‘ଗୁଲାବୋ ସିତାବୋ’କୁ ନେଇ ବଡ଼ ଘୋଷଣା: ପ୍ରୋକ୍ଷାଳୟରେ ନୁହେଁ ଘରେ ବସି ଦେଖିବେ ଦର୍ଶକ

ମୁମ୍ବଇ: ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନା ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’କୁ ନେଇ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟରେ ରିଲିଜ୍‍ କରାଯିବ ନାହିଁ ବରଂ ଜଣାଶୁଣା ଡିଜିଟାଲ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଏହାକୁ ବିଶ୍ୱ ସ୍ତରରେ ପ୍ରସାରିତ କରାଯିବ। ପ୍ରାୟ ୨୦୦ରୁ ଅଧିକ ଦେଶର ଲୋକେ ୧୨ ଜୁନରେ ଏହାକୁ ନିଜ ଘରେ ବସି ଦେଖିପାରିବେ। ଅମିତାଭ ଓ ଆୟୁଷ୍ମାନ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏହି ସୂଚନା ଦେଇଛନ୍ତି। ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ନୂଆ ଅନୁଭୂତି।

ଏ ବିଷୟରେ ସୂଚନା ଦେଇ ଅମିତାଭ ଲେଖିଛନ୍ତି, “ଜଣେ ଭଦ୍ର ବ୍ୟକ୍ତି ଓ ତାଙ୍କ ନିଆରା ଭଡ଼ାଟିଆଙ୍କ କାହାଣୀ। ୧୨ ଜୁନରେ ପ୍ରାଇମ ଭିଡ଼ିଓରେ ଗୁଲାବୋ ସିତାବୋର ପ୍ରିମିୟର”। ସେହିପରି ଆୟୁଷ୍ମାନ ଲେଖିଛନ୍ତି, “ଆଗୁଆ ଆପଣଙ୍କୁ ବୁକ କରୁଛୁ। ପ୍ରାଇମ ଭିଡ଼ିଓରେ ୧୨ ଜୁନକୁ ଗୁଲାବୋ ସିତାବୋର ପ୍ରିମିୟର। ଆସିଯିବେ, ଫାର୍ଷ୍ଟ ଡେ, ଫାର୍ଷ୍ଟ ଷ୍ଟ୍ରିମ୍‍ କରିବାକୁ”।

ସୁଜିତ ସରକାର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ‘ଗୁଲାବୋ ସିତାବୋ’ ଏକ କମେଡି-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ସପରିବାରେ ଏକାଠି ବସି ଏହାର ମଜା ନେଇପାରିବେ।

Comments are closed.