍ତ ଦଳ କ୍ଷମତାକୁ ଫେରିପାରିବ ନାହିଁ ବୋଲି କହିଛନ୍ତି ଆଜାଦ। କେବଳ ଶୀର୍ଷ ନେତା ନୁହନ୍ତି; ବିଭିନ୍ନ ପଦ ପଦବୀ ପାଇଁ ମଧ୍ୟ ନିର୍ବାଚନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଦଳରେ ଆଭ୍ୟନ୍ତରୀଣ ନିର୍ବାଚନକୁ ବିରୋଧ କରୁଥିବା ନେତାମାନଙ୍କୁ ପଦ ହରାଇବାର ଆଶଙ୍କା ରହିଛି। ମନୋନୟନ ମାଧ୍ୟମରେ ପଦପଦବୀ ମାଡ଼ି ବସୁଥିବା ନେତାଙ୍କ ପ୍ରତି ଦଳର ତୃଣମୂଳସ୍ତରର କର୍ମୀଙ୍କର ସମର୍ଥନ ରହୁନାହିଁ ବୋଲି ଆଜାଦ କହିଛନ୍ତି। ଅପରପକ୍ଷରେ ଶଶୀ ତରୁରଙ୍କୁ କେରଳ କଂଗ୍ରେସର କିଛି ନେତା ବିରୋଧ କରିବା ଆରମ୍ଭ କରିଛନ୍ତି। ତରୁର ଦଳରେ ଜଣେ ‘ଅତିଥି ନେତା’। ସେ ଯଦି ଦଳୀୟ ଶୃଙ୍ଖଳାକୁ ମାନି ନ ଚଳିବେ; ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କିଛି ନେତା ମତ ଦେଇଛନ୍ତି। ସେମାନେ ଏ ସମ୍ପର୍କରେ ତରୁରଙ୍କୁ ଚେତାବନୀ ମଧ୍ୟ ଶୁଣାଇଛନ୍ତି।

Comments are closed.