MEllora 950×100

ମହାସମାରୋହରେ ପାଳନ ହେଲା ଆଦିବାସୀ ପରମ୍ପରାର ପର୍ବ ‘ଗୁଡିଚଗା’

କଲମପୁର : ଆଦିବାସୀ ଶକ୍ତି ସ୍ୱରୁପା ଧରଣୀ ଏବଂ ଧର୍ମ ରୂପୀ ସୂର୍ଯ୍ୟର ଉପାସକ। ଧରଣୀ ଦେବୀଙ୍କୁ ଧରଣୀ ପେନୁ ଭାବେ ପୂଜା କରିଥାନ୍ତି ଆଦିବାସୀ। ଧରଣୀ ପେନୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ ‘ଟୋକିପର୍ବ’ ପାଳନ କରିଥାନ୍ତି। ରବିବାରଠାରୁ ଆରମ୍ଭ ହେଇଯାଇଛି ଆଦିବାସୀ ପରମ୍ପରାର ପର୍ବ ‘ଟୋକିମରା’ ପର୍ବର କାଉଣ୍ଟଡାଉନ। ରବିବାର ସକାଳ ୧୦ଟାଠାରୁ କଲମପୁର ବ୍ଲକ ଅଧିନସ୍ଥ ବରଗାଁ, କର୍ମେଲଡଙ୍ଗରୀଗୁଡା ଏବଂ ଗୁମାବାହାଲଠାରେ ଆଦିବାସୀ ପରମ୍ପରାର ଅନନ୍ୟ ପର୍ବ ‘ଗୁଡିଚଗା’ ମହାସମାରୋହ ସହ ଆୟୋଜନ କରାଯାଇଛି। ଟୋକିମରା ପର୍ବ ପୂର୍ବରୁ ଏହି ପର୍ବ ପାଳନର ଉଦ୍ଦେଶ୍ୟ ହେଲା ଗ୍ରାମର ସଦରଗୁଡି ପ୍ରତିଷ୍ଠା କରିବା। ଏହି ସଦରଗୁଡି ପ୍ରତିଷ୍ଠା ଅବସରରେ ଗ୍ରାମର ସମସ୍ତ ଦେବା ଦେବୀଙ୍କୁ ଟୋକି ମରା ପର୍ବ ପାଳନ ପାଇଁ ଆବାହନ କରିଥାନ୍ତି। ଏହାସହ ଏହି ପର୍ବ ପାଳନ ପାଇଁ ଟୋକି ପଡୁଥିବା ଗ୍ରାମରୁ ନିକଟସ୍ଥ ପଡୋଶୀ ଗ୍ରାମର ଜାନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିଥାନ୍ତି। ନିମନ୍ତ୍ରୀତ ହେଇଥିବା ପଡୋଶୀ ଗ୍ରାମର ଜାନୀ ନିଜ ନିଜ ଲୋକଙ୍କ ସହ ପାରମ୍ପାରିକ ବାଜା ବଜାଇ ଟୋକି ପର୍ବ ପାଳନ କରୁଥିବା ଗ୍ରାମର ସଦରଗୁଡି ଠାରେ ପହଂଚି ଥାନ୍ତି। ଟୋକି ପର୍ବ ପାଳନ କରୁଥିବା ଗାଁରେ ଅତିଥି ମାନେ ପହଞ୍ଚିବା ପରେ ଗ୍ରାମର ମହିଳାମାନେ ବନ୍ଧୁ ଗ୍ରାମର ଲୋକଙ୍କୁ ଆତିଥ୍ୟ ପ୍ରଦାନ ସ୍ୱରୁପ ଗୋଡ ଧୋଇ ଫୁଲ ସିନ୍ଦୁର ପିନ୍ଧାଇ ବରଣ କରିଥାନ୍ତି। ଏହାପରେ ଯୁବକମାନେ ବନ୍ଧୁ ଗ୍ରାମରୁ ଆସିଥିବା ମୁରବୀ ସ୍ଥାନୀୟ ବ୍ୟକ୍ତିଙ୍କୁ ଏକ ଖଟିଆରେ ବୋହି ନାଚି ନାଚି ଗ୍ରାମ ସଦର ଗୁଡି ନିକଟକୁ ନେଇଥାନ୍ତି। ସେଠାରେ ପୁନଃ ମହିଳା ମାନେ ବନ୍ଦାପନା କରି ଗୁଡି ଭିତରକୁ ନେଇଥାନ୍ତି। ସେଠାରେ ପର୍ବ ପାଳନରେ ସାମିଲ ହେଇଥାନ୍ତି।

ଏହାସହ ଆଗାମୀ ଦିନରେ ହେବାକୁ ଥିବା ଟୋକିମରା ପର୍ବରେ ସାମିଲ ହେଇ ଶାନ୍ତି ଶୃଙ୍ଖଳାର ସହିତ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଗୁମାବାହାଲଠାରେ ଆୟୋଜିତ ଏହି ଗୁଡି ଚଗା ପର୍ବରେ ପାର୍କିଗୁଡା, ପାଜେନ ଓ ପୋଟେସ ଆଦି ଗ୍ରାମର ଜାନୀ ମାନେ ନିଜ ନିଜ ଲୋକଙ୍କ ସହ ସାମିଲ ହେଇଥିଲେ। ବରଗାଁଠାରେ ଆୟୋଜିତ ଗୁଡିଚଗା ପର୍ବରେ ବାଲିଛଡା, କସାବାହୀ, ଶାଗବାରୀ, ଘୋଡାବନ୍ଧା, ବାବୁକେନ୍ଦୁଗୁଡା, କଦଳୀଚୁଆଁ, ମଣ୍ଡଳ, ଧାମନଗୁଡା, ଘର୍ଲା ଏବଂ ଚୁରାଗାଁର ଜାନୀ ମାନେ ଉପସ୍ଥିତ ରହିଥିଲେ। ସେହିଭଳି କର୍ମେଲ ଡଙ୍ଗରୀଗୁଡା ଠାରେ ଆୟୋଜିତ ଗୁଡିଚଗା ପର୍ବରେ ଜୟପାଟଣା, ତୋତ୍ରାଗୁଡା, ମାଟିଖାଲ, ଇଛାପୁର, ବାନ୍ଧନପଲା, ଦେର୍ଲାପଡ଼ା, ଖଣ୍ଡିଡଙ୍ଗରୀଗୁଡା, ନାଗଫେନି ପ୍ରମୁଖ ଗ୍ରାମର ଜାନୀ ମାନେ ନିଜ ନିଜ ଦଳ ସହ ପହଂଚି ଗୁଡିଚଗା ପର୍ବରେ ସାମିଲ ହେଇଥିଲେ। ଆସନ୍ତା ଜାନୁଆରୀ ୧ ତାରିଖ ଦିନ ‘ଟୋକିମରା’ ପର୍ବ ପାଳ ହେବା ନେଇ ନିଷ୍ପତି ନିଆଯାଇଛି।

Comments are closed.