ସାଂସଦ ପ୍ରତିନିଧି ଗୁଲାବ ସୋନି କରୋନା ସଂକ୍ରମିତ

ଟିଟିଲାଗଡ଼: ଟିଟିଲାଗଡ ଅଞ୍ଚଳରେ କରୋନା ମହାମାରୀ ହୁହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି। ଟିଟିଲାଗଡ ଅଞ୍ଚଳରେ ସରକାରୀ କର୍ମଚାରୀ, ସରକାରୀ ଓକିଲ, ରାଜନେତା, ସାମ୍ବାଦିକ, କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଗତ ଦୁଇ ଦିନ ତଳେ ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏଠାରେ ନିଜ ପରୀକ୍ଷା କରିଥିବା ବେଳେ କରୋନାରେ ସଂକ୍ରମିତ ହୋଇଥିବା ନିଜ ପକ୍ଷରୁ ସୁଚନା ଦେଇଛନ୍ତି। ସଂକ୍ରମଣର ଶିକାର ହେବା ପରେ ମନ୍ତ୍ରୀ ଟିଟିଲାଗଡରୁ ରାଜଧାନୀକୁ ଫେରି ନିଜ ସରକାରୀ ଆବାସରେ ସଙ୍ଗରୋଧ ଥିବା ଜଣାପଡିଛି। ଆଜି ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓଙ୍କ ଟିଟିଲାଗଡ ନଗର ପ୍ରତିନିଧି ଗୁଲାବ ସୋନି ସଂକ୍ରମଣର ଶିକାର ହୋଇଥିବା ନିଜ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଜାରି କରିଛନ୍ତି। ସେ ନିଜ ଘରେ ସଙ୍ଗରୋଧ ହୋଇଥିବା ସୂଚନା ଦେଇଛନ୍ତି। ଲଗାତାର ଭାବରେ ଜନସାଧାରଣଙ୍କ କାର୍ୟ୍ୟ ନେଇ ସେ ଟିଟିଲାଗଡ ସହରର ବିଭିନ୍ନ ସରକାରି କାର୍ୟ୍ୟାଳୟକୁ ଯାଇଥିବା ତଥା ତାଙ୍କ ବ୍ୟକ୍ତିଗତ ବ୍ୟବସାୟ ନେଇ ଲୋକଙ୍କ ସହ ଭେଟ ହୋଇଥିବା ଦୃଷ୍ଟିରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜ କୋଭିଡ ଟେଷ୍ଟ କରିବା ପାଇଁ ଶ୍ରୀ ସୋନି ପରାମର୍ଶ ଦେଇଛନ୍ତି। ସୂଚନା ଯେ ଟିଟିଲାଗଡ ଅଞ୍ଚଳରେ ସଂକ୍ରମିତ ଅନେକ ଲୋକ ସରକାରଙ୍କ ନୁତନ ଗାଇଡଲାଇନ ମୁତାବକ ନିଜ ଘରେ ଅବସ୍ଥାନ କରୁଛନ୍ତି। ତେବେ କିଛି ଅସୁସ୍ଥଙ୍କ ମଧ୍ୟରୁ ଗତ କାଲି ସନ୍ଧ୍ୟା ସୁଦ୍ଧା ଟିଟିଲାଗଡ କରୋନା କେୟାର ସେଣ୍ଟରରେ ୯୪ ଜଣ ଭର୍ତି ହୋଇ ଚକିତ୍ସିତ ହେଉଥିବା ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ ସୂଚନା ଦେଇଛନ୍ତି।