ଉମ୍ରାନ୍‌ଙ୍କ ୫ ୱିକେଟ ନିଷ୍ଫଳ ; ଶେଷ ବଲ୍‌ରେ ଜିତିଲା ଗୁଜରାଟ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ୨ୟ ଥର ପାଇଁ ଶେଷ ବଲ୍‌ରେ ଛକାମାରି ମ୍ୟାଚ୍‌ ଜିତିପାରିଛି ଗୁଜରାଟ ଟାଇଟାନ୍‌ସ । ବୁଧବାର ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷ ରୋମାଞ୍ଚକର ମ୍ୟାଚ୍‌ର ଶେଷ ବଲ୍‌ରେ ୩ ରନ୍‌ ଆବଶ୍ୟକ ଥିବା ବେଳେ ରସିଦ୍‌ ଖାଁ ଛକାମାରି ଗୁଜରାଟକୁ ଜିତାଇଛନ୍ତି। ସନ୍‌ରାଇଜର୍ସର ଉମ୍ରାନ୍ ମାଲିକ୍ ୫ଟିଯାକ ୱିକେଟ ନେଇଥିଲେ ହେଁ ରାହୁଲ ତିୱତିଆ ଓ ରସିଦ୍ ଖାଁ ​ଶେଷ ୪ ଓଭରରେ ୫୯ ରନ୍‌ମାରି ଗୁଜରାଟ ଟାଇଟାନ୍‌ସକୁ ୫ ୱିକେଟରେ ବିଜୟୀ କରିଛନ୍ତି। ଅଭିଷେକ ଶର୍ମା ଓ ଐଡେନ୍ ମାର୍କରାମଙ୍କ ଅର୍ଦ୍ଧଶତକ ପରେ ଶଶାଙ୍କ ସିଂହଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୬ ୱିକେଟରେ ୧୯୫ ରନ୍‌ କରିଥିଲା। ପରେ ଋଦ୍ଧିମାନ ଶାହାଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ପରେ ରାହୁଲ ତିୱତିଆ ଓ ରସିଦ୍‌ ଖାଁଙ୍କ ବିସ୍ଫୋରକ ଇନିଂସ ତଥା ଶେଷ ବଲ୍‌ରେ ରସିଦ୍‌ଙ୍କ ଛକା ବଳରେ ୫ ୱିକେଟ ହରାଇ ଗୁଜରାଟ ଜିତି ନେଇଥିଲା। ୮ମ ମ୍ୟାଚ୍‌ରେ ୭ମ ବିଜୟ ପରେ ଗୁଜରାଟ ଟେବୁଲ ଶୀର୍ଷରେ ରହିଛି। ସନ୍‌ରାଇଜର୍ସ ୮ମ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିଛି।
୧୯୬ ରନ୍‌ ଲକ୍ଷ୍ୟରେ ଗୁଜରାଟ ଟାଇଟାନ୍‌ସ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ବିଶେଷକରି ଅଭିଜ୍ଞ ଋଦ୍ଧିମାନ ଶାହା ଆରମ୍ଭରୁ ଆକ୍ରମଣ କରିଥିଲେ। ଋଦ୍ଧିମାନ ଓ ଶୁବ୍‌ମାନ ଗିଲ୍‌ ୭.୪ ଓଭରରେ ଯୋଡ଼ି ୬୯ ରନ୍‌ କରିଥିଲେ। ପରେ ଫାଷ୍ଟବୋଲର ଉମ୍ରାନ୍ ମାଲିକ୍‌ ଲାଗଲାଗ ୫ଟି ୱିକେଟ ନେଇ ଯାଇଥିଲେ। ୫ ଜଣଯାକ ବ୍ୟାଟ୍‌ସମ୍ୟାନ୍ ଉମ୍ରାନ୍‌ଙ୍କ ଗତିରେ ପରାସ୍ତହୋଇ ବୋଲ୍‌ଡ ହୋଇଥିଲେ। ଶୁବ୍‌ମାନ ଗିଲ୍‌ ୨୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୧୦ ରନ୍‌କରି ଉମ୍ରାନ୍‌ଙ୍କ ଶିକାର ହୋଇଥିଲେ। ପ‌େ‌ର ଶାହା ଓ ଡେଭିଡ୍‌ ମିଲର ୪ ଓଭରରୁ ୩୭ ରନ୍‌ ଯୋଡ଼ିଥିଲେ। ଉଭୟଙ୍କୁ ଉମ୍ରାନ୍ ବୋଲ୍‌ଡ କରିଥିଲେ। ଋଦ୍ଧିମାନ ଶାହା ୩୮ ବଲ୍‌ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୬୮ ରନ୍‌ କରିଥିଲେ। ମିଲର ୧୯ ରନ୍‌ କରିଥିଲେ। ଉମ୍ରାନ୍ ପରବର୍ତ୍ତୀ ବଲ୍‌‌େ​‌ର ଅଭିନବ ମନୋହରଙ୍କୁ ବୋଲ୍‌ଡକରି ୫ମ ୱିକେଟ ନେଇଥିଲେ। ପରେ ରାହୁଲ ତିୱତିଆ ଓ ରସିଦ୍‌ ଖାଁ ବାଉଣ୍ଡରୀ ବର୍ଷା କରିଥିବା ବେଳେ ଶେଷ ୨ ଓଭରରୁ ୩୫ ଏବଂ ଶେଷ ଓଭରରୁ ୨୨ ରନ୍ ଆବଶ୍ୟକ ଥିଲା। ଏହି ଓଭରରେ ତିୱତିଆ ଗୋଟିଏ ଓ ରସିଦ୍‌ ଶେଷ ବଲ୍‌ ସହ ୩ଟି ଛକାମାରି ଗୁଜରାଟକୁ ଜିତାଇଥିଲେ। ତିୱତିଆ ୨୧ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୦ ଏବଂ ରସିଦ୍ ଖାଁ ମାତ୍ର ୧୧ ବଲ୍‌ରୁ ୪ଟି ଛକା ସହ ୩୧ ରନ୍‌କରି ଅପରାଜିତ ରହିଥିଲେ।
ଟସ୍ ଜିତି ଗୁଜରାଟ ଟାଇଟାନ୍‌ସ ଫିଲ୍‌ଡିଂ ନେବା ପରେ ସନ୍‌ରାଇଜର୍ସ ହାଇଦରାବାଦର ଅଧିନାୟକ କେନ୍ ୱିଲିୟମ୍‌ସନ ୫ ରନ୍‌କରି ବିଦାୟ ନେଇଥିଲେ। ରାହୁଲ ତ୍ରିପାଠୀ ୧୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌କରି ଆଉଟ୍‌ ହୋଇଥିଲେ। ଏହାପରେ ଓପ୍‌ନର ଅଭିଷେକ ଶର୍ମା ଓ ଐଡେନ୍ ମାର୍କରାମଙ୍କ ମଧ୍ୟରେ ମାରାଥନ୍ ଭାଗିଦାରୀ ହୋଇଥିଲା। ଦୁହେଁ ଚମତ୍କାର ବ୍ୟାଟିଂକରି ୩ୟ ୱିକେଟ ପାଇଁ ୧୦ ଓଭରରେ ୯୬ ରନ୍‌ ଯୋଡ଼ିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିଷେକ ୪୨ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୬୫ ରନ୍‌କରି ଆଉଟ୍‌ ହୋଇଥିଲେ। ନିକୋଲାସ୍ ପୁରନ୍ ଓ ୱାଶିଂଟନ ସୁନ୍ଦର ୩ ରନ୍‌ ଲେଖାଏଁ କରିଥିଲେ। ମାର୍କରାମ ୪୦ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୫୬ ରନ୍‌ କରିଥିଲେ। ଏହାପ​‌େ​‌ର ଛତିଶଗଡ଼ର ଶଶାଙ୍କ ସିଂହ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଲୋକି ଫର୍ଗୁସନ୍ ବୋଲିଂ କରିଥିବା ଅନ୍ତିମ ଓଭରର ପ୍ରଥମ ବଲ୍‌ରେ ମାର୍କୋ ୟାନ୍‌ସେନ୍‌ ଛକା ମାରିଥିବା ବେଳେ ଶେଷ ୩ଟିଯାକ ବଲ୍‌ରେ ଶଶାଙ୍କ ସିଂହ ଛକା ମାରିଥିଲେ। ଏହି ଓଭରରୁ ୨୫ ରନ୍‌ ହୋଇଥିଲା। ଶଶାଙ୍କ ୬ଟି ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍‌କରି ଅପରାଜିତ ଥିଲେ। ମହମ୍ମଦ ସାମି ୩ଟି ୱିକେଟ ନେଇଥିଲେ।

Comments are closed.