ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ବାରା ଆୟୋଜିତ ଇଫତାର ପାର୍ଟିରେ ଅତିଥିଙ୍କୁ ପାକିସ୍ତାନ ଅଧିକାରୀଙ୍କ ନିର୍ଯାତନା

ନୂଆଦିଲ୍ଲୀ/ଇସଲାମାବାଦ : ପାକିସ୍ତାନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଦ୍ବାରା ଆୟୋଜିତ ଇଫତାର ପାର୍ଟିକୁ ନିମନ୍ତ୍ରିତ ହୋଇଥିବା ଅତିଥିଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀ ଓ ଅଧିକାରୀମାନେ ନିର୍ଯାତନା ଦେଇଛନ୍ତି। ପାକିସ୍ତାନ ଉଚ୍ଚାୟୁକ୍ତ ଅଜୟ ବିସାରିଆ ଶନିବାର ସନ୍ଧ୍ୟାରେ ଇସଲାମାବାଦସ୍ଥିତ ସେରେନା ହୋଟେଲରେ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଇଫତାର ପାର୍ଟିକୁ ପାକିସ୍ତାନର ବିଭିନ୍ନ ଅଞ୍ଚଳରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ପାକିସ୍ତାନ ଅଧିକାରୀମାନେ ସୁରକ୍ଷା ଆଳରେ ହୋଟେଲ ପରିସରରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରିଥିଲେ। ପାର୍ଟିକୁ ନିମନ୍ତ୍ରିତ ଅତିଥିଙ୍କ ସୁରକ୍ଷା ଯାଞ୍ଚ ନାମରେ ପାକିସ୍ତାନ ସୁରକ୍ଷାକର୍ମୀମାନେ ସେମାନଙ୍କୁ ହଇରାଣ ହରକତ କରିଥିଲେ। ଏହି ସୁରକ୍ଷା ଯାଞ୍ଚରେ ଅତିଷ୍ଠ କେତେକ ଅତିଥି ଇଫତାର ପାର୍ଟିରେ ଯୋଗ ଦେଇପାରି ନଥିଲେ।

ଜଣେ ସାମ୍ବାଦିକଙ୍କ କହିବା ଅନୁଯାୟୀ ହୋଟେଲ ପରିସରରେ ଆବଶ୍ୟକତା ଠାରୁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଥିଲା। ଯେଉଁମାନଙ୍କ ପାଖରେ ନିମନ୍ତ୍ରଣ ପତ୍ର ଓ ପରିଚୟପତ୍ର ଥିଲା ସେମାନଙ୍କୁ ପାର୍ଟିରେ ଯୋଗ ଦେବାକୁ ଅନୁମତି ମିଳିଥିଲା। ସାମ୍ବାଦିକ ଜଣଙ୍କ କହିଛନ୍ତି ଯେ ‘ମୋର ପରିଚୟପତ୍ର ଯାଞ୍ଚ କରାଯାଇଥିଲା। ଘର ଠିକଣା ଓ ବୃତ୍ତି ବାବଦରେ ପ୍ରଶ୍ନ ପଚରାଯାଇଥିଲା। ତା’ ପରେ ପାର୍ଟିକୁ ଯିବାକୁ ଅନୁମତି ଦିଆଯାଇଥିଲା। ଆଉ ଜଣେ ସାମ୍ବାଦିକ କହିଛନ୍ତି ଯେ ସୁରକ୍ଷା ଯାଞ୍ଚ ଓ ପ୍ରଶ୍ନ ପଚରାଯିବା ଭୟରେ ସେ ପାର୍ଟିରେ ଯୋଗ ଦେଇ ନଥିଲେ। କେତେକ ଅତିଥିଙ୍କୁ ଅଜଣା ଫୋନ କଲ୍‌ ମାଧ୍ୟମରେ ପାର୍ଟିରେ ଯୋଗ ନ ଦେବା ଲାଗି କୁହାଯାଇଥିଲା। ତେବେ ପାକିସ୍ତାନ ଅଧିକାରୀ ଜାଣିଶୁଣି ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ବାରା ନିମନ୍ତ୍ରିତ ଅତିଥିଙ୍କୁ ହଇରାଣ ହରକତ କରାଯାଇଥିଲା। ପାକିସ୍ତାନର ପ୍ରତିଷ୍ଠିତ ସାମ୍ବାଦିକ ମେହରିନ ଝାରା ମାଲିକ ଟୁଇଟ୍ କରିଛନ୍ତି ଯେ ଏହା ପ୍ରକୃତି ନିର୍ଯାତନା। ମୋର ଡ୍ରାଇଭରକୁ ଏପରି ଗାଳିମନ୍ଦ କରାଯାଇଥିଲା ଯେ ମୁଁ ଭୟଭୀତ ହୋଇପଡିଥିଲି।

ଏହି ଘଟଣାକୁ ନେଇ ଭାରତ ରବିବାର ପାକିସ୍ତାନ ନିକଟରେ ଦୃଢ ପ୍ରତିବାଦ ଜଣାଇଛି। ଭାରତ କହିଛି ଯେ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ବ୍ୟବହାର ସଭ୍ୟ ଆଚରଣର ପରିଚାୟକ ନୁହେଁ। ଏହା କୂଟନୈତିକ ଆଚରଣର ମୌଳିକ ଆଧାରକୁ ଉଲ୍ଲଙ୍ଘନ କରୁଛି। ପାକିସ୍ତାନ ଭୟ ଦେଖାଇ କୂଟନୀତିଜ୍ଞ ଓ ଏହାର କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି କରିଛି ବୋଲି ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ କହିଛି। ଏହି ଘଟଣା ପାଇଁ ଭାରତୀୟ ଉଚ୍ଚାୟୁକ୍ତ ବିସାରିଆ ନିମନ୍ତ୍ରିତ ଅତିଥିମାନଙ୍କୁ କ୍ଷମା ମାଗିଛନ୍ତି। ଅତିଥିମାନେ ଇଫତାର ପାର୍ଟିରେ ଯୋଗ ଦେଇପାରି ନ ଥିବାରୁ ପାର୍ଟି ଆୟୋଜନ ଅସଫଳ ହୋଇଥିବା ସେ କହିଛନ୍ତି। ଲାହୋର ଓ କରାଚୀ ଭଳି ସହରରୁ ଅତିଥିମାନେ ପାର୍ଟିରେ ଯୋଗଦେବାକୁ ଆସିଥିଲେ; ମାତ୍ର ପାକିସ୍ତାନ ସୁରକ୍ଷାକର୍ମୀଙ୍କ ନିର୍ଯାତନାରେ ଭୟଭୀତ ହୋଇ ସେମାନେ ଫେରିଯାଇଥିଲେ। ଅତିଥିଙ୍କୁ ଭୟଭୀତ କରିବା ଭଳି ପାକିସ୍ତାନ ସୁରକ୍ଷାକର୍ମୀଙ୍କ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ବିସାରିଆ କହିଛନ୍ତି। ୨୦୧୬ ପଠାନକୋଟ ବାୟୁସେନା ଘାଟି ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଉତ୍ତେଜନା ଲାଗି ରହିଛି। ୨୦୧୯ ଫେବୃଆରୀରେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଆତଙ୍କବାଦୀମାନେ ଭାରତର ୪୦ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ପରେ ଏହି ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

Comments are closed.