ସିକ୍ୟୁରିଟି ଗାର୍ଡ଼ଙ୍କ ଏକାଉଣ୍ଟରେ ୧୮ କୋଟିର କାରବାର: ରାଉରକେଲା ଅର୍ବାନ ବ୍ୟାଙ୍କ ଜାଲ ଏକାଉଣ୍ଟର ଖଣି

ରାଉରକେଲା: ରାଉରକେଲା ଅର୍ବାନ କୋ-ଅପରେଟିଭ୍‍ ବ୍ୟାଙ୍କ ଜାଲ ଏକାଉଣ୍ଟର ଖଣି ପାଲଟି ଯାଇଛି। ଯେତେ ଖୋଳିବ ସେତେ ମିଳିବ ଭଳି କଥା ହୋଇଛି। ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କ ନାଁରେ ଜାଲ କମ୍ପାନୀ ଖୋଲାଯାଇ ଅର୍ବାନ କୋ-ଅପରେଟିଭ୍‍ ବ୍ୟାଙ୍କରେ ଜାଲ ଏକାଉଣ୍ଟ ଜରିଆରେ ୧୮ କୋଟିର କାରବାର ହୋଇଥିବା ନଜରକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ସଂପୃକ୍ତ ସିକ୍ୟୁରିଟି ଗାର୍ଡ଼ ଜୀବନରେ କେବେ ରାଉରକେଲା ଦେଖି ନାହାଁନ୍ତ କି ଆସି ନାହାଁନ୍ତି। ମାତ୍ର ତାଙ୍କ ନାଁରେ କିଏ ଅର୍ବାନ ବ୍ୟାଙ୍କରେ କିଏ ଓ କିପରି ଏକାଉଣ୍ଟ ଖୋଲିଲା ତାହା ହିଁ ଏବେ ବଡ଼ ପ୍ରଶ୍ନ। ଜିଏସ୍‍ଟି ଠକେଇ ପଦାରେ ପଡ଼ିଲା ପରେ ଜିଏସ୍‍ଟି ଘଣ୍ଟାଚକଟା ଆରମ୍ଭ କରି ଦେଇଛି। ଏସବୁ ବେଆଇନ କାରବାରରେ ଜଡ଼ିତ ମାଫିଆଙ୍କୁ ଧରିବା ପାଇଁ ଜିଏସ୍‍ଟି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ମେସର୍ସ ୟୁନିୟନ ମେଟାଲ୍ସ ସଂସ୍ଥା ଜିଏସ୍‍ଟି ଠକି ଥିବା ବିଭାଗୀୟ ଅଧିକାରୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ଖବର ମିଳିଲା ପରେ ବିଭାଗୀୟ ଅଧିକାରୀମାନେ ଖୋଳତାଡ଼ କରିଥିଲେ। ଛେଣ୍ଡ କଲୋନୀ ଏଚ୍‍ଡି/୨୮ ଫେଜ୍‍-୨ରେ କମ୍ପାନୀର କାର୍ଯ୍ୟାଳୟ ଦର୍ଶାଇ ଯାଇଛି। ତେଣୁ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିିଲା। ମାତ୍ର ସେହି କ୍ୱାର୍ଟରରେ କୌଣସି କମ୍ପାନୀ ନଥିଲା। ସେଠାରେ ଜଣେ ଭଦ୍ର ବ୍ୟକ୍ତି ରହୁଛନ୍ତି। ସେମାନଙ୍କ ଅଧିକାରୀମାନେ ପଚରା ଉଚୁରା କରିବାକୁ ଏହି କ୍ୱାର୍ଟରରେ କେବେ କୌଣସି କମ୍ପାନୀ ନଥିଲା କି କାହାକୁ କେବେ ଭଡ଼ା ଦିଆଯାଇନାହିଁ। ଏସବୁ ଜଣା ପଡ଼ିଲା ପରେ କମ୍ପାନୀ ମାଲିକଙ୍କୁ ଖୋଜା ପଡ଼ିଥିଲା। କମ୍ପାନୀ କାଗଜପତ୍ରରେ ଭୁଲ ମୋବାଇଲ ନମ୍ବର ସାଙ୍ଗକୁ ଠିକଣା ବି ଭୁଲ ଦିଆଯାଇଥିଲା। ତେବେ ସେ ଯାହା ହେଉ ଅଧିକାରୀମାନେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ମେସର୍ସ ୟୁନିୟନ ମେଟାଲର ତଥାକଥିତ ମାଲିକ ବଳଭଦ୍ର ବାରିକଙ୍କୁ ଖୋଜି ବାହାର କରିଥିଲେ। ବଳଭଦ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର। ତାଙ୍କୁ ପଚାର ଉଚୁରା ପରେ କମ୍ପାନୀ କ’ଣ, ଜିଏସ୍‍ଟି କ’ଣ କିଛି ଜାଣିନଥିବା କହିଥିଲେ। ସବୁଠାରୁ ବଡ଼ କଥା ହେଲା ତାଙ୍କ ନାଁରେ ବ୍ୟାଙ୍କରେ ଏକାଉଣ୍ଟ ଖୋଲାଯାଇ ୧୮ କୋଟି ଟଙ୍କା କାରବାର କରାଯାଇଥିବା ସେ ଜାଣିବା ପରେ ଚମକି ପଡ଼ିଥିଲେ। ଏସବୁ କେମିିତି ହେଲା, କିଏ କଲା ବଳଭଦ୍ର କିଛି ଜାଣି ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ସେ ରାଉରକେଲା କେବେ ଆସି ନାହାଁନ୍ତି କି ଦେଖି ନାହାଁନ୍ତି। ତାଙ୍କ ନାଁରେ କିଏ ଅର୍ବାନ ବ୍ୟାଙ୍କ ମିଡ୍‍ କର୍ପୋରେଟ ଶାଖାରେ ଏକାଉଣ୍ଟ (ନମ୍ବର-୦୦୪୦୧୦୦୦୧୨୩୯) ଖୋଲିଲା ଆହୁରି ବି ସାଂଘାତିକ କଥା। ବଳଭଦ୍ର ଏବେ କଟକ ତେଲେଙ୍ଗାପେଣ୍ଠରେ ଜଣେ ବ୍ୟକ୍ତିଙ୍କ ଘରେ ଚାକିରୀ କରୁଛନ୍ତି। ତାଙ୍କ ସୂଚନା ଅନୁସାରେ ତିନି ବର୍ଷ ତଳେ ସେ ସମ୍ବଲପୁରରେ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଥିଲେ। ସେହି ସମୟରେ ଜନୈକ ବ୍ୟକ୍ତି ଅଧିକ ଦରମାରେ ଭଲ ଚାକିରୀ କରାଇ ଦେବାକୁ କହି ବାଇଓ ଡାଟା ନେଇ ଯାଇଥିଲେ। ଏହାର କିଛି ମାସ ପରେ ସମ୍ବଲପୁରରୁ ଚାକିରୀ ଛାଡି କଟକ ଚାଲି ଯାଇଛନ୍ତି। ତେଣୁ ସେଠାରୁ ଦଲାଲମାନେ ବାଇଡାଟା ସମେତ ଅନ୍ୟାନ୍ୟ କାଗଜପତ୍ରର ଦୁରୂପଯୋଗ କରିଥିବା ସେ ସନ୍ଦେହ କରୁଛନ୍ତି। ଚୋର ଦଳ ବଳଭଦ୍ରଙ୍କ ନାଁରେ ବି ଜିଏସ୍‍ଟି ନମ୍ବର (୨୧ ଡିଏବିପିବି ୬୧୦୭ ଏଫ୍‍୧ଜେଡ୍‍କେ) ବାହାର କରି ଜାଲ କମ୍ପାନୀ ଖୋଲି ଥିବା ସୂଚନା ମିଳିଛି। ଚାର ଦଳଙ୍କ କଳାକାରନାମା ଏତିକିରେ ସୀମିିତ ନଥିଲା। ମେସର୍ସ ୟୁନିୟନ ମେଟାଲ୍ସର କାର୍ଯ୍ୟାଳୟ ଏଚ୍‍-୨୮ ଛେଣ୍ଡ କଲୋନୀରେ ଚାଲିଥିବା ଜାଲ ଆଫିଡେଭିଟ୍‍ କରିଛନ୍ତି। ଏହି ଜାଲ ଆଫିଡେଭିଟ୍‍ ବଳରେ ସେମାନ ୨୦୧୭ ସେପ୍‍ଟେମ୍ବର ମାସରେ ଅର୍ବାନ ବ୍ୟାଙ୍କରେ ଜାଲ ଏକାଉଣ୍ଟ ଖୋଲି ଦେଇଥିଲେ। ଏଥିରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ସହଯୋଗ କରିଥିବା ସ୍ପଷ୍ଟ ହୋଇଯାଇଛି। ବଳଭଦ୍ରଙ୍କ ଏକାଉଣ୍ଟରେ ଅନ୍ୟ ଲୋକର ମୋବାଇଲ ନମ୍ବର ଦିଆଯାଇଛି। ସେହିପରି ଏକାଉଣ୍ଟରେ କାହାରିକୁ ଇଣ୍ଟ୍ରୋଡ୍ୟୁସର ବା ପରିଚୟକର୍ତ୍ତା ରଖା ଯାଇନାହିଁ। ଏକାଉଣ୍ଟ ଖୋଲିଲା ପରେ କମ୍ପାନୀ ଠିକଣାରେ କୌଣି ଚିଠି ଇସ୍ୟୁ ହୋଇ ନଥିବା ବେଳେ ଚେକ୍‍ ବୁକ୍‍ ଅନ୍ୟ କେହି ହାତାହାତି ନେଇ ଯାଇଛନ୍ତି। ଯାହାକି ରିଜର୍ଭ ବ୍ୟାଙ୍କର କେୱାଇସିକୁ ବ୍ୟାଙ୍କ ସଂପୂର୍ଣ୍ଣ ଉଲ୍ଲଂଘନ କରିଛି। ମାତ୍ର ୨୦୦୦ ହଜାର ଟଙ୍କା ମୂଳ ଜମାରେ ଏକାଉଣ୍ଟ ଖୋଲା ଯାଇଛି। ତା’ପରେ ଅଳ୍ପ କିଛି ମାସ ଭିତରେ ୟୁନିୟନ ମେଟାଲ୍ସ ଏକାଉଣ୍ଟରେ ୧୮ କୋଟିର କାରବାର ହୋଇଛି। ବଳଭଦ୍ର ଏ ସମ୍ପର୍କରେ କିଛି ଜାଣି ନଥିବା ବେଳେ ତାଙ୍କ ଏକାଉଣ୍ଟ କିଏ ପରିଚାଳନା କରୁଥିଲା ? ଏଥିରେ କଳାଧନ ଧଳ ହୋଇ ନାହିଁ ତ ? ଏପରି ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଏହି ଏକାଉଣ୍ଟରୁ ସର୍ବାଧିକ ଥର କେବଳ ସେଲ୍‌ଫଫ ଚେକ୍‍ରେ ଅର୍ଥ ଉଠାଣ ହୋଇଛି। ଆର୍‍ଟିଜିଏସ୍‍, ଏନ୍‍ଇଏଫ୍‍ଟି ଅନ୍ୟାନ୍ୟ ମାଧ୍ୟମରେ ଅର୍ଥ ଜମା ହୋଇଛି। ଅର୍ଥ ଜମା ହେବାର ଅଳ୍ପ କିଛି ଘଣ୍ଟା ପରେ ସବୁ ଅର୍ଥ ଉଠାଣ ହୋଇ ଯାଇଛି। ଗତ ୧୭/୦୧/୨୦୧୯ରେ ଜିଏସ୍‍ଟି କର୍ତ୍ତୃପକ୍ଷ ୟୁନିୟମ ମେଟାଲିକ୍ସକୁ କଳା ତାଲିକାଭୁକ୍ତ କରିଥିଲେ। ଏ ସମ୍ପର୍କରେ ବିଭାଗ ନୋଟିସ (ନଂ.୩/୨୦୧୮-୧୯) ଜାରି କରିଥିଲା। ଏହି ନୋଟିସ ଜାରି ପରେ ସମ୍ଭବତଃ ଚୋର ଦଳ ଜାଣି ପରିଥିଲେ। ସେମାନେି ଜରୁରୀକାଳୀନ ଭିତ୍ତିରେ ଏକାଉଣ୍ଟରୁ ସବୁ ଅର୍ଥ ଉଠାଇ ନେଇଥିଲେ। ସବୁ ଅର୍ଥ ଉଠାଣ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଏକାଉଣ୍ଟ ଫ୍ରିଜ୍‍ କରି ଦେଇଛନ୍ତି। ସେ ଏକାଉଣ୍ଟରେ ଏବେ ମାତ୍ର ୩୦୦୦ରୁ କମ୍‍ ଟଙ୍କା ରହିଛି। ତେବେ ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ସନ୍ଦେହଜନକ ଲାଗୁଛି। କେବଳ ଏହି ଗୋଟିଏ ଏକାଉଣ୍ଟ ନୁହେଁ ଅର୍ବାନ ବ୍ୟାଙ୍କରେ ଶତାଧିକ ଜାଲ ଏକାଉଣ୍ଟ ରହିଥିବା ନେଇ ଅଭିଯୋଗ ହେଉଥିଲା ତାହା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। ଜାମିନୀକାନ୍ତ ନାୟକ, ରାଜେନ୍ଦ୍ର ପଲାଇ, ସୁକାନ୍ତି ପାତ୍ର, ବିଶ୍ୱଜିତ ତାଣ୍ଡିଆ, ସୌମ୍ୟଜିତ ସ୍ୱାଇଁ, ସତ୍ୟଜିତ ସ୍ୱାଇଁ, ଉମାକାନ୍ତ ପାତ୍ର, ବିବେକ ଷଡ଼ଙ୍ଗୀ, ଶିବ ତନ୍ତୀ, କେତନ କୁମାର ମଲିକ, ଚିକୁନା ସେଠୀ ଓ ବାସନ୍ତୀ ବାରିକଙ୍କ ଭଳି ବହୁ ନିରୀହ ଲୋକଙ୍କ ବ୍ୟାଙ୍କରେ ଜାଲ ଏକାଉଣ୍ଟ ରହିଛି। ଜାମିନୀକାନ୍ତ ନାୟକ ଏ ସମ୍ପର୍କରେ ବ୍ୟାଙ୍କ ପରିଚାଳନା ମୁଖ୍ୟ ତଥା ରାଉରକେଲା ଏଡିଏମ୍‍ଙ୍କୁ ଅଭିଯୋଗ କରି ଜାଲ ଏକାଉଣ୍ଟ ଓ ୩୦ କୋଟିର ବେଆଇନ କାରବାରର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ବ୍ୟାଙ୍କର ତିନି ଜଣ ଅଧିକାରୀ ତଦନ୍ତ କରି ବ୍ୟାଙ୍କ ସବୁ ଠିକ୍‍ କରିଥିବା ରିପୋର୍ଟ ଦେଇଥିବା ଚର୍ଚ୍ଚା ହେଉଛି। ଏଡିଏମ୍‍ ଏହାକୁ ପୂର୍ଣ୍ଣାଙ୍ଗ ତଦନ୍ତ ବୋଲି ସ୍ୱୀକାର କରୁ ନାହାଁନ୍ତି। ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଉଛି ବୋଲି ଏଡିଏମ୍‍ କହୁଛନ୍ତି। ସେହିପରି ରାଜେନ୍ଦ୍ର ମଧ୍ୟ ତାଙ୍କ ଏକାଉଣ୍ଟରେ କିଏ ୨୮ କୋଟି କାରବାର କଲା ତା’ର ମଧ୍ୟ ତଦନ୍ତ କରିବାକୁ ଏଡିଏମ୍‍ଙ୍କୁ ଲିଖିିତ ଭାବେ ଅଭିଯୋଗ କରିଛନ୍ତି।

Comments are closed.