ଟ୍ରେନ୍ ଓ ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ମାର୍ଗଦର୍ଶିକା; ନିୟମ ଭାଙ୍ଗିଲେ ନିସ୍ତାର ନାହିଁ

ଭୁବନେଶ୍ବର: ଟ୍ରେନ୍ ଓ ବିମାନରେ ଫେରୁଥିବା ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । ବିଦେଶରୁ ଫେରନ୍ତୁ ବା ଦେଶ ଭିତରୁ, ଯେଉଁମାନେ ଯେମିତି ବି ଓଡ଼ିଶା ଆସନ୍ତୁ ସମସ୍ତଙ୍କ ପାଇଁ ପଞ୍ଜିକରଣ ଓ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ପ୍ରବାସୀମାନେ ସରକାରୀ କ୍ବାରେଣ୍ଟାଇନ ସେଣ୍ଟର (ସଙ୍ଗରୋଧ କେନ୍ଦ୍ର)ରେ ରହିପାରିବେ ଓ ଚାହିଁଲେ ସହରରେ ବିଭିନ୍ନ ହୋଟେଲ୍ ପକ୍ଷରୁ ସ୍ଥାପନ କରାଯାଇଥିବା ପେଡ଼୍ କ୍ବାରେଣ୍ଟାଇନରେ ମଧ୍ୟ ରହିପାରିବେ ବୋଲି କହିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

SoP for Odias returning from abroad

ସେ କହିଛନ୍ତି ଯେ ଆସନ୍ତା ୧୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଶେଷ ହେବ । ପରବର୍ତୀ ସମୟରେ ମଧ୍ୟ ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ପୂର୍ବପରି ମାର୍ଗଦର୍ଶିକା ବଳବତ୍ତର ରହିବ । ପ୍ରତ୍ୟେକ ପ୍ରବାସୀ ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଅନ୍ୟପକ୍ଷରେ ଆସନ୍ତା ସପ୍ତାହରେ ବିଦେଶରୁ ୩ଟି ବିମାନରେ ପ୍ରାୟ ୬୦୦ ଯାତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏହି ବିମାନଗୁଡ଼ିକ ମାଲେସିଆ, ଆମେରିକା ଓ ଦୁବାଇରୁ ଆସିବ । ଯେଉଁମାନେ ବିମାନ ଯୋଗେ ଆସିବେ ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ପହଁଚିବା ପରେ ଟର୍ମିନାଲ ବାହାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଷ୍ଟାମ୍ପିଂ କରାଯିବ । ୨୦ ଜଣିଆ ବ୍ୟାଚ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ  । ଯଦି ସେମାନଙ୍କ ନିକଟରେ କରୋନା ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସେମାନଙ୍କୁ କୋବିଦ-୧୯ ଡ଼ାକ୍ତରଖାନାକୁ ପଠାଇ ଦିଆଯିବ । ମାତ୍ର ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନାହିଁ ସେମାନେ ଘରକୁ ନିଜ ନିଜ ଘରକୁ ଯାଇ ପାରିବେ । ଏଥିପାଇଁ ସେମାନେ ନିଜ ବ୍ୟବସ୍ଥା ନିଜେ କରିବେ । ଘରେ ବା ସହରରେ ସ୍ଥାପନ ହୋଇଥିବା ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ରରେ ସେମାନେ ରହିପାରିବେ ।  ୨୮ ଦିନ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିବା ଭିତରେ ଯଦି ଅସୁସ୍ଥ ଅନୁଭବ କରନ୍ତି କିମ୍ୱା କୌଣସି ଲକ୍ଷଣ ପରିଲକ୍ଷିତ ହୁଏ  । ତେବେ ରାଜ୍ୟ ସରକାରଙ୍କ ହେଲ୍ପଲାଇନ ନମ୍ୱର ୧୦୪କୁ କଲ୍ କଲେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

SoP for Odias returning by train

ସେହିପରି ନୂଆଦିଲ୍ଲୀ-ଭୁବନେଶ୍ବର ଓ ଭୁବନେଶ୍ବର-ନୂଆଦିଲ୍ଲୀ ଟ୍ରେନ୍ ଚଳାଚଳ ପରେ ବିଦେଶରୁ ଫେରୁଥିବା ଏବଂ ଅନ୍ୟ ରାଜ୍ୟରୁ ଦିଲ୍ଲୀ ଟ୍ରେନରେ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଅନୁରୂପ ନିୟମ ପ୍ରଣୟନ କରାଯାଇଛି । ସେମାନଙ୍କ ନିମନ୍ତେ ମଧ୍ୟ ପଞ୍ଜିକରଣ ଓ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନୂତନ ମାର୍ଗଦର୍ଶିକା ପ୍ରଣୟନ କରିଛନ୍ତି । ଯଦି ନିୟମ ପାଳନରେ ଅବହେଳା କରୁଥିବା ଜଣାପଡ଼େ ତେବେ ସେମାନଙ୍କ ବିରୋଧରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଏପିଡେମିକ୍ ଡିଜିଜ୍ ଆଇନ୍ ଅନୁଯାୟୀ ମାମଲା ଦାୟର କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଘର ଆଗରେ କ୍ବାରେଣ୍ଟାଇନ୍ ଷ୍ଟିକର୍‌ ଲଗାଯିବ। ଯଦି କ୍ବାରେଣ୍ଟାଇନ୍‌ରେ ଥିବା ସମୟରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ଆବଶ୍ୟକତା ଅନୁସାରେ ଚିକିତ୍ସା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ଟ୍ରେନ୍‌ରେ ଫେରୁଥିବା ଲୋକଙ୍କ ଫୋନ୍ ନମ୍ବରରୁ ସେମାନଙ୍କ ତଥ୍ୟ ସଂଗ୍ରହ କରାଯିବ। ନୂଆଦିଲ୍ଲୀରୁ ଫେରୁଥିବା ଯାତ୍ରୀ ବାଲେଶ୍ବର ଓ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଓହ୍ଲାଇବାର ଥିବାରୁ ପୂରା ଷ୍ଟେସନ୍‌କୁ ସିଲ କରାଯିବ। କେହି ମନଇଛା ବାହାରକୁ ଯାଇପାରିବେ ନାହିଁ। ଏଥିରେ ରେଳବାଇ ପୁଲିସ, ଓଡ଼ିଶା ପୁଲିସ ଓ ଜିଲା ପ୍ରଶାସନ ସହଯୋଗ କରିବେ। ସମସ୍ତେ ଏକ ସଙ୍ଗରେ ଟ୍ରେନ୍‌ରୁ ଓହ୍ଲାଇ ପାରିବେ ନାହିଁ। ପର୍ଯ୍ୟାୟକ୍ରମେ ଯାତ୍ରୀମାନଙ୍କୁ ଚିକିତ୍ସା କାଉଣ୍ଟର ପର୍ଯ୍ୟନ୍ତ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେମାନଙ୍କ ଠାରୁ ସବିଶେଷ ତଥ୍ୟ ସଂଗ୍ରହ କରି ସମ୍ପୃକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯିବ। ସମସ୍ତଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପିଂ କରାଯିବ। ଲକ୍ଷଣ ନଥିବା ଲୋକ ନିଜସ୍ବ/ଭଡ଼ା ଗାଡ଼ିରେ ଯାଇପାରିବେ। ଅନ୍ୟମାନେ ପ୍ରଶାସନ ତରଫରୁ ଦିଆଯାଇ ଥିବା ବସ୍‌ରେ ଘରକୁ ଯାଇ କ୍ବାରେଣ୍ଟାଇନ୍‌ରେ ରହିବେ। ସମସ୍ତେ କ୍ବାରେଣ୍ଟାଇନ୍ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ଉପରେ ସରକାରଙ୍କ ନଜର ରହିବ। ଯାତ୍ରୀ ଟିକଟ ଦେଖାଇ ଯିବା ଆସିବା କରିପାରିବେ, ପୁଲିସ ସେମାନଙ୍କୁ ଅଟକାଇବେ ନାହିଁ। ଷ୍ଟେସନ୍ ଭିତରକୁ କେବଳ ସରକାରୀ କର୍ମଚାରୀ ଓ ପୁଲିସ ଯାଇପାରିବେ।

 

Comments are closed.