MEllora 950×100

ଭୋଟ ଦେଉଛି ଗୁଜରାଟ; ଦିନ ୧୧ଟା ସୁଦ୍ଧା ୧୯.୧୩% ମତଦାନ

ନୂଆଦିଲ୍ଲୀ: ଆଜି ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଦିନ ୧୧ଟା ସୁଦ୍ଧା ୧୯.୧୩% ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୧୯ଜିଲାର ୮୯ଟି ଆସନ ପାଇଁ ଭୋଟିଂ କରାଯାଉଛି । ଶାନ୍ତି ଶୃଙ୍ଖଳାରେ ଭୋଟ ଦେଉଛନ୍ତି ଗୁଜରାଟବାସୀ । ନିର୍ବାଚନ​‌ରେ ଯେପରି କୌଣସି ଉତ୍ତେଜନା ସୃଷ୍ଟି ନହୁଏ ସେଥିପ୍ରତି ପ୍ରଶାସନ ସଜାଗ ରହିଛି । ସମସ୍ତ ବୁଥରେ ପୁଲିସ ମୁତୟନ ହୋଇଛନ୍ତି ।

୫୦% ବୁଥରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ଦକ୍ଷିଣ ଗୁଜରାଟ ଓ କଚ୍ଛ-ସୌରାଷ୍ଟ୍ର ଅଞ୍ଚଳର ପ୍ରାୟ ୨କୋଟି ୪୦ ଲକ୍ଷ ଭୋଟର ସେମାନଙ୍କର ମତଦାନ କରୁଛନ୍ତି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଏଥିପାଇଁ ୨୫,୪୩୪ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରିଛି ପ୍ରଶାସନ । ଏହି ପର୍ଯ୍ୟାୟରେ ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଗୁଜରାଟବାସୀ ।

ଡିସେମ୍ବର ୫ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ଏଥିରେ ୯୩ଟି ଆସନ ପାଇଁ ଉପଯୁକ୍ତ ନେତା ବାଛିବେ ଜନତା । ଡିସେମ୍ବର ୮ରେ ଭୋଟ ଗଣତି ହେବ । ଚଳିତ ନିର୍ବାଚନରେ ରାଜ୍ୟରେ ୨୯୦ କୋଟି ଟଙ୍କାର ନଗଦ ଟଙ୍କା, ମାଦକ ଦ୍ରବ୍ୟ ଓ ମଦ ଜବତ କରାଯାଇଛି । ଏହି ଜବତ ଜିନିଷ ୨୦୧୭ରେ ଜବତ ହୋଇଥିବା ଜିନିଷର ୧୦ଗୁଣା ଅଧିକ । ୨୦୧୭ ନିର୍ବାଚନ ସମୟରେ ରାଜ୍ୟରୁ ୨୭.୨୧ କୋଟିର ମାଦକ ଓ ଅନ୍ୟାନ୍ୟ ଜିନିଷ ଜବତ ହୋଇଥିଲା ।

Comments are closed.