ଓଡ଼ିଶାକୁ ୩୫୮୪ କୋଟିର ଜିଏସଟି କ୍ଷତିପୂରଣ

ଭୁବନେଶ୍ବର: ଜିଏସଟି ନିଅଣ୍ଟ ବାବଦରେ ଓଡ଼ିଶାକୁ ସୋମବାର ମିଳିଛି ୧୭୩.୫୫ କୋଟି ଟଙ୍କାର କ୍ଷତିପୂରଣ। ରାଜ୍ୟ ଏପର୍ଯ୍ୟନ୍ତ ମୋଟ ୩୫୮୪.୧୭ କୋଟି ଟଙ୍କା କ୍ଷତିପୂରଣ ବାବଦରେ ପାଇଛି। ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ରୁ ଓଡ଼ିଶାକୁ ଅତିରିକ୍ତ ଧାର ବାବଦରେ (୦.୫ ପ୍ରତିଶତ) ୨୮୫୮ କୋଟି ଆଣିବାକୁ ଅନୁମତି ଦିଆଯାଇଥିଲା। ଜିଏସଟି ନିଅଣ୍ଟ ପୂରଣ ପାଇଁ କେନ୍ଦ୍ର ସ୍ବତନ୍ତ୍ର ବାତାୟନ ମାଧ୍ୟମରେ ସଂଗ୍ରହ ହୋଇଥିବା ୩୫୮୪.୧୭ କୋଟି ଟଙ୍କା ପ୍ରଦାନ କରିଛି। ଜିଏସଟି କ୍ଷତିପୂରଣ ନିଅଣ୍ଟ ପୂରଣ କରିବା ପାଇଁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ସୋମବାର ରାଜ୍ୟକୁ ୫୦୦୦ କୋଟି ଟଙ୍କା ୧୬ତମ ସାପ୍ତାହିକ କିସ୍ତି ବାବଦରେ ପ୍ରଦାନ କରିଛି। ଏଥିରୁ ୪୫୯୭ କୋଟି ୨୩ଟି ରାଜ୍ୟ ଓ ୪୦୨.୮୪ କୋଟି ଦିଲ୍ଲୀ, ଜମ୍ମୁକଶ୍ମୀର ଓ ପୁଡୁଚେରୀ ପାଇଁ ପ୍ରଦାନ କରାଯାଇଛି। ଏମାନେ ସମସ୍ତେ ଜିଏସଟି ପରିଷଦର ସଦସ୍ୟ ଅଛନ୍ତି। ସିକିମ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡରେ ଜିଏସଟି କାର୍ଯ୍ୟକାରିତାରେ ରାଜସ୍ବ ନିଅଣ୍ଟ ହୋଇ ନାହିଁ।

ଜିଏସଟି ନିଅଣ୍ଟ ନେଇ ଏପର୍ଯ୍ୟନ୍ତ ମୋଟ ଆକଳନର ୮୬ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏଥିରୁ ୮୬,୭୨୯.୯୩ କୋଟି ରାଜ୍ୟମାନଙ୍କୁ ଓ ୮,୨୭୦.୦୭ କୋଟି ବିଧାନସଭା ଥିବା ତିନି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି। ଜିଏସଟି ଲାଗୁ ହେତୁ ୧.୧୦ ଲକ୍ଷ କୋଟି ଟଙ୍କାର ରାଜସ୍ବର ଆନୁମାନିକ ନିଅଣ୍ଟ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର, ୨୦୨୦ ରେ ଏକ ସ୍ୱତନ୍ତ୍ର ବାତାୟନ ସ୍ଥାପନ କରିଥିଲେ।

Comments are closed.