ବି-ଟୁ-ବି କାରବାର ପାଇଁ ଅକ୍ଟୋବରରୁ ଜିଏସ୍‌ଟି ଇ-ଇନ୍‌ଭଏସିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଇ-ଇନ୍‌ଭଏସିଂ କ୍ଷେତ୍ରରେ କମ୍ପାନୀଗୁଡିକୁ ମିଳୁଥିବା ସୁବିଧା ଆଉ ମିଳିବ ନାହିଁ। କାରଣ ଏ ନେଇ ସରକାର ଦେଖାଉଥିବା କୋହଳ ମନୋଭାବ ଆଉ ବହୁତ କମ୍‌ ଦିନ। ଆସନ୍ତା ଅକ୍ଟୋବର ପହିଲାଠାରୁ ସରକାର ବିଜ୍‌ନେସ୍‌-ଟୁ ବିଜ୍‌ନେସ୍‌ (ବି-ଟୁ-ବି) କାରବାର କ୍ଷେତ୍ରରେ କମ୍ପାନୀଙ୍କ ପାଇଁ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଇ-ଇନ୍‌ଭଏସିଂ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଏଥିରେ ବାର୍ଷିକ ୫୦୦ ​କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କମ୍ପାନୀଙ୍କ ପାଇଁ ଇ-ଇନ୍‌ଭଏସିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ସରକାରଙ୍କ ଏତାଦୃଶ ପଦକ୍ଷେପକୁ ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନେ ବିରୋଧ କରିଛନ୍ତି। ସେମାନଙ୍କର କହିବା ହେଉଛି ସରକାର ବି-ଟୁ-ବି କାରବାର ପାଇଁ ଜିଏସ୍‌ଟି ଇ-ଇନ୍‌ଭଏସିଂ ବାଧ୍ୟତାମୂଳକ ନ କରି ସ୍ବେଚ୍ଛାକୃତ କରନ୍ତୁ। ଏହି ନୂଆ ନିୟମ ଲାଗୁ କରାଯିବା ଦ୍ବାରା ଟିକସ ଅନୁପାଳନ ବଢ଼ିବ। ଏହାଛଡା ଏହି ନିୟମ ଛୋଟ ବ୍ୟବସାୟୀମାନଙ୍କୁ ସୁହାଇବ କାରଣ ଏଥିରେ ବ୍ୟବସାୟ କାରବାର ସୀମା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ସରକାର ୧୦୦ ​କୋଟି ଟଙ୍କା କାରବାର କରୁଥିବା କମ୍ପାନୀଙ୍କ ପାଇଁ ଇ-ଇନ୍‌ଭଏସିଂ ବ୍ୟବସ୍ଥା ବାଧ୍ୟତାମୂଳକ କରିଥିଲେ। ଜିଏସ୍‌ଟି ପରିଷଦର ଏକ କ୍ଷମତାସମ୍ପନ୍ନ କମିଟି କରିଥିବା ସୁପାରିସ ଅନୁକ୍ରମରେ ଏହି ସୀମାକୁ ପରବର୍ତ୍ତୀ ସମୟରେ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଥମେ ସରକାର ଏହାକୁ ଚଳିତବର୍ଷ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରିବାକୁ ସୁପାରିସ କରିଥିଲେ, ଏବେ ଏଥିରେ ସଂଶୋଧନ କରାଯାଇ ଏହାକୁ ଅକ୍ଟୋବର ପହିଲାରୁ ଲାଗୁ କରାଯିବା ସହ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ।

Comments are closed.