ଭୁବନେଶ୍ଵରରେ ଶହୀଦ ଯବାନଙ୍କୁ ଗାର୍ଡ ଅଫ ଅନର, ଶେଷ ଦର୍ଶନ କଲେ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ଵର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆଇଇଡି ବିସ୍ଫୋରଣରେ ଶହୀଦ ହୋଇଥିବା ବୀର ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ଭୁବନେଶ୍ଵରରେ ପହଞ୍ଚିବା ପରେ ତାଙ୍କ ଜନ୍ମମାଟି ଢେଙ୍କାନାଳ ଜିଲାର ବଡ଼ସୁଆଁଳ ଗ୍ରାମ ଅଭିମୁଖେ ନିଆଯାଇଛି। ବୁଧବାର ରାତି ପ୍ରାୟ ୧ଟା ୩୦ରେ ଭୁବନେଶ୍ଵର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ୧୨୦ ବାଟାଲିୟନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଧାୟକ ଅନନ୍ତ ନାରାୟଣ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ତେବେ ଗ୍ରାମରେ ପହଞ୍ଚିବା ପୂର୍ବରୁ ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ମରଶରୀରକୁ ରଖାଯାଇ ଗାର୍ଡ ଅଫ ଅନର ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏବଂ ବୁଦ୍ଧିଜୀବୀମାନେ ପହଞ୍ଚି ମରଶରୀରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Comments are closed.