ଜିଏସଟି ଠକେଇର ଏନ୍ତୁଡ଼ିଶାଳ ରାଉରକେଲା: ଛାତ୍ରଙ୍କ ନାଁରେ ଭୂତ କମ୍ପାନୀ; କାରବାର ୫୮ କୋଟି

ପରିବା ବ୍ୟବସାୟୀ  ସରକାରୀ ରେକର୍ଡ଼ରେ  ମଲ ମାଲିକ

ରାଉରକେଲା: ରାଉରକେଲା ସହରରେ ଜିଏସ୍‍ଟି ଠକେଇ ଥମିବା ନାଁ ଧରୁନାହିଁ। ଜିଏସ୍‍ଟି ଠକେଇ ନେଇ ପ୍ରତିଦିନ ନୂଆ ନୂଆ ରୋଚକ ଖବର ସାମ୍‍ନାକୁ ଆସୁଛି। ଜିଏସ୍‍ଟି ମାଫିଆଙ୍କ ଜାଲରେ ଏଥର ଜଣେ ଛାତ୍ର ଓ ଅନ୍ୟ ଜଣେ ପରିବାର ବ୍ୟବସାୟୀ ଛନ୍ଦିି ହୋଇ ଯାଇଛନ୍ତି। ଛାତ୍ରଙ୍କ ନାଁରେ ଭୂତ କମ୍ପାନୀ ଖୋଲି ୫୮ କୋଟିର କାରବାର କରିଛନ୍ତି। କେବଳ ଏତିକି ନୁହେଁ ଠେଲା ପକାଇ ଚା’ ଓ ପରିବା ବିକୁଥିବା ଜଣେ ଦୋକାନୀଙ୍କୁ ଜିଏସ୍‍ଟି ଚୋର ଦଳ ସରକାରୀ ରେକର୍ଡ଼ରେ ମଲ ମାଲିକ ବନେଇ ଦେଇଛନ୍ତି। ଏହି ଘଟଣା ଜଣା ପଡ଼ିଲା ପରେ ସହରରେ ଜିଏସ୍‍ଟି ଚୋରିକୁ ନେଇ ସରଗରମ ଚର୍ଚ୍ଚା ହେଉଛି।

ଲିଙ୍ଗରାଜ ଟ୍ରେଡିଂ ନାଁରେ ଜିଏସ୍‍ଟି ଠକେଇ ସୁରାକ ମିଳିବା ପରେ ଉଭୟ ଓଜିଏସ୍‍ଟି ଏବଂ ସେଣ୍ଟ୍ରାଲ ଜିଏସ୍‍ଟି ପକ୍ଷରୁ ଖୋଳତାଡ଼ ଜାରି ରହିଥିଲା। ସେଣ୍ଟ୍ରାଲ ଜିଏସ୍‍ଟିର ଗୁଇନ୍ଦା ବିଭାଗ ଲିଙ୍ଗରାଜ ଟ୍ରେଡିଂ ଠିକଣା ଖୋଜାଖୋଜି କରିଥିଲେ। ଜଗଦା ମହାପାତ୍ର କମ୍ପେ୍ଲକ୍ସରେ ସଂସ୍ଥାର ଅଫିସ ଥିବା ସୂଚନା ମିିଳିଥିଲା। ତେଣୁ ଅଧିକାରୀମାନେ ସେଠାରେ ପହଞ୍ଚି ତଦନ୍ତ କରିବାରୁ ମହାପାତ୍ର ମାର୍କେଟ କଂପ୍ଲେକ୍ସରେ କୌଣସି ସେ ଭଳି କୌଣସି ସଂସ୍ଥା ନଥିବା ଜଣାପଡ଼ିଥିଲା। ତେଣୁ ତଦନ୍ତକାରୀ ଅଧିକାରୀମାନେ ମାର୍କେଟ କଂପ୍ଲେକ୍ସ ମାଲିକଙ୍କୁ ଖୋଜିଥିଲେ। ମାଫିଆ ଦଳ ସରକାରୀ ରେକର୍ଡ଼ପତ୍ରରେ କାର୍ତ୍ତିକ କାମିଲାଙ୍କୁ ମଲ ମାଲିକ ବନେଇ ଦେଇଥିଲେ। ତେଣୁ କାର୍ତ୍ତିକ କାମିଲା କିଏ ସେ କେଉଁଠି ରହୁଛନ୍ତ ଖୋଜା ପଡ଼ିଥିଲା। ଅଧିକାରୀମାନେ ବିଭିନ୍ନ ଲୋକଙ୍କୁ ପଚରା ଉଚୁରା ପରେ ଲୋକମାନେ କାର୍ତ୍ତିକଙ୍କୁ ଚିହ୍ନାଇ ଦେଇଥିଲେ।

କାର୍ତ୍ତିକଙ୍କ ପରିଚୟ ପାଇଲା ପରେ ଅଧିକାରୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଥିଲେ। କାର୍ତ୍ତିକ ମାର୍କେଟ କଂପ୍ଲେକ୍ସର ନୁହେଁ ଚା’ ଓ ପରିବାର ଦୋକାନର ମାଲିକ ଜାଣିବାକୁ ପାଇଥିଲେ। ଖୋଳତାଡ଼ କରୁ କରୁ କାର୍ତ୍ତିକଙ୍କ ଦୋକାନର ବିଦ୍ୟୁତ ବିଲ ହାତେଇ ଖେଳ କରି ଦେଇଛନ୍ତି। କାର୍ତ୍ତିକଙ୍କୁ କଂପ୍ଲେକ୍ସର ମାଲିକ କରି ଦେଇଛନ୍ତି। ଏମ୍‍ବିଏ ଛାତ୍ର ଡମ୍ବରୁଧର ଭୂମିକଙ୍କୁ ଲିଙ୍ଗରାଜ ଟ୍ରେଡିଂର ମାଲିକ ସାଜିଛନ୍ତି। ଡମ୍ବରଧର କାର୍ତ୍ତିକଙ୍କଠାରୁ ଘର ଭଡ଼ା ନେଇଥିବା ଦର୍ଶାଯାଇଛି। କମ୍ପାନୀ ଓ ଏକାଉଣ୍ଟ ଖୋଲିବା ପାଇଁ ଡମ୍ବରଧର ଓ କାର୍ତ୍ତିକଙ୍କ ମଧ୍ୟରେ କୋର୍ଟ ପେପରରେ ଘର ଭଡ଼ା ସ୍ୱାକ୍ଷର ହୋଇଛି। ଘର ଭଡ଼ା ଏଗ୍ରିମେଣ୍ଟକୁ ଆଧାର କରି ଡମ୍ବରୁଧରଙ୍କ ନାଁରେ ଲିଙ୍ଗରାଜ ଟ୍ରେଡ଼ିଂ କମ୍ପାନୀ ଖୋଲା ଯାଇଛି।

ଚୋରମାନେ ମହାପାତ୍ର କଂପ୍ଲେକ୍ସରେ ଆଉ ଦୁଇଟି ବଜରଙ୍ଗ ଇସ୍ପାତ ଓ ନବ ଉଦ୍ୟେଗ ଟ୍ରେଡର୍ସ ନାଁରେ ଭୂତ କମ୍ପାନୀ ଖୋଲା ଯାଇଛି। ବିଦ୍ୟୁତ ବିଲ୍‍ରେ କେବଳ କଂଜୁମର ନମ୍ବର ଥାଏ। ସେଥିରେ ପରିବାର କିମ୍ବାର ପିତାମାତାଙ୍କ ପରିଚୟ ବା ବିବରଣୀ ନଥାଏ। କାର୍ତ୍ତିକଙ୍କ ପିତାଙ୍କ ନାଁ ରାଧାକ୍ରିଷ୍ଣ କାମିଲା। କିନ୍ତୁ ମାଫିଆ ଗୋଷ୍ଠୀ କାର୍ତ୍ତିକଙ୍କ ଦୁଇଟି ବାପ ଥିବା କାଗଜପତ୍ରରେ ଦର୍ଶାଇଛନ୍ତି। ସେମାନେ ଗୋଟିଏ ଏଗ୍ରିମେଣ୍ଟରେ କାର୍ତ୍ତିକଙ୍କ ପିତା ମହେଶ କାମିଲା ଓ ଅନ୍ୟ ଗୋଟିଏ ଏଗ୍ରିମେଣ୍ଟରେ ମନୋଜ କାମିଲା ଦର୍ଶାଇଛନ୍ତି। ରାଉରକେଲା କୋର୍ଟର ଜନୈକ ନୋଟାରୀଙ୍କ ନିକଟରେ ୨୦୧୮ରେ ଘର ଭଡ଼ା ସଂକ୍ରାନ୍ତୀୟ ଚୁକ୍ତିିନାମା ହୋଇଛି। ଭଡ଼ା ଚୁକ୍ତି ପାଇଁ ଯେଉଁ ଦୁଇଟି ଷ୍ଟାମ୍ପ ପେପର ବ୍ୟବହୃତ ହୋଇଛି ତାହା କେଉଁ ଷ୍ଟାମ୍ପ ଭେଣ୍ଡର ବିକ୍ରି କରିଛନ୍ତି, କାହାକୁ ବିକ୍ରି କରିଛନ୍ତି ଓ ନୋଟାରୀ କିଏ ତା’ର ମଧ୍ୟ ତଦନ୍ତ କରାଯାଉଛି।

ଲିଙ୍ଗରାଜ ଟ୍ରେଡ଼ିଂ ନାଁରେ ପ୍ରାୟ ୫୮ କୋଟି କାରବାର ହୋଇଛି। ସବୁଠାରୁ ବଡ଼ କଥା ହେଲା କମ୍ପାନୀର ମାଲିକ କୁହା ଯାଉଥିବା ଡମ୍ବରୁଧର କେଉଁଠି ଅଛନ୍ତି ଜିଏସ୍‍ଟି ଅଧିକାରୀମାନେ ଖୋଜି ଖୋଜି ପାଉନାହାଁନ୍ତି। ସିବିଆଇସି ପୋର୍ଟାଲରୁ ଏକ ଫଟୋ ଡାଉନଲୋଡ଼ କରାଯାଇ ରେକର୍ଡ଼ରେ ରଖା ଯାଇଛି। ଜଗଦା, କୋଏଲ ନଗର ଆଖପାଖ ଅଞ୍ଚଳର ଲୋକେ କେବେ ଡମ୍ବରୁଧରକୁ ଚିହ୍ନି ନାହାଁନ୍ତି। ଚାକିରୀ ପାଇଁ କୌଣସି କମ୍ପାନୀର ଦାଖଲ କରିଥିବା ଡକ୍ୟୁମେଣ୍ଟ ଚୋରି କରି ଚୋରମାନେ ଏଭଳି ଧନ୍ଦା କରିଥିବା ଅନୁମାନ କରାଯାଉଛି। ଲିଙ୍ଗରାଜ ଟ୍ରେଡିଂ, ବଜରଙ୍ଗ ଇସ୍ପାତ ଓ ନବ ଉଦ୍ୟୋଗ ଟ୍ରେଡର୍ସକୁ ନିର୍ଦ୍ଦିଷ୍ଟ ଗୋଟିଏ ଦଳ ପରିଚାଳନା କରୁଥିବା ଏଥିରୁ ସ୍ପଷ୍ଟ ହୋଇ ଯାଇଛି। ସେମାନେ କିଏ ଓ କୁଆଡ଼େ ଗଲେ ଜିଏସ୍‍ଟି ତଦନ୍ତତ କରି ଦଳ ଖୋଜିବାରେ ଲାଗିଛି। ଦେଢ଼ ବର୍ଷ ହେଲା ଏହାର ତଦନ୍ତ ଜାରି ରହିଥିଲେ ମଧ୍ୟ ମାଷ୍ଟର ମାଇଣ୍ଡ ଖସି ପଳାଇଛନ୍ତି।

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେଣ୍ଟ୍ରାଲ ଜିଏସ୍‍ଟିର ପ୍ରିଭେଣ୍ଟିଭ୍‍ ଦଳ ଦେବଗଡ଼ ଅଞ୍ଚଳରେ ଜିଏସ୍‍ଟି ଠକେଇ ନେଇ ଚଢ଼ଉ ଜାରି ରଖିଛନ୍ତି। ସେଠାକାର ଏକ କଲେଜର ୫ ଜଣ ଛାତ୍ରଙ୍କୁ ଜିଏସ୍‍ଟି ଠକ ଦଳ ଫସାଇ ଦେଇଛନ୍ତି। ରାଉରକେଲାର ଏକ ସ୍ପଞ୍ଜ ଆଇରନ କାରଖାନାରେ ଚାକିରୀ କରାଇ ଦେବାକୁ ପ୍ରଲୋଭନ ଦେଖାଇ ଫଟୋ, ଆଧାର କାର୍ଡ଼, ପାନ କାର୍ଡ଼ ସମେତ ଅନ୍ୟାନ୍ୟ କାଗଜପତ୍ର ହାସଲ କରି ଜାଲ କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଜିଏସ୍‍ଟି ହଡ଼ପ କରିଛନ୍ତି। ଘଟଣା ପଛର ମାଷ୍ଟର ମାଇଣ୍ଡମାନଙ୍କୁ ଧରିବା ପାଇଁ ଯୋରସୋର ଉଦ୍ୟମ ଚଳାଇଛି।

Comments are closed.