ନୂଆବର୍ଷରୁ ବଦଳିବ ଜିଏସଟି ନିୟମ: କଣ ମହଙ୍ଗା ଓ କଣ ଶସ୍ତା ହେବ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ୨୦୨୨ ଜାନୁଆରୀ ପହିଲାରୁ ଜିଏସଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ଏହାଦ୍ୱାରା ଦେଶରେ କିଛି ସାମଗ୍ରୀ ଓ ସେବା ମୂଲ୍ୟ ମହଙ୍ଗା ହେବାବେଳେ ଆଉ କିଛି ଶସ୍ତା ହେବ । କେଉଁସବୁ ସାମଗ୍ରୀ ମହଙ୍ଗା ଓ କିଏ ଶସ୍ତାହେବ ତାହା ଜାଣିରଖନ୍ତୁ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଘୋଷଣା କରାଯାଇଥିବା ପରିବର୍ତ୍ତିତ ଜିଏସଟି ହାର ଅନୁଯାୟୀ ପୋଷାକ, ଜୋତା ଚପଲ, ବୟନ ସାମଗ୍ରୀ ଉପରେ ଟିକସ ୫ରୁ ୧୨%କୁ ବୃଦ୍ଧିପାଇବ । ଏହାଦ୍ୱାରା ଏହିସବୁ ସାମଗ୍ରୀ ୨୦୨୨ ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ । ୧୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପୋଷାକ ସାମଗ୍ରୀ ଉପରେ ଜିଏସଟି ହାର ପୂର୍ବରୁ ୫% ରହିଥିବାବେଳେ ତାହା ୧୨%କୁ ବୃଦ୍ଧି କରାଯାଉଛି । ସେହିଭଳି ବୁଣାଯାଇଥିବା କପଡା, ସିନ୍ଥେଟିକ କପଡା, କମ୍ବଳ, ତମ୍ବୁ, ଟେବଲ କ୍ଲଥ ଆଦି ବୟନ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ହାର ବୃଦ୍ଧି ପାଇବ । ଜୋତା ଚପଲ ଉପରେ ପ୍ରତ୍ୟକ୍ଷ ଟିକସ ହାର ୫%ରୁ ୧୨%କୁ ବୃଦ୍ଧି କରାଯାଇଛି ।
ଜୋତା ଚପଲ ଏବଂ ପୋଷାକ ଉପରେ ଜିଏସଟି ହାର ବୃଦ୍ଧିକୁ ବିଭିନ୍ନ ବ୍ୟବସାୟୀ ସଂଗଠନ ବିରୋଧ କରିଛନ୍ତି । ଦେଶରେ ମୁଦ୍ରାସ୍ଫୀତି ସ୍ତର ଉଚ୍ଚରେ ରହିଥିବାବେଳେ ଏଭଳି ଟିକସ ହାର ବୃଦ୍ଧି ସେମାନଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବ୍ୟବସାୟୀ ସଂଗଠନଗୁଡିକ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।
ଅନୁରୂପ ଭାବରେ ୨୦୨୨ ଜାନୁଆରୀ ୧ରୁ ଏକ ଅଟୋ ଅଥବା କାର୍‍ ବୁକିଂ କରିବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ସରକାର ଏହି ସେବାକୁ ଜିଏସଟି ପରିସରଭୁକ୍ତ କରିବା ସହିତ ଏହା ଉପରେ ୫% ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ରାସ୍ତାରେ ବିନା ଆପ୍‍ରେ ଚଳାଚଳ କରୁଥିବା ଅଟୋଗୁଡିକ ଏହି ବ୍ୟବସ୍ଥାରୁ ବାଦ୍‍ ପଡିବ । ଏହାଦ୍ୱାରା ଡ୍ରାଇଭରମାନଙ୍କର ଆୟ ପ୍ରଭାବିତ ହେବ ବୋଲି ଜଣେ ଉବେର ଡ୍ରାଇଭର କହିଛନ୍ତି ।
ଇ-କସର୍ମ ଅପରେଟରଙ୍କ ଉପରେ ମଧ୍ୟ ଜାନୁଆରୀ ପହିଲାରୁ ଟିକସ ବୋଝ ପଡିବାକୁ ଯାଉଛି । ସ୍ୱିଗି ଓ ଜୋମାଟୋ ଭଳି ଇ-କମର୍ସ ଅପରେଟରମାନେ ଜାନୁଆରୀ ୧ରୁ ସେମାନଙ୍କ ଜରିଆରେ ଯୋଗାଇ ଦିଆଯାଉଥିବା ରେଷ୍ଟୁରାଣ୍ଟ ସେବା ପାଇଁ ଜିଏସଟି ସଂଗ୍ରହ କରିବା ସହିତ ତାହା ସରକାରଙ୍କ ନିକଟରେ ଜମା କରିବାକୁ ହେବ । ତାହାସହିତ ସେମାନଙ୍କୁ ନିଜର ସେବା ଯୋଗାଣ ନିମନ୍ତେ ଏକ ଇନଭଏସ ପ୍ରଦାନ କରିବାକୁ ହେବ । ଅବଶ୍ୟ ଏହାଦ୍ୱାରା ଉପଭୋକ୍ତାଙ୍କ ଉପରେ ଅଧିକ ଟିକସ ବୋଝ ପଡିବ ନାହିଁ, କାରଣ ସଂପ୍ରତି ରେଷ୍ଟୁରାଣ୍ଟଗୁଡିକ ଜିଏସଟି ସଂଗ୍ରହ କରିବା ସହିତ ତାହା ସରକାରଙ୍କ ନିକଟରେ ଜମା କରୁଛନ୍ତି । କେବଳ ଖାଦ୍ୟ ଯୋଗାଣକାରୀ ଇ-କମର୍ସ ସଂସ୍ଥାଗୁଡିକୁ ଜିଏସଟି ଜମା କରିବା ଏବଂ ଇନଭଏସ ଯୋଗାଇଦେବା ଦାୟିତ୍ୱ ପାଳନ କରିବାକୁ ହେବ ।
ଅନ୍ୟପକ୍ଷରେ ୨୦୨୨ ଜାନୁଆରୀ ପହିଲାରୁ କର୍କଟ ରୋଗ ଚିକିତ୍ସା ଔଷଧ, ପୁଷ୍ଟିସାର ଯୁକ୍ତ ଚାଉଳ/ଭାତ ଏବଂ ବାୟୋଡିଜେଲ ଆଦି ଶସ୍ତା ହେବାକୁ ଯାଉଛି । ପୂର୍ବରୁ ଏହା ଉପରେ ୧୮% ଜିଏସଟି ଲାଗୁଥିବାବେଳେ ତାହାକୁ ୫%କୁ ହ୍ରାସ କରାଯାଇଛି ।

Comments are closed.