ଲମ୍ବୁଛି ଜିଏସ୍‌ଟି ଠକେଇ ରାକେଟ ; କିଙ୍ଗ ପିନ୍ ସ୍ୱେଚ୍ଛାସେବୀ ମହିଳା ଅଟକ

ଋଣ ବାହାନରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ, ଚାଷୀ ନାଁରେ ଠକେଇ, ଜୋରସୋର୍ ଜେରା କରୁଛି ଜିଏସ୍‌ଟି ବିଭାଗ ଓ ପୁଲିସ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଜିଏସ୍‌ଟି ଠକେଇ ରାକେଟ ଲମ୍ବିବାରେ ଲାଗିଛି। ବିକ୍ରିକର ଓ ଜିଏସ୍‌ଟି ବିଭାଗ ପାଖକୁ ଆସିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ନେଇ ଅଧିକାରୀମାନେ ଯାଇ ଯାଞ୍ଚ କଲା ବେଳକୁ ସେଠାରେ କିଛି ନାହିଁ। ହେଲେ ଜିଏସ୍‌ଟି ଠକେଇ ଦସ୍ତାବେଜରେ ଲୋକଙ୍କ ଆଧାର, ବିଦ୍ୟୁତ ବିଲ୍, ଜମି ପଟ୍ଟା ଭଳି କାଗଜପତ୍ର ରହିଛି। ଆଉ ଯେଉଁ ଲୋକ ନାଁରେ ଠକେଇ କରାଯାଇଥିବା ଦର୍ଶାଯାଉଛି ସେ ଲୋକ କିଛି ବି ଜାଣିନି। ସଇଁନ୍ତଲା ବ୍ଲକ ଘଣ୍ଟାମାଲର ଚାଷୀ ରବିନ୍ଦ୍ର ଭୋଇଙ୍କୁ ଜେରା କରିବା ପରେ ଜିଏସ୍‌ଟି ଠକେଇ ଅଭିଯୋଗରେ ଦେଓଗାଁ ବ୍ଲକ ସାରସମାଲ ଗାଁକୁ ତଦନ୍ତ କରିବାକୁ ପହଞ୍ଚିଥିଲେ। ହେଲେ ସେଠାରେ ମଧ୍ୟ ଠକେଇ କରିଥିବା ମହିଳା କିଛି ଜାଣି ନଥିବା କହିଥିଲେ। ଆଉ ବିଭିନ୍ନ ପ୍ରକାର ଖୋଳତାଡ ପରେ ଜିଏସ୍‌ଟି ଅଧିକାରୀମାନେ ଜାଣିଥିଲେ ଯେ, ଅସଲି ଲୋକଙ୍କ କାଗଜପତ୍ର ରହିଛି। ହେଲେ ସେମାନେ କିଛି ଜାଣନ୍ତି ନାହିଁ। ନକଲି ଲୋକ ଚତୁରତାର ସହ କାଗଜପତ୍ର ହାତେଇ ଜିଏସ୍‌ଟି ଠକେଇ ଚଳାଇଛନ୍ତି। ଏଭଳି ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଲୋକେ ଥାନା ମୁହାଁ ହେବା ସହ ଜିଏସ୍‌ଟି ଅଫିସରେ ନ୍ୟାୟ ପାଇଁ ଫେରାଦ ହେଉଛନ୍ତି। ତେବେ ଏହି ଠକେଇ କାରବାରରେ ମହିଳା ସ୍ୱେଚ୍ଛାସେବୀ ପରିଚୟ ଦେଉଥିବା ଜଣେ ମହିଳା ସଂପୃକ୍ତ ରହିଥିବା ଜଣାପଡିଛି। ତାଙ୍କୁ ମାମଲାର କିଙ୍ଗପିନ୍ କୁହାଯାଉଛି। ରବିବାର ବଲାଙ୍ଗିର ଟାଉନ୍ ଥାନାରେ ଜିଏସ୍‌ଟି ଅଧିକାରୀ ତଥା ପୁଲିସ ଏହି ମହିଳା ସ୍ୱେଚ୍ଛାସେବୀଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛନ୍ତି।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ ଘଣ୍ଟାମାଲ ଗାଁ। ଏହି ଗାଁର ଚାଷୀ ରୋହିତ ଭୋଇ ଓ ତାଙ୍କ ପୁଅ ରବିନ୍ଦ୍ର। ଗୋଟିଏ ଘରେ ରହୁଥିବା ବେଳେ ବାପା-ପୁଅ ପ୍ରାୟ ସାଢେ ୩ ଏକର ଜମିରେ ଚାଷ କରନ୍ତି। ସେମାନଙ୍କ ପୁଞ୍ଜି କହିଲେ ଚାଷ ଓ ସେଥିରୁ ହେଉଥିବା ରୋଜଗାର। କିନ୍ତୁ ବଲାଙ୍ଗିର ଜିଏସ୍‌ଟି ଅଧିକାରୀମାନେ ଗତକାଲି ରବିନ୍ଦ୍ରଙ୍କ ଘଣ୍ଟାମାଲ ସ୍ଥିତ ଘରକୁ ଯାଇଥିଲେ। ‘ସିନ୍ଧୁଜା ଷ୍ଟିଲ୍’ ନାମକ କମ୍ପାନୀ ଖୋଲିଛନ୍ତି କି ବୋଲି ରବିନ୍ଦ୍ରଙ୍କୁ ପଚାରିଥିଲେ। ସେ କି କମ୍ପାନୀ, କିଛି ଜାଣନ୍ତି ନାହିଁ କହିଥିଲେ। କୋଟିଏ ଟଙ୍କାର ଜିଏସ୍‌ଟି କମ୍ପାନୀ ନାଁରେ କରାଯାଇଥିବା ଅଧିକାରୀମାନେ ରବିନ୍ଦ୍ରଙ୍କୁ କହିବା ପରେ ଚମକି ଯାଇଥିଲେ ସେ। କୋଟିଏ ଟଙ୍କା ଟଙ୍କା ତାଙ୍କ ପାଇଁ ସ୍ୱପ୍ନ କହିଥଲେ। କମ୍ପାନୀ ଖୋଲା ଯାଇଥିବା ବେଳେ ରବିନ୍ଦ୍ରଙ୍କ ନାଁରେ ଥିବା ବିଭିନ୍ନ କାଗଜପତ୍ର ଜିଏସ୍‌ଟି ଅଧିକାରୀ ଦେଖାଇଥିଲେ। ଏହାପରେ ଗାଁର ମହେନ୍ଦ୍ର ସାହୁ ଚାଷୀ ଋଣ କରାଇଦେବା ପାଇଁ ତାଙ୍କଠାରୁ କାଗଜପତ୍ର ନେଇଥିବା ରବିନ୍ଦ୍ର ସୂଚନା ଦେଇଥିଲେ। ତାଙ୍କ ନାଁରେ ଜାଲ୍ କମ୍ପାନୀ ଖୋଲି ଠକେଇ ଚାଲିଥିବା ହୃଦବୋଧ ହୋଇଥିଲା ଜିଏସ୍‌ଟି ବିଭାଗର। ଅଧିକାରୀମାନେ ଫେରିବା ପରେ ଜିଏସ୍‌ଟି ଠକେଇ ନେଇ ସେ ସଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କୋଟିଏ ଟଙ୍କାର ଜିଏସ୍‌ଟି ଠକେଇର ମୂଳ ଖୋଜୁଥିବା ବେଳେ ଦେଓଗାଁ ସାରସମାଲ ଗାଁର ଲକ୍ଷ୍ମୀନ୍ଦ୍ର ରଣାଙ୍କ ଘରକୁ ଯାଇଥିଲେ ଅଧିକାରୀମାନେ। ଶ୍ରୀ ରଣାଙ୍କ ସ୍ତ୍ରୀ ସବିତାଙ୍କୁ ଡକାଇ ‘ଘଟଗାଁ ବାସିନୀ’ ନାମକ ପରିବହନ ସଂସ୍ଥାକୁ ଘର ଭଡ଼ା ଦେଇଛନ୍ତି କି ବୋଲି ପଚାରିଥିଲେ। ସେ କୌଣସି ପରିବହନ ସଂସ୍ଥାକୁ ଭଡ଼ା ଦେଇ ନଥିବା କହିଥିଲେ। ଏହା ପରେ ଅଧିକାରୀମାନେ ଶ୍ରୀମତୀ ରଣାଙ୍କୁ ପରିବହନ ସଂସ୍ଥା ସହ ହୋଇଥିବା ଚୁକ୍ତି ସଂପର୍କିତ କାଗଜପତ୍ର ଦେଖାଇଥିଲେ। ଏହି ଦସ୍ତାବେଜରେ ଘରର ପାର୍ଚ୍ଚା, ବିଦ୍ୟୁତ ବିଲ୍, ଆଧାର ଆଦି ରହିଥିଲା। ଗତ ଜୁନ୍ ୧ ତାରିଖରେ ଶ୍ରୀମତୀ ରଣା ବଲାଙ୍ଗିର ଟିକ୍ରାପଡ଼ାର ନିର୍ମଳ ଜୟସ୍ୱାଲଙ୍କ ସହ ଘର ଭଡ଼ା ପାଇଁ ଚୁକ୍ତି କରିଥିବା କାଗଜପତ୍ର ଦେଇଥିଲେ। ସେହିପରି ସାକ୍ଷୀ ଭାବେ ବିରେନ୍ଦ୍ର ଜୟସ୍ୱାଲ, ଅଜୟ ବେହେରା, ଶାଶ୍ୱତ ପ୍ରଧାନ ପ୍ରମୁଖ ରହିଛନ୍ତି। ଓଡ଼ିଆରେ ଦସ୍ତଖତ ଦେଇ ପାରୁ ନଥିବା ଶ୍ରୀମତୀ ରଣା ଇଂଲିଶରେ ଦସ୍ତଖତ କରିଥିଲେ। ତାହା ସନ୍ଦେହ ବଢାଇଥିଲା। ସ୍ପଷ୍ଟ ଭାବେ ନହେଲେ ବି ଏହି ପରିବହନ ସଂସ୍ଥା ନାଁରେ ୩୦ରୁ ୪୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ କରାଯାଇଥିବା ଜଣେ ଜିଏସ୍‌ଟି ଅଧିକାରୀ କହିଛନ୍ତି। ଶ୍ରୀମତୀ ରଣାଙ୍କୁ ଗୋଷ୍ଠୀ ଋଣ ଦିଆଯିବ କହି ଗାଁର କମଳାକାନ୍ତ ସାହୁଙ୍କ ସ୍ତ୍ରୀ ମୀନା ସାହୁ ଏହି କାଗଜପତ୍ର ନେଇଥିବା କହିଥିଲେ। ଏହାପରେ ଦେଓଗାଁ ଥାନାରେ ଜିଏସ୍‌ଟି ଠକେଇ ନେଇ ଶ୍ରୀମତୀ ରଣା ଅଭିଯୋଗ କରିଥିଲେ।

ଗାଁର ମୀନା ସାହୁ କାଗଜପତ୍ର ନେଇଥିବା ଶ୍ରୀମତୀ ରଣା କହିଥିବା ବେଳେ ରବିବାର ସାରସମାଲ ଗାଁର ମୀନା ସାହୁ ଓ ଅନ୍ୟମାନେ ଆସିଥିଲେ ବଲାଙ୍ଗିର ଟାଉନ୍ ଥାନାକୁ। ସେଠାରେ ଶ୍ରୀମତୀ ସାହୁ କହିଥିଲେ ଯେ, ସାରସମାଲ ଗାଁରେ ମସଲା ପ୍ରସ୍ତୁତି ନେଇ ଏକ ତାଲିମ ଶିବିର କେବିକେ ମହିଳା ଅନାଥ ସଂଘ ପକ୍ଷରୁ କରାଯାଇଥିଲା। ଏହି ତାଲିମ ଶିବିର ଜରିଆରେ ଗାୟିତ୍ରୀ ମ୍ୟାଡମ୍ ସେମାନଙ୍କ ନିକଟତର ହୋଇଥିଲେ। ଗୋଷ୍ଠୀ ଋଣ କରାଇ ଦେବା ପାଇଁ ଆବଶ୍ୟକୀୟ କାଗଜପତ୍ର ନେଇଥିଲେ। ତା’ପରେ ତାଙ୍କର ଖୋଜଖବର ନଥିଲା। ଏହି ସୂଚନା ପାଇବା ପରେ ପୁଲିସ ସ୍ୱେଚ୍ଛାସେବୀ ଗାୟତ୍ରୀ ମ୍ୟାଡମ୍‌ଙ୍କୁ ଥାନାକୁ ଆଣିଥିଲେ। ଶ୍ରୀମତୀ ସାହୁଙ୍କ ଅଭିଯୋଗକ୍ରମେ ଆଇପିସିର ଦଫା ୪୨୦ ଓ ୪୬୮ରେ ୪୮୦ ନମ୍ବର କେସ୍ ରୁଜୁ କରାଯାଇଛି। ଏହି ଠକେଇ କାରବାରର କିଙ୍ଗପିନ୍ କୁହାଯାଉଥିବା ଗାୟତ୍ରୀ ମ୍ୟାଡମ୍‌ଙ୍କୁ ଅଟକ ରଖି ଜିଏସ୍‌ଟି ଅଧିକାରୀ ଓ ପୁଲିସ ଜେରା କରୁଛନ୍ତି। ତାଙ୍କ ପୁଅକୁ ମଧ୍ୟ ଅଣା ଯାଇଥିବା ବେଳେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୁଅର କୌଣସି ସଂପୃକ୍ତି ଜଣାପଡୁ ନାହିଁ। ଜିଏସ୍‌ଟିର ୩ଜଣ ଅଧିକାରୀ ଓ ପୁଲିସ ଗୁଡାଇ ତୁଡାଇ ଜେରା କରୁଛନ୍ତି। ଆଉ କେଉଁ କେଉଁମାନେ ସଂପୃକ୍ତ ଓ ଠକେଇର ଚେର କେଉଁ ଯାଏ ଲମ୍ବିଛି, କେମିତି ଠକେଇ କରାଯାଉଛି, କେତେଜଣଙ୍କ ନାଁରେ ଏମିତି ଠକ କମ୍ପାନୀ ଖୋଲା ଯାଇଛି ଭଳି ତଥ୍ୟ ଖୋଜା ଯାଉଛି। ଅନ୍ୟପଟେ ଜିଏସ୍‌ଟି ଠକେଇର ଶୀକାର ଚାଷୀ ରବିନ୍ଦ୍ର, ଗୃହିଣୀ ଶ୍ରୀମତୀ ରଣା, ଶ୍ରୀମତୀ ସାହୁ କେବଳ ନୁହନ୍ତି। ଅନ୍ୟମାନେ ବି କାଗଜପତ୍ର ଦେଇ ଫଶି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Comments are closed.