ଝୁଲଣଙ୍କୁ ଭାରତ, ଇଂଲଣ୍ଡ ଖେଳାଳିଙ୍କ ଗାର୍ଡ ଅଫ୍ ଅନର

ଲର୍ଡସ : ଝୁଲଣ ଗୋସ୍ବାମୀ; ମହିଳା କ୍ରିକେଟ୍‌ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ପେସ୍ ବୋଲର ଶନିବାର କ୍ରିକେଟ୍‌ର ମକ୍କା ଲର୍ଡସରେ ଜୀବନର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ୩ୟ ତଥା ଅନ୍ତିମ ଦିନିକିଆ ଝୁଲଣଙ୍କର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ରେ ଝୁଲଣ ବ୍ୟାଟିଂ କରିବାକୁ ଆସିବା ବେଳେ ଭାରତୀୟ ଖେଳାଳି ଦୁଇ ପଟେ ଛିଡ଼ାହୋଇ ତାଳିମାରି ଝୁଲଣଙ୍କୁ ସମ୍ମାନ ଜଣାଇଥିଲେ। ଝୁଲଣ କ୍ରିଜ୍‌ରେ ପହଞ୍ଚିବା ବେଳେ ଇଂଲଣ୍ଡ ଦଳର ୧୧ ଜଣଯାକ ଖେଳାଳି ଏବଂ ଦୁଇ ଅମ୍ପାୟାର ଧାଡ଼ିହୋଇ ଛିଡ଼ାହୋଇ ଝୁଲଣଙ୍କୁ ଗାର୍ଡ ଅଫ୍ ଅନର୍ ଦେବା ସହ ତାଳିମାରି ତାଙ୍କୁ ସମ୍ମାନିତ କରିଥିଲେ। ପରେ ଝୁଲଣ ୨ଟି ୱିକେଟ ନେଇଥିଲେ ଏବଂ ଭାରତ ଜିତିଥିଲା। ୩୯ ବର୍ଷ ବୟସ୍କା ଝୁଲଣ ଗୋସ୍ବାମୀ ମହିଳା ଦିନିକିଆ କ୍ରିକେଟରେ​ ବିଶ୍ବରେ ସର୍ବାଧିକ ୨୫୫ଟି ୱିକେଟ ନେଇଛନ୍ତି। ସେ ୨୦୨ଟି ଦିନିକିଆ ଖେଳି ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଶେଷ କରିଛନ୍ତି। ଝୁଲଣ ଟେଷ୍ଟରେ ୪୪ଟି ଓ ଟ୍ବେଣ୍ଟି୨୦ରେ ୫୬ଟି ୱିକେଟ ନେଇଛନ୍ତି। ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେଲା ସେ ଭାରତ ପାଇଁ ନିୟମିତ କ୍ରିକେଟ୍‌ ଖେଳି ଆସୁଥିଲେ।

Comments are closed.