ଅର୍ଥନୀତିକୁ ଜିଏସ୍‌ଟି ବଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଦେଶରେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜାନୁଆରୀରେ ମୋଟ ୧,୪୦,୯୮୬ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିବା ସୀତାରମଣ ତାଙ୍କ ବଜେଟ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି। ଜିଏସଟି ପ୍ରଚଳନ ହେବା ଦିନଠାରୁ ଏହା ସର୍ବାଧିକ ସଂଗ୍ରହ ବୋଲି ଜଣାଯାଇଛି। ଜାନୁଆରୀକୁ ମିଶାଇ କ୍ରମାଗତ ଚାରିମାସ ହେଲା ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂଗ୍ରହ ୧.୩୦ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି ଏବଂ କ୍ରମାଗତ ସପ୍ତମ ମାସ ପାଇଁ ଏହା ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ୨୦୨୧ ଡିସେମ୍ବରରେ ଜିଏସଟି ସଂଗ୍ରହ ୧.୨୯ ଲକ୍ଷ କୋଟି ଟଙ୍କା ହୋଇଥିଲା। ଲୋକସଭାରେ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ଜିଏସଟି ବ୍ୟବସ୍ଥା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରୁଛି। ଅବଶ୍ୟ ଏ କ୍ଷେତ୍ରରେ ଆଉ କିଛି ଚାଲେଞ୍ଜ ରହିଛି। ଚଳିତ ବର୍ଷ ଜାନୁଆରୀ ୩୧ ତାରିଖ ଅପରାହ୍ଣ ୩ଟା ସୁଦ୍ଧାମୋଟ ୧,୩୮,୩୯୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିବାବେଳେ ସେଥିମଧ୍ୟରେ ସିଜିଏସଟି ୨୪,୬୭୪ କୋଟି ଟ୍‍କା,ଏସଜିଏସଟି ୩୨,୦୧୬ କୋଟି ଟଙ୍କା, ଆଇଜିଏସଟି ୭୨,୦୩୦ କୋଟି ଟଙ୍କା ରହିଛି (ଏଥିରେ ଆମଦାନୀକୃତ ସାମଗ୍ରୀ ଉପରୁ ୩୫,୧୮୧ କୋଟି ଟଙ୍କାର ଜିଏସଟି ଅନ୍ତର୍ଭୁକ୍ତ) ଏବଂ ସେସ୍‍ ଆକାରରେ ୯୬୭୪ କୋଟି ଟଙ୍କା ଆଦାୟ ହୋଇଛି। ଏହା ପୂର୍ବରୁ ୨୦୨୧ ଏପ୍ରିଲରେ ଗୋଟିଏ ମାସରେ ସର୍ବାଧିକ ୧,୩୯,୭୦୮ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା।

୨୦୨୨-୨୩ କେନ୍ଦ୍ର ବଜେଟରେ ଦେଶର ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ପାଇଁ ନିର୍ଦ୍ଦିଷ୍ଟ ଭାବରେ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ରଖାଯାଇନାହିଁ। ଯାହା ଏହି ଶିଳ୍ପକୁ ହତାଶ କରିଛି। ଅବଶ୍ୟ ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ୍‍) ସମ୍ପ୍ରସାରଣ ପାଇଁ ରଖିଥିବା ପ୍ରସ୍ତାବକୁ ଶିଳ୍ପ ସ୍ୱାଗତ କରିଛି। କୋଭିଡ ମହାମାରୀ ଯୋଗୁ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବରେ କିଛି ସୁବିଧା ସୁଯୋଗ ଘୋଷଣା କରିବା ଆଶା କରାଯାଉଥିଲା। କିନ୍ତୁ ଅର୍ଥମନ୍ତୀ ନିର୍ମଳା ସୀତାରମଣ କହିଥିଲେ, ହୋଟେଲ ଏବଂ ଆନୁଷଙ୍ଗିକ ସେବା କ୍ଷେତ୍ର ମହାମାରୀ ପୂର୍ବସ୍ଥିତିକୁ ଫେରିନାହିଁ। ଏହାକୁ ଦୃଷ୍ଟିରେ ରଖି ଇସିଏଲଜିଏସ୍‍କୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ଏବଂ ଏହାର ଗ୍ୟାରେଣ୍ଟି ପରିମାଣ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇ ତାହାକୁ ୫ ଲକ୍ଷ କୋଟି ଟଙ୍କା କରାଯାଇଛି। ଏ ବାବଦରେ ବ୍ୟୟ ବରାଦ କରାଯାଇଥିବା ଅତିରିକ୍ତ ଅର୍ଥ ସ୍ୱତନ୍ତ୍ର ଭାବରେ ହୋଟେଲଏବଂ ଆନୁଷଙ୍ଗିକ ଉଦ୍ୟୋଗ ପାଇଁ ରଖାଯାଇଛି। ହୋଟେଲ ଶିଳ୍ପ ମଧ୍ୟରେ ଖାଦ୍ୟ ପରଷିବା,ହୋଟେଲ ଓ ପର୍ଯ୍ୟଟନ ଭଳି କ୍ଷେତ୍ର ମହାମାରୀର ପରକୁ ପର ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କାରଣ ଏହିସବୁ ବ୍ୟବସାୟ ଉପରେ ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଇଣ୍ଡିଆର ଏକ ଆକଳନ ଅନୁଯାୟୀ ଭାରତର ଖାଦ୍ୟ ପରଷିବା ଶିଳ୍ପରେ୨୫% ଖାଦ୍ୟ ବ୍ୟବସାୟ ସଂସ୍ଥା ବନ୍ଦ ହୋଇଯାଇଛି ଏବଂ ଏହି କାରଣରୁ ୨୪ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି।

ଦେଶରେ ହୋଟେଲ ପ୍ରକୋଷ୍ଠଗୁଡିକର ବୁକିଂ ୪୮% ହ୍ରାସପାଇଛି ଏବଂ ଉପଲବ୍ଧ ପ୍ରକୋଷ୍ଠ ପିଛା ହାରାହାରି ଆୟ ୨୦୧୯-୨୦ରେ ୩୯୬୪ ଟଙ୍କା ଥିବାବେଳେ ଚଳିତ ବର୍ଷ ତାହା ୬୬% ହ୍ରାସପାଇ ୧୩୫୮ ଟଙ୍କା ହୋଇଛି। ଦେଶରେ ପ୍ରାୟ ୪୦% ହୋଟେଲ ବନ୍ଦ ହେବା ଅବସ୍ଥାରେ ପହଞ୍ଚିଛି ଏବଂ ଏହାଦ୍ୱାରା ହୋଟେଲ ଶିଳ୍ପରେ ୭୦% ପ୍ରତ୍ୟକ୍ଷ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥିସହିତ ଏହି ଶିଳ୍ପର ଆକାର ୫୩% ହ୍ରାସପାଇ ୨,୦୦,୭୬୨ କୋଟି ଟଙ୍କା ହୋଇଛି, ଯାହା ୨୦୧୯-୨୦ ଆର୍ଥିକ ବର୍ଷରେ ୪,୨୩,୬୨୪ କୋଟି ଟଙ୍କା ଥିଲା।

Comments are closed.